ଜନ୍ମାଷ୍ଟମୀ ଉପବାସ କରିଛନ୍ତି କି : ତେବେ ଜାଣନ୍ତୁ କିଛି କଥା

Published By : Prameya-News7 Bureau | September 02, 2018 IST

ଭୁବନେଶ୍ବର ୨|୯: ଅଧିକାଂଶ ଲୋକ ପବିତ୍ର ଜନ୍ମାଷ୍ଟମୀରେ ଉପବାସ କରି ଭଗବାନ କୃଷ୍ଣଙ୍କ ଜନ୍ମଦିନକୁ ପାଳନ କରିଥାନ୍ତି । ଉପବାସ କରିବା ଏବଂ ଭାଙ୍ଗିବା ସମ୍ବନ୍ଧରେ କିଛି ତଥ୍ୟ ଏଠାରେ ଦିଆଯାଇଛି ଯାହା ଉପରେ ଧ୍ୟାନ ଦେବା ଜରୁରୀ । ଉପବାସର ପ୍ରକାର : ସାଧାରଣତଃ ଉପବାସ ୩ ପ୍ରକାରର କରାଯାଇଥାଏ । ନିରାହାର (ଭୋଜନ ନକରି ରହିବା) ଫଳାହାର (କେବଳ ଫଳ ଖାଇ ରହିବା) ଦୁଗ୍ଧାହାର (କେବଳ ଦୁଗ୍ଧ ପିଇ ରହିବା) ଧାର୍ମିକ ପର୍ଯ୍ୟବେକ୍ଷକମାନଙ୍କ ଦ୍ବାରା ଏହି ଉପବାସ ଭିନ୍ନ ଭିନ୍ନ ଭାବେ କରାଯାଇଥାଏ । ନିରାହାର ଉପବାସ ସବୁଠୁ ଉତ୍ତମ ଅଟେ । ଏହା ଦୁଇ ପ୍ରକାରରେ କରାଯାଇଥାଏ । ସଜଳ (ପାଣି ପିଇକରି ରହିବା) , ନିର୍ଜଳା ( ପାଣି ନପିଇକରି ରହିବା) । ନିର୍ଜଳା ଉପବାସରେ ପାଣି ନପିଇକରି ରହୁଥିବାବେଳେ ସଜଳ ଉପବାସରେ ଲେମ୍ବୁପାଣି, ଉଷୁମ ପାଣି ପିଇପାରିବେ । ମାତ୍ର ସଜଳ ଉପବାସରେ ଚା’ ଏବଂ କଫି ପିଇପାରିବେ ନାହିଁ । ଫଳାହାର ଉପବାସରେ କେବଳ ଫଳ ଏବଂ ଫଳ ରସ ଭୋଜନ ଭାବେ ଗ୍ରହଣ କରାଯାଏ । ଏହି ପ୍ରକାର ଉପବାସରେ ସେଓ, ଅଙ୍ଗୁର ଏବଂ ଅମୃତଭଣ୍ଡା ସବୁଠୁ ଭଲ ଖାଦ୍ୟ ଅଟେ । ଦୁଗ୍ଧାହାର ଉପବାସରେ ଦିନରେ ୪ରୁ ୫ଥର ୨୫୦-୫୦୦ ମିଲିଲିଟର ଗାଈ ଦୁଗ୍ଧ ପିଇପାରିବେ । ଗାଈ ଦୁଗ୍ଧ ସବୁଠୁ ଭଲ ଖାଦ୍ୟ ଅଟେ । ଏହା ଶରୀରରୁ ମଜଭୁତ କରିବାରେ ଫଳପ୍ରଦ ହୋଇଥାଏ । ଦୁଗ୍ଧାହାର ଉପବାସରେ ଚା’ କିମ୍ବା କଫି ପିଇବା ଅନୁଚିତ୍ । କିପରି ଭାଙ୍ଗିବେ ଉପବାସ : ଉପବାସ ଭାଙ୍ଗିବାର କିଛି ନିୟମ ମଧ୍ୟ ରହିଛି । ଲୋକମାନେ ଉପବାସ ତ ରଖିଦିଅନ୍ତି ହେଲେ ତାକୁ କେମିତି ଭାଙ୍ଗାଯାଏ ତାହା ସେମାନେ ଜାଣିନଥାନ୍ତି । ତେଣୁ ସେମାନେ ଉପବାସ ଦ୍ବାରା ହେଉଥିବା ଲାଭରୁ ବଞ୍ଚିତ ହୋଇଥାନ୍ତି । ଦେଖାଯାଏ ଯେ, ଯେତେବେଳେ ମନ୍ଦିରମାନଙ୍କରେ ଭଗବାନ କୃଷ୍ଣଙ୍କର ଜନ୍ମ ଉତ୍ସବ ଶେଷ ହୋଇଥାଏ ଲୋକମାନେ ଭାତ, ରୁଟି ଏବଂ ଅନ୍ୟ ଖାଦ୍ୟପଦାର୍ଥକୁ ମହାପ୍ରସାଦଭାବେ ଗ୍ରହଣ କରିଥାନ୍ତି । ଏପରି କରିବା ଦ୍ବାରା ଶରୀରକୁ କ୍ଷତି ପହଞ୍ଚିଥାଏ । ଉପବାସ ଭାଙ୍ଗିବାର ପ୍ରାୟ ୧୨ଘଣ୍ଟା ପରେ ହିଁ କୌଣସି ଶଷ୍ୟ ଜାତୀୟ ଖାଦ୍ୟ ଏବଂ ଦୁଗ୍ଧ ଜାତୀୟ ଖାଦ୍ୟ ଗ୍ରହଣ କରନ୍ତୁ । ଗର୍ଭବତୀ ମହିଳା ଏବଂ ଉଚ୍ଚ ରକ୍ତଚାପ, ଅଲସର, ମଧୁମେହ ଆଦି ଭଳି ରୋଗ ଥିବା ବ୍ୟକ୍ତିବିଶେଷ ଏପ୍ରକାର ଉପବାସରୁ ଦୂରେଇ ରୁହନ୍ତୁ । ଯଦି କରିବାକୁ ଚାହୁଁଛନ୍ତି ତେବେ ଡାକ୍ତରଙ୍କ ପରାମର୍ଶ ଅବଶ୍ୟ ନିଅନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.