ୟେସ୍ ବ୍ୟାଙ୍କ ସଙ୍କଟ: ବଞ୍ଚିଗଲା ତିରୁପତି ମନ୍ଦିର, ପ୍ରଥମରୁ କାଢି ନେଇଥିଲା ୧୩୦୦ କୋଟି, ଚିନ୍ତାରେ ଜଗନ୍ନାଥ ମନ୍ଦିର
7/03/2020 at 7:14 PM

ତିରୁପତି ୦୭।୦୩- ୟେସ୍ ବ୍ୟାଙ୍କରେ ଛାଇ ରହିଥିବା ଆର୍ଥିକ ସଙ୍କଟର ପ୍ରଭାବ ତିରୁମାଲା ତିରୁପତି ଦେବସ୍ଥାନମ ଉପରେ କଦାପି ପଡିବ ନାହିଁ। ତିରୁପତି ମନ୍ଦିର ଉକ୍ତ ବ୍ୟାଙ୍କରେ ୧୩୦୦ କୋଟି ଟଙ୍କାର ସୁନିଶ୍ଚିତ ଜମା(ଫିକ୍ସ ଡିପୋଜିଟ) କରାଇଥିଲା, ଯାହା ଚଳିତ ବର୍ଷ ମାର୍ଚ୍ଚରେ ଟଙ୍କା ଉଠାଣର ନିର୍ଦ୍ଧାରିତ ସମୟରେ ଉପନ୍ନୀତ ହୋଇଥିଲା। ମାତ୍ର ମନ୍ଦିର ପ୍ରଶାସନ ଗତ ବର୍ଷ ନଭେମ୍ବର-ଡିସେମ୍ବରରେ ହିଁ ୟେସ୍ ବ୍ୟାଙ୍କରୁ ନିଜର ଅର୍ଥ କାଢି ନେଇଥିଲା। ମନ୍ଦିର ଟ୍ରଷ୍ଟର ନୂତନ ସଭାପତି ନିଯୁକ୍ତି ପରେ ମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି ନେଇଥିଲା। ଅନ୍ୟପଟେ ପୁରୀ ଶ୍ରୀଗନ୍ନାଥ ମନ୍ଦିର ପ୍ରଶାସନ ୟେସ୍ ବ୍ୟାଙ୍କରେ ଜମା ଅର୍ଥ କଢାକୁ ନେଇ ଚିନ୍ତାରେ ପଡି ଯାଇଛି।
୨୦୧୯ ଏପ୍ରିଲରେ ଯେବେ ଘରୋଇ ବ୍ୟାଙ୍କରେ ରାଷ୍ଟ୍ରୀୟ ବ୍ୟାଙ୍କ ଅପେକ୍ଷା ଅଧିକ ସୁଧ ଦେଉଥିବା ଦେଖି ତିରୁପତି ଦେବସ୍ଥାନମ ନିଜର ୫ ହଜାର କୋଟି ଟଙ୍କା ଅଲଗା ଅଲଗା ବ୍ୟାଙ୍କରେ ନିବେଶ କରିବାକୁ ନିଷ୍ପତ୍ତି ନେଇଥିଲା। ଏହାରି ଆଧାରରେ ୧୩୦୦ କୋଟି ଟଙ୍କା ୟେସ୍ ବ୍ୟାଙ୍କ, ୧୩୦୦ କୋଟି ଟଙ୍କା ଇଣ୍ଡସ ଇଣ୍ଡ ବ୍ୟାଙ୍କ, ୧୩୦୦ କୋଟି ଟଙ୍କା ସାଉଥ ଇଣ୍ଡିଆନ ବ୍ୟାଙ୍କ, ୬୦୦ କୋଟି ଟଙ୍କା ଏକ୍ସିସ ବ୍ୟାଙ୍କ ଏବଂ ୧୩୦ କୋଟି ଟଙ୍କା ଫେଡରାଲ ବ୍ୟାଙ୍କରେ ଜମା କରାଯାଇଥିଲା।

ଏହା ବ୍ୟତୀତ ମନ୍ଦିରର ପ୍ରାୟ ୮ ହଜାର କୋଟି ଟଙ୍କା ଅଲଗା ଅଲଗା ରାଷ୍ଟ୍ରୀୟ ବ୍ୟାଙ୍କରେ ଜମା ରହିଛି। ଏହାକୁ ଗୋଟିଏ ବର୍ଷ ପାଇଁ ଏଫଡି ଭାବେ ବ୍ୟାଙ୍କଗୁଡିକରେ ଜମା କରାଯାଇଥିଲା। ୨୦୧୯ ଅକ୍ଟୋବରରେ ଟ୍ରଷ୍ଟ ବୋର୍ଡର ବୈଠକରେ ସଂସ୍ଥାର ସଭାପତି ବଦଳି ଥିଲେ। ନୂତନ ସଭାପତି ଓ୍ଵାଇଭି ସୁବା ରେଡ୍ଡୀ ପଦ ସମ୍ଭାଳିବା ମାତ୍ରେ ଅନେକ ଘରୋଇ ବ୍ୟାଙ୍କରେ ଜମା ଏଫଡି କାଢିବାକୁ ନିଷ୍ପତ୍ତି ନେଇଥିଲେ। ଏହା ପରେ ୨୦୧୯ ନଭେମ୍ବର-ଡିସେମ୍ବରରେ ମନ୍ଦିର ପ୍ରଶାସନ ୟେସ୍ ବ୍ୟାଙ୍କରୁ ୧୩୦୦ କୋଟି ଟଙ୍କା ଓ ସାଉଥ ଇଣ୍ଡିଆନ ବ୍ୟାଙ୍କରୁ ୧୩୦୦ କୋଟି ଟଙ୍କା କାଢି ନେଇଥିଲେ।
ରାଷ୍ଟ୍ରୀୟ ବ୍ୟାଙ୍କରେ ଜମା ରହିବ ଅର୍ଥ
ଏହା ବ୍ୟତୀତ ମନ୍ଦିର ପ୍ରଶାସନ ବାକି ବ୍ୟାଙ୍କରେ ଏଫଡି ପୂର୍ଣ୍ଣ ବିକାଶ(ମେଚ୍ୟୁର) ହେବା ପର୍ଯ୍ୟନ୍ତ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି। ମନ୍ଦିର ସ୍ଥିର କରିଛି ଯେ, ଏହା ପରେ ଆଗାମୀ ଆର୍ଥିକ ବର୍ଷର ରେଟିଂ ହିସାବରେ ବ୍ୟାଙ୍କରେ ଏଫଡି ଜାରି ରଖାଯିବ ନା ନାହିଁ ସେ ନେଇ ନିଷ୍ପତ୍ତି ନିଆଯିବ। ସୁବା ରେଡ୍ଡୀ କହିଛନ୍ତି ଟଙ୍କା ଉଠାଣ ନିଷ୍ପତ୍ତି ମନ୍ଦିରକୁ ୟେସ୍ ବ୍ୟାଙ୍କରୁ ବଞ୍ଚାଇ ନେଇଛି।

ଚିନ୍ତାରେ ଜଗନ୍ନାଥ ମନ୍ଦିର
ଅନ୍ୟପଟେ ୟେସ୍ ବ୍ୟାଙ୍କ ସଙ୍କଟରେ ପଡିବା ଭଗବାନ ଜଗନ୍ନାଥ ମନ୍ଦିରର ପୂଜାରୀ ଓ ଶ୍ରଦ୍ଧାଳୁ ଚିନ୍ତିତ ଅଛନ୍ତି। ୟେସ୍ ବ୍ୟାଙ୍କରେ ପ୍ରଭୁ ଜଗନ୍ନାଥ ମନ୍ଦିର ୫୪୫ କୋଟି ଟଙ୍କା ଜମା କରିଛି। ରିଜର୍ଭ ବ୍ୟାଙ୍କ ୟେସ୍ ବ୍ୟାଙ୍କ ଉପରେ ଅନେକ ପ୍ରକାରର ଅଙ୍କୁଶ ଲଗାଇଛି। ୟେସ୍ ବ୍ୟାଙ୍କ ଜମାକାରୀଙ୍କ ପାଇଁ ଆଗାମୀ ଏକ ମାସ ପର୍ଯ୍ୟନ୍ତ ଟଙ୍କା ଉଠାଣ ସୀମା ୫୦ ହଜାର ସ୍ଥିର କରିଛି।