ଟିପୁ ସୁଲତାନ ଜୟନ୍ତୀ ପ୍ରସଂଗରେ ବିଜେପି ଏବଂ କଂଗ୍ରେସ ମୁହାଁମୁହିଁ: ବିଜେପି କହିଲା ଜଣେ ନର ସଂହାରକାରୀଙ୍କ ଶ୍ରାଦ୍ଧ ଦିବସ ପାଳନ କରୁଛନ୍ତି ରାଜ୍ୟ ସରକାର

Published By : Prameya-News7 Bureau | November 10, 2018 IST

କର୍ଣ୍ଣାଟକ ୧୦/୧୧: କର୍ଣ୍ଣାଟକରେ ବିଜେପିର ତୀବ୍ର ବିରୋଧ ସତ୍ତ୍ବେ  ଆଜି କର୍ଣ୍ଣାଟକର ରାଜ୍ୟ ସରକାର ଅଷ୍ଟାଦଶ ଶତାବ୍ଦୀର ମହୀଶୂରର ଶାସକ ଟିପୁ ସୁଲତାନଙ୍କ ଜୟନ୍ତୀ ପାଳନ କରୁଛି।  ବିଜେପି ସମେତ ବହୁ ସଙ୍ଗଠନ ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମକୁ ବିରୋଧ କରୁଛନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀ ଅସୁସ୍ଥତା କାରଣରୁ ଏହି ଉତ୍ସବରେ ଯୋଗ ଦେଉନାହାଁନ୍ତି । ଏହାକୁ ନେଇ ବିଜେପି ପ୍ରଶ୍ନ ଉଠାଇଛି ।  ହରିୟାଣାର ବିଜେପି ନେତା ଏବଂ ରାଜ୍ୟର କ୍ୟାବିନେଟ ମନ୍ତ୍ରୀ ଅନିଲ ବିଜ କଂଗ୍ରେସକୁ ସିଧାସଳଖ ଟାର୍ଗେଟ କରିଛନ୍ତି । ଅନିଲ ବିଜ ଟିପୁଙ୍କୁ ନେଇ ଏକ ଟ୍ବିଟ କରି କହିଛନ୍ତି ଯେ ‘କଂଗ୍ରେସ ଆଜି ଲକ୍ଷ ଲକ୍ଷ ଭାରତୀୟଙ୍କ ହତ୍ୟାକାରୀ ଟିପୁ ସୁଲତାନଙ୍କ ଶ୍ରାଦ୍ଧ ପାଳୁଅଛି।’ ସେହିଭଳି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ବିଏସୟେଦୁରପ୍ପା କହିଛନ୍ତି ଯେ, ମୁସଲିମ ଭୋଟରଙ୍କୁ ସନ୍ତୁଷ୍ଟ କରିବା ପାଇଁ କଂଗ୍ରେସ ଏହି ଜୟନ୍ତୀ ପାଳନ କରୁଛି । ଅପରପକ୍ଷରେ ଟିପୁ ସୁଲତାନଙ୍କ ଜୟନ୍ତୀ ପାଳନକୁ ପ୍ରବଳ ବିରୋଧ  ସତ୍ତ୍ବେ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ ନେତା କୁମାରସ୍ବାମୀ ଲୋକମାନଙ୍କୁ ଶୁଭେଛ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ ଆଜି ପୂରା ରାଜ୍ୟରେ ଟିପୁ ସୁଲତାନଙ୍କ ଜୟନ୍ତୀ ପାଳନ କରାଯାଉଛି। ଟିପୁ ସୁଲତାନ ଜଣେ ମହାନ ଶାସକ ଥିଲେ। ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନଥିବାରୁ ସେ ଏହି ଜୟନ୍ତୀ ସମାରୋହରେ ସାମିଲ ହୋଇପାରିବେ ନାହିଁ। କିନ୍ତୁ ବିଜେପି ଏହାର ଅନ୍ୟ ଅର୍ଥ ବାହାର କରିଛି। ବିଜେପି କହିଛି ମୁଖ୍ୟମନ୍ତ୍ରୀ ଏହି ସମାରୋହକୁ ଯିବାକୁ ଚାହୁନାହାନ୍ତି କାରଣ ଅତୀତରେ ଯେଉଁମାନେ ଟିପୁ ସୁଲତାନଙ୍କ ଜୟନ୍ତୀରେ ସାମିଲ ହୋଇଛନ୍ତି ସେମାନଙ୍କ ଅବସ୍ଥା ପରବର୍ତ୍ତି ସମୟରେ ଶୋଚନୀୟ ହୋଇଥିବା ନଜୀର ରହିଛି। ସେଭଳି କିଛି ଲୋକଙ୍କ ଉଦାହରଣ ହେଲା ବିଜୟ ମାଲ୍ୟାଙ୍କୁ ଦେଶ ଛାଡ଼ି ଯିବାକୁ ପଡ଼ିଛି, ସଞ୍ଜୟ ଖାନଙ୍କ ଚେହେରା ଖରାପ ହୋଇଯାଇଛି ଏବଂ ସିଦ୍ଧାରମୈୟାଙ୍କୁ ନିର୍ବାଚନ ହାରିବାକୁ ପଡ଼ିଛି। କିନ୍ତୁ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ଏହାକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ସେ ଅନ୍ଧବିଶ୍ବାସୀ ନୁହଁନ୍ତି । ତେଣୁ ତାଙ୍କ ଅନୁପସ୍ଥିତିର  ଭିନ୍ନ ଅର୍ଥ ବାହାର କରିବା ଠିକ ନୁହଁ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.