Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କେନ୍ଦ୍ରାପଡାରୁ ଝାରପଡା ଜେଲ ଆସିଲା ଟିଟୋ: ଜେଲରେ ରହି ବି ନିର୍ବାଚନକୁ ପ୍ରଭାବିତ କରିବା ଥିଲା ଆଶଂକା

19/04/2019 at 7:36 PM

ଭୁବନେଶ୍ବର ୧୯।୪ (ନୀରଦ ପଟ୍ଟନାୟକ) : କେନ୍ଦ୍ରାପଡ଼ା ଜେଲରୁ ଝାରପଡ଼ା ଉପକାରାଗାରକୁ ସ୍ଥାନାନ୍ତର ହେଲା ସୟଦ ଉସ୍ମାନ୍‌ ଅଲ୍ଲୀ ଓରଫ୍‌ ଟିଟୋ । କଡ଼ା ସୁରକ୍ଷା ମଧ୍ୟରେ ଟିଟୋକୁ କେନ୍ଦ୍ରାପଡ଼ାରୁ ଭୁବନେଶ୍ବର ଝାରପଡ଼ାକୁ ଆଣାଯାଇଛି। ଏଠାରେ ସୁରକ୍ଷା ଯାଞ୍ଚ ପରେ ତାକୁ ୩ ନମ୍ବର ସେଲରେ ରଖାଯାଇଛି।  ଚତୁର୍ଥ ପର୍ଯ୍ୟାୟ ନିର୍ବାଚନକୁ ଆଖିଆଗରେ ରଖି ଏହି ସ୍ଥାନାନ୍ତରଣ ହୋଇଥିବା ଜଣାପଡିଛି। ଝାରପଡା ଜେଲରେ ପୂର୍ବରୁ ହାଇଦର, ବିକ୍ରମ ମଲିକଙ୍କ ଭଳି ବହୁ ଅପରାଧୀ ରହିଛନ୍ତି । ଏବେ ସେମାନଙ୍କ ସହ ଯୋଡି ହୋଇଯାଇଛି ଟିଟୋ ।

୩୦ ସେପ୍ଟେମ୍ବର ୨୦୧୮ରେ ଟିଟୋକୁ କେନ୍ଦ୍ରାପଡାରୁ ଗିରଫ କରିଥିଲା ସ୍ପେଶାଲ ଟାସ୍କଫୋର୍ସ । ରାଜକନିକା ନସିରୁଦ୍ଧିନ ଆକ୍ରମଣ ଘଟଣାରେ ତାର ସମ୍ପୃକ୍ତି ଜଣାପଡିବା ପରେ ତାକୁ ଉଠାଇ ଆଣିଥିଲା ଏସଟିଏଫ୍ ।  ସେବେଠାରୁ ଟିଟୋ ଜେଲର ଚାରିକାନ୍ଥ ଭିତରେ ରହିଆସୁଛି। କେନ୍ଦ୍ରାପଡାର ଏହି କୁଖ୍ୟାତ ଗ୍ୟାଙ୍ଗଷ୍ଟର ନାଁରେ ରହିଛି ଦାଦାବଟି ଆଦାୟ, ବାଲିଘାଟ ଟେଣ୍ଡର ଫିକ୍ସିଂ ଠାରୁ ଆରମ୍ଭ କରି ହତ୍ୟା ପରି ପ୍ରାୟ ୩୮ ଟି ମାମଲା । ତେବେ ପୋଲିସ ସୂଚନା ଅନୁସାରେ ସାକ୍ଷ୍ୟପ୍ରମାଣ ଅଭାବରୁ କୋର୍ଟ ୩୬ଟି ମାମଲାରେ ଟିଟୋକୁ ନିର୍ଦୋଷରେ ଖଲାସ କରିଦେଇଛନ୍ତି। ଏବେ ତା ବିରୋଧରେ ଗ୍ୟାଙ୍ଗଷ୍ଟର ସୁଲେମାନ୍ ହତ୍ୟା ମାମଲା ବିଚାରାଧୀନ ରହିଛି।

ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ କେନ୍ଦ୍ରାପଡ଼ାରେ ଭୋଟ ହେବ । ଏଠାରେ ଟିଟୋ ଗ୍ୟାଙ୍ଗ  ସଦସ୍ୟଙ୍କ ଦବଦବା ଥିବା କୁହାଯାଉଛି । କେବଳ ସେତିକି ନୁହେଁ କେନ୍ଦ୍ରାପଡ଼ା ସମେତ ପାରାଦୀପ, ଜଗତସିଂହପୁର ଅଞ୍ଚଳର କିଛି ଶ୍ରମିକ ସଙ୍ଗଠନ ସହ ମଧ୍ୟ ଟିଟୋର ସମ୍ପର୍କ ରହିଛି । ବିଶେଷ କରି ସଂଖ୍ୟାଲଘୁ ସମ୍ପ୍ରଦାୟର ଭୋଟରଙ୍କୁ ଏହି ଗ୍ୟାଙ୍ଗଷ୍ଟର ପ୍ରଭାବିତ କରିବାର ଆଶଙ୍କା ରହୁଛି। ଏଣୁ କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତି ଏଡ଼ାଇବାକୁ ଟିଟୋକୁ କେନ୍ଦ୍ରାପଡ଼ାରୁ ସ୍ଥାନାନ୍ତର ଭଳି ପଦକ୍ଷେପ ନିଆଯାଇଥିବା ଚର୍ଚ୍ଚା ହେଉଛି ।  

   Related Posts