ଇଭିଏମରେ ଭାଗ୍ୟ, ୧୦ରେ ଉଠିବ ପରଦା, କିନ୍ତୁ ଏବେଠୁ ବିଜେପି ପାଗ ଭିଡିବାକୁ ତୟାର, ବିଜେଡି କନଫିଡେଣ୍ଟ୍ ଆଉ କଂଗ୍ରେସ ଛାଡି ଦେଇଛି ଆଶା

Published By : Prameya-News7 Bureau | November 04, 2020 IST

ବାଲେଶ୍ୱର, ୦୪/୧୧:  ପାଖାପାଖି ଦେଢ଼ ମାସର କସରତର ଅନ୍ତ ଘଟିଛି । ବାଲେଶ୍ବର ଓ ତିର୍ତୋଲରେ ସରିଛି ଉପନିର୍ବାଚନ । ଇଭିଏମରେ ସିଲ୍‌ ହୋଇସାରିଛି ଜନତା ଜନାର୍ଦ୍ଦନଙ୍କ ରାୟ, ସିଲ୍‌ ହୋଇସାରିଛି ପ୍ରାର୍ଥୀଙ୍କ ଭାଗ୍ୟ । ଏବେ ସମସ୍ତଙ୍କ ଅପେକ୍ଷା ଫଳାଫଳକୁ । ହେଲେ ଉପନିର୍ବାଚନ ଭୋଟ୍‌ ଫଳାଫଳ ପୂର୍ବରୁ ହାତ ଟେକିସାରିଲାଣି କଂଗ୍ରେସ । ଉଭୟ ଆସନରେ କଂଗ୍ରେସ ପ୍ରାର୍ଥୀଙ୍କ ବିଜୟ ଆଶା ଛାଡ଼ି ଦେଇଛନ୍ତି ଦଳୀୟ ନେତା । ସେପଟେ ଶାନ୍ତି ଶୃଙ୍ଖଳାର ସହ ଉପନିର୍ବାଚନ ଶେଷ ହୋଇଥିବାରୁ ପ୍ରକ୍ରିୟାରେ ସହଯୋଗ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ।

{"id":356228,"sizeSlug":"large"}

ଫଳାଫଳ ଆସିନି କିନ୍ତୁ ହାରିବା ନେଇ ହାତଟେକି ସାରିଲାଣି କଂଗ୍ରେସ । ବାଲେଶ୍ବର ଓ ତିର୍ତୋଲ ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କ ପରାଜୟ ସ୍ବୀକାର କରିସାରିଲେଣି ଦଳୀୟ ନେତା । ଉଭୟ ଆସନରେ କଂଗ୍ରେସ ପକ୍ଷରୁ ଭଲ ପ୍ରାର୍ଥୀ ଦିଆଯାଇଥିଲେ ମଧ୍ୟ ବଜେଡି ଓ ବିଜେପିର କଳାଟଙ୍କାର ପ୍ରଭାବ କଂଗ୍ରେସ ଭୋଟ୍‌କୁ ପ୍ରଭାବିତ କରିଛି ବୋଲି କହିଛନ୍ତି ଦଳର ବରିଷ୍ଠ ନେତା ତାରା ପ୍ରସାଦ ବାହିନୀପତି । ଏଥର ନହେଲା ନାହିଁ ୨୦୨୪ରେ କଂଗ୍ରେସ ଜିତିବ ବୋଲି ସେ ଆଶା ବାନ୍ଧିଛନ୍ତି । ସେପଟେ ଉଭୟ ଆସନରେ ଜିତାପଟକୁ ନେଇ ବିଜେଡି ଓ ବିଜେପି ଉଭୟ ନିଜର ଦାବି ପେଶ୍‌ କରିଛନ୍ତି । ନିର୍ବାଚନରେ ସରକାରୀ କଳ  ଓ କଳାଟଙ୍କାର ବ୍ୟବହାରକୁ ବିଜେଡି ଖଣ୍ଡନ କରିଥିବା ବେଳେ ଦୁଇଟିଯାକ ସ୍ଥାନରେ ବିଜେପି ଜିତିବ ବୋଲି ଓଭର କନ୍‌ଫିଡେଣ୍ଟ ଶୋ’ କରିଛନ୍ତି ବିଜେପି ନେତା ।

ବାଲେଶ୍ବରରେ ୭୦.୬୯ ପ୍ରତିଶତ ଓ ତିର୍ତୋଲରେ ୬୯.୬୬ ପ୍ରତିଶତ ମତଦାନ ହୋଇଥିବା କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ । ୨୦୧୯ ନିର୍ବାଚନ ତୁଳନାରେ ଏଥର ମତଦାନ ହାର ସାମାନ୍ୟ କମିଛି । ତେବେ ଶାନ୍ତି ଶୃଙ୍ଖଳାର ସହ ଉପନିର୍ବାଚନ ଶେଷ ହୋଇଥିବାରୁ ପ୍ରକ୍ରିୟାରେ ସାମିଲ୍‌ ଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ସିଇଓ ।

{"id":356229,"sizeSlug":"large"}

ବାଲେଶ୍ବର ଓ ତିର୍ତୋଲରେ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଇଭିଏମ୍‌ ମେସିନ୍‌ ଗୁଡ଼ିକୁ ରଖାଯାଇଥିବା ବେଳେ ଆଗାମୀ ୧୦ତାରିଖରେ ଭୋଟ ଗଣତି ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.