ତିରୁପତି ମନ୍ଦିରରେ କୋଭିଡ ନେଲା ମୁଣ୍ଡ, ପୂର୍ବତନ ମୁଖ୍ୟ ପୂଜକ ସଂକ୍ରମଣରୁ ହୋଇପାରିଲେ ନାହିଁ ସୁସ୍ଥ
20/07/2020 at 3:25 PM

ହାଇଦ୍ରାବାଦ, ୨୦|୦୭: ତିରୁପତି ତିରୁମାଳା ଦେବସ୍ଥାନମ୍ ବା ତିରୁପତି ମନ୍ଦିରର ପୂର୍ବତନ ମୁଖ୍ୟ ପୂଜକ ଶ୍ରୀନିବାସ ଡିକ୍ସିଟୁଲୁ ରବିବାର ପ୍ରାଣ ହରାଇଛନ୍ତି । ସେ ଭେଙ୍କଟେଶ୍ୱର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସରେ ଶେଷ ନିଶ୍ୱାସ ତ୍ୟାବ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା । ଗତ ଗୁରୁବାର ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ହସ୍ପିଟାଲର ମୁଖପାତ୍ର କହିଛନ୍ତି ଯେ, ଗୁରୁବାର ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ତାଙ୍କ ମୃତ୍ୟୁକୁ ନେଇ ଚାରିଆଡେ ଶୋକର ଛାୟା ଖେଳିଯାଇଛି । ମନ୍ଦିରର ସଭାପତି ଓ୍ୱାଇଭି ରେଡ୍ଡି ମଧ୍ୟ ପୂର୍ବତନ ମୁଖ୍ୟ ପୂଜକଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି ।

ସୂଚନାଯୋଗ୍ୟ, ନିକଟରେ ତିରୁମାଳ ମନ୍ଦିରର ୧୪୦ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ।ଅନଲକ୍ ସମୟରେ ମନ୍ଦିରକୁ ଖୋଲାଯାଇଥିଲା । ୧୪ଜଣ ସହକାରୀ ପୂଜକଙ୍କ ସହ ୧୬ ଲଢୁ ତିଆରିରେ ନିଯୁକ୍ତ ବ୍ୟକ୍ତି ଓ ୫୬ ସୁରକ୍ଷାକର୍ମୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏପରି ମୋଟ୍ ୧୪୦ ଜଣ ସଂକ୍ରମିତ ହୋଇଥିଲେ । ୭୦ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି ।
ଏହାମଧ୍ୟରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ ମନ୍ଦିର ପ୍ରଶାସନକୁ ଚିଠି ଲେଖି ଦର୍ଶନ ବନ୍ଦ ରଖିବାକୁ କହିଛନ୍ତି । ଲୋକଙ୍କ ସ୍ୱାସ୍ଥ୍ୟକୁ ନଜରରେ ରଖି ଏପରି କରିବାକୁ କୁହାଯାଇଛି । ସେହିପରି ମନ୍ଦିରର ମୁଖ୍ୟ ପୂଜକ ରାମଣା ଡିକ୍ସିଟୁଲୁ ସୋସିଆଲ ମିଡିଆରେ ମନ୍ଦିର ବନ୍ଦ କରିବା ପାଇଁ ରାଜ୍ୟ ସରକାରଙ୍କୁ କହିଛନ୍ତି । ଏହାସହ ମନ୍ଦିରରେ ସଂକ୍ରମଣ ରୋକିବା ପାଇଁ ସରକାର ପଦକ୍ଷେପ ନିଅନ୍ତୁ ବୋଲି ସେ ଦାବି କରିଛନ୍ତି ।