ଟିଟୋ ଏବେ ଚୁପ୍‌ଚାପ୍, ଅଧିକାଂଶ ସମୟ ରହୁଛି ଏକଲା : ହାଇଦର ଏନ୍‌କାଉଣ୍ଟର ପରେ ବ୍ରହ୍ମପୁର ଜେଲ୍‌ରେ ଥାଇ ବି ଛାନିଆ ଗ୍ୟାଙ୍ଗଷ୍ଟର

Published By : Prameya-News7 Bureau | July 27, 2021 IST

ଭୁବନେଶ୍ୱର ୨୭।୦୭: ଟିଟୋ ଏବେ ଚୁପ୍‌ଚାପ୍‌ । କାହା ସହିତ କଥା ହେଉନାହିଁ କି କାହା ସହିତ ଅଧିକା ମିଶୁନାହିଁ । ହାଇଦର ଏନ୍‌କାଉଣ୍ଟର ପରେ ପୁରା ଗୁମ୍‌ସୁମ୍‌ ହୋଇଯାଇଛି ଟିଟୋ । ଏକଦା କେନ୍ଦ୍ରାପଡ଼ା ଓ କଟକରେ ଅପରାଧ ଦୁନିଆରେ ରାଜ୍‌ କରୁଥିବା ଗ୍ୟାଙ୍ଗଷ୍ଟାର ଏବେ ହୋଇଯାଇଛି ଚୁପ୍‌ଚାପ୍‌ । ବ୍ରହ୍ମପୁର ଜେଲ୍‌ର କମ୍‌ନ ରୁମ୍‌ରେ ଦେଖୁଥିଲା ହାଇଦର ଏନ୍‌କାଉଣ୍ଟର ଘଟଣାର ପୁରା ଖବର ।

୮୦ଦଶକରେ କେନ୍ଦ୍ରାପଡ଼ା ଜେଲ୍‌ରେ ଟିଟୋ ଓ ହାଇଦର କଳା ସାମ୍ରାଜ୍ୟ ମୁଣ୍ଡ ଟେକିଥିଲା । ଛୋଟ ମୋଟ ଅପରାଧ ଘଟାଇ ପାଲଟିଥିଲା ଗ୍ୟାଙ୍ଗଷ୍ଟାର । ଏରିଆ ଭାଗବଣ୍ଟାକୁ ନେଇ ଟିଟୋ ଓ ହାଇଦର ହୋଇଥିଲା ମୁହାଁମୁହିଁ । କିନ୍ତୁ କିଛି ଦିନ ପରେ ଉଭୟଙ୍କ ଆପୋଷ ବୁଝାମଣାରେ ବିବାଦ ତୁଟିଥିଲା । ବିବାଦ ତୁଟିବାର କିଛି ଦିନ ପରେ ହାଇଦରକୁ ଗିରଫ କରିଥିଲା ପୋଲିସ । ଯାହାଫଳରେ କି ହାଇଦର ଗ୍ୟାଙ୍ଗ ଦୁର୍ବଳ ହୋଇଥିଲା । ଏହାର ସୁଯୋଗ ନେଇ ଟିଟୋ ନିଜର ଆଧିପତ୍ୟ ବଢାଇଥିଲା । ଦୀର୍ଘ ୪୦ ବର୍ଷ ଧରି ଟିଟୋ କେନ୍ଦ୍ରାପଡ଼ାରେ ରାଜ୍‌ କରିଚାଲିଲା । ଟିଟୋ ନାଁରେ ହତ୍ୟା, ହତ୍ୟା ଉଦ୍ୟମ, ଦାଦାବଟି, ଟେଣ୍ଡର୍‌ ଫିକ୍ସିଂ ଭଳି ବହୁ ସଙ୍ଗିନ୍‌ ମାମଲା ରହିଛି।

ଶେଷରେ ୨୦୧୮ରେ ଟିଟୋକୁ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ । ଗତ କିଛି ମାସ ତଳେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଟିଟୋକୁ ବ୍ରହ୍ମପୁର ଜେଲ୍‌କୁ ସ୍ଥାନାନ୍ତରିତ କରାଯାଇଛି । ଜେଲ୍‌ରେ ଟିଟୋ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି । ବ୍ରହ୍ମପୁର ଜେଲ୍‌ରେ ଟିଟୋର କୌଣସି ସହଯୋଗୀଙ୍କୁ ରଖାଯାଇନାହିଁ । ପୂର୍ବରୁ ଥିବା ଜଣେ ସହଯୋଗୀଙ୍କୁ ଅନ୍ୟ ଜେଲ୍‌କୁ ସ୍ଥାନାନ୍ତରିତ କରାଯାଇଛି ।

ତେବେ ମିଳିଥିବା ସୂଚନାନୁସାରେ , ହାଇଦରକୁ ଏନ୍‌କାଉଣ୍ଟର ପରେ ଟିଟୋ ଗୁମ୍‌ସୁମ୍‌ ହୋଇଯାଇଛି । ହାଇଦରକୁ ଯେଉଁଦିନ ଏନ୍‌କାଉଣ୍ଟର କରାଗଲା । ସେଦିନ ଜେଲ୍‌ର କମନ୍‌ ହଲରେ ବସି ପୁରା ନ୍ୟଜ୍‌ ଦେଖିଥିଲା । ଏନ୍‌କାଉଣ୍ଟର ଘଟଣା ପ୍ରସାରିତ  ହେବା ପରେ ଟିଟୋ ଭୟଭୀତ ଅବସ୍ଥାରେ ରହୁଛି ।  ଏପରିକି ତା’ର ବ୍ୟବହାରରେ ପରିବର୍ତ୍ତନ ମଧ୍ୟ ଆସିଥିବାର ଦେଖିବାକୁ ମିଳିଛି। ଅନ୍ୟ ବନ୍ଦୀମାନଙ୍କ ସହିତ ପୂର୍ବ ଭଳି ଅଧିକ କଥାବାର୍ତ୍ତା ହେଉନାହିଁ। ଟିଟୋକୁ  ୨୪ଘଣ୍ଟିଆ ସିସି କ୍ୟାମେରା ନଜରରେ ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.