ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ତୀରଥ ସିଂହ ରାଓ୍ଵତ

Published By : Prameya-News7 Bureau | July 02, 2021 IST

ଡେରାଡୁନ ୦୨।୦୭: ଦାୟିତ୍ଵ ଗ୍ରହଣ କରିବାର କେଇ ମାସ ପରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାଓ୍ଵତ ନିଜ ପଦରୁ ଇସ୍ତଫା ଦେଇଛନ୍ତି। କିଛି ସମୟ ହେବ ସେ ରାଜଭବନରୁ ଇସ୍ତଫା ଦେଇ ବାହାରିଛନ୍ତି। ଏହା ପୂର୍ବରୁ ସେ ଗଣମାଧ୍ୟମ ପ୍ରତିନିଧିକୁ ସମ୍ବୋଧିତ କରିଥିଲେ। ହେଲେ ଏହି ସମୟରେ ସେ ଇସ୍ତଫା ଘୋଷଣା କରି ନଥିଲେ।  ଉତ୍ତରାଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ଏହାର  ନିଷ୍ପତ୍ତି ଶନିବାର ବିଧାୟକଙ୍କ ବୈଠକରେ ନିଆଯିବ। ସୂତ୍ର ଅନୁଯାୟୀ, ଏଥର ବିଧାୟକଙ୍କ ମଧ୍ୟରୁ କାହାକୁ ମୁଖ୍ୟମନ୍ତ୍ରୀ ଦାୟିତ୍ଵ ଦିଆଯାଇପାରେ।

ଅନେକ କଳ୍ପନା ଜଳ୍ପନା ପରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ତୀରଥ ସିଂହ ରାଓ୍ବତ । ଦାୟିତ୍ଵ ଗ୍ରହଣ କରିବାର ମାତ୍ର ୪ ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦରୁ ସେ ଇସ୍ତଫା ଦେଇଛନ୍ତି। ଏହା ପୂର୍ବରୁ ଶୁକ୍ରବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଚିଠି ଲେଖି ଇସ୍ତଫା ଦେବାକୁ ଚାହୁଁଥିବା କହିଥିଲେ। ଚିଠିରେ ଉଲ୍ଲେଖ କରିଥିଲେ ଯେ, ‘ଭାରତୀୟ ସମ୍ପିଧାନର ଧାରା ୧୬୪-ଏ ଆଧାରରେ ମୁଖ୍ୟମନ୍ତ୍ରୀ ହେବାର ୬ ମାସ ମଧ୍ୟରେ ବିଧାନସଭାର ସଦସ୍ୟ ହେବାର ଥିଲା । କିନ୍ତୁ ଧାରା ୧୫୧ ଆଧାରରେ ଯଦି କୌଣସି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଏକ ବର୍ଷରୁ କମ ସମୟ ଥାଏ ତେବେ ସେଠା​‌ରେ ଉପ-ନିର୍ବାଚନ ହୋଇପାରିବ ନାହିଁ । ତେଣୁ ଉତ୍ତରାଖଣ୍ଡରେ ସାମ୍ବିଧାନିକ ସଙ୍କଟ ନଦେଖାଯାଉ ସେଥିପାଇଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଚାହୁଁଛି’।

ସୂଚନା ଅନୁଯାୟୀ, ଉତ୍ତରାଖଣ୍ଡରେ ଆସନ୍ତା ବର୍ଷ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାଓ୍ବତ ଏବଂ ଆଉ ୨ ଜଣ ବିଜେପି ନେତାଙ୍କୁ ଦିଲ୍ଲୀ ଡକାଯାଇଛି । ତୀରଥ ସିଂହ ରାଓ୍ବତଙ୍କ ବ୍ୟତୀତ ୨ ବରିଷ୍ଠ ବିଜେପି ନେତା ସତପାଲ ମହାରାଜ ଏବଂ ଧନ ସିଂହ ରାଓ୍ବତଙ୍କୁ ଦିଲ୍ଲୀ ଡକାଯାଇଛି । କିଛି ଦିନ ପୂର୍ବରୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାଓ୍ବତ ଦିଲ୍ଲୀ ଆସିଥିଲେ । ସେବେଠାରୁ ଉତ୍ତରାଖଣ୍ଡରେ କିଛି ବଡ ଧରଣର ଅଦଳବଦଳ ହୋଇପାରେ ବୋଲି ଶୁଣିବାକୁ ମିଳୁଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.