Covid-19: ତିରୁପତି ବାଲାଜୀ ମନ୍ଦିରରେ ବନ୍ଦ ହେବ ସର୍ବଦର୍ଶନ ଟୋକେନ୍ ବ୍ୟବସ୍ଥା, ଜାଣନ୍ତୁ କେବେଠୁ ?
7/04/2021 at 9:22 PM

ତିରୁମାଲା ୭।୪: ତିରୁପତି ବାଲାଜୀ ମମନ୍ଦିର ଉପରେ ପଡିଛି କରୋନା ଛାୟା। ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତିରୁପତି ବାଲାଜୀ ମନ୍ଦିରରେ ବନ୍ଦ ହେବ ସର୍ବ ଦର୍ଶନ ଟୋକେନ ବ୍ୟବସ୍ଥା । ମନ୍ଦିର ପରିଚାଳନା ଦାୟିତ୍ୱରେ ଥିବା ତିରୁପତି ତିରୁମାଲା ଦେବସ୍ଥାନମ (ଟିଟିଡି) ବୁଧବାର ଏହି ସୂଚନା ଦେଇଛନ୍ତି। ତିରୁପତି ସହରରୁ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନିଆଯାଇଛି। ଏଥିରେ ଏପ୍ରିଲ ୧୨ରୁ ସର୍ବଦର୍ଶନ ଟୋକେନ ବିତରଣ ବନ୍ଦ ହେବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।
୧୧ ଏପ୍ରିଲରେ ତିରୁପତି ବାଲାଜୀ ମନ୍ଦିରରେ ଶେଷ ସର୍ବଦର୍ଶନ ଅନୁଷ୍ଠିତ ହେବ। ଭେଙ୍କଟେଶ୍ୱରଙ୍କ ଦର୍ଶନ ଲାଗି ଭୂଦେବୀ କମ୍ପ୍ଲେକ୍ସ ଓ ବିଷ୍ଣୁ ନିବାସରେ ଏବେବି ଅନେକ ତୀର୍ଥ ଯାତ୍ରୀ ଅଟକି ରହିଛନ୍ତି। ଏଣୁ ଦର୍ଶନାର୍ଥୀଙ୍କ ମଧ୍ୟରେ କରୋନା ବ୍ୟାପିବାର ଅନେକ ସମ୍ଭାନା ଥିବାର କର୍ତ୍ତୃପକ୍ଷ କହିଛନ୍ତି। ଠାକୁରଙ୍କ ଦର୍ଶନ ଲାଗି ସମୟ ସଂଗ୍ରହ ନିମନ୍ତେ ଏହି ଦର୍ଶନାର୍ଥୀ ଅପେକ୍ଷାରେ ଥିବା ବେଳେ ଟିଟିଡି ସର୍ବଦର୍ଶନ ଟୋକେନ୍ ବନ୍ଦ କରିବା ଲାଗି ଘୋଷଣା କରିବା ଅନେକଙ୍କୁ ଏବେ ନିରାଶ କରିଛି।
ତେବେ ଭକ୍ତଙ୍କ ସୁସ୍ଥତା ଓ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏପରି କଠୋର ପଦକ୍ଷେପ ନେବାକୁ ପଡୁଥିବା ଟିଟିଡି କର୍ତ୍ତୃପକ୍ଷ କହିଛନ୍ତି। ତେବେ ପରିସ୍ଥିତିରେ ସୁଧାର ଆସିବା ପରେ ପୁଣି ପୂର୍ବ ଭଳି ସର୍ବଦର୍ଶନ ଟୋକେନ ବୁକିଂ ଓ ବିତରଣ କରାଯିବ। ତେବେ ସେ ପର୍ଯ୍ୟନ୍ତ ପ୍ରଶାସନକୁ ସହଯୋଗ କରିବା ଲାଗି ଟିଟିଡି କର୍ତ୍ତୃପକ୍ଷ ସୂଚିତ କରିଛନ୍ତି।
