'ଟାଇମ୍ସ-ହିରୋଜ୍ ଅଫ୍ ୨୦୨୦' ତାଲିକାରେ ଭାରତୀୟ ବଂଶୋଦ୍ଭବ ରାହୁଲ, ଜର୍ଜ ଫ୍ଲଏଡ ହତ୍ୟା ପର ହିଂସା ବେଳେ ୭୦ ଲୋକଙ୍କୁ ନିଜ ଘରେ ଦେଇଥିଲେ ଆଶ୍ରୟ

Published By : Prameya-News7 Bureau | December 11, 2020 IST

ଓ୍ୱାଶିଂଟନ, ୧୧/୧୨:   ଆମେରିକାରେ କୃଷ୍ଣକାୟ ବ୍ୟକ୍ତି ଜର୍ଜ  ଫ୍ଲଏଡଙ୍କ ହତ୍ୟା ପରେ ବିରୋଧ ପ୍ରଦର୍ଶନରେ ସାମିଲ ୭୦ରୁ ଅଧିକ ଲୋକଙ୍କୁ ନିଜ ଘରେ ଆଶ୍ରୟ ଦେଇଥିବା ପ୍ରବାସୀ ଭାରତୀୟ ରାହୁଲ ଦୁବେଙ୍କୁ ସମ୍ମାନିତ କରାଯାଇଛି । ରାହୁଲଙ୍କୁ ଟାଇମ୍ସ ମାଗାଜିନର ହିରୋଜ୍ ଅଫ୍-୨୦୨୦ରେ ସାମିଲ କରାଯାଇଛି । ଏହାସହ ତାଙ୍କ ମାନବିକତା ପ୍ରଦର୍ଶନ ଓ କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରାଯାଇଛି ।

ମାଗାଜିନର ହିରୋଜ-ଅଫ୍-୨୦୨୦ରେ ଅଷ୍ଟ୍ରେଲିଆରେ ନିଆଁକୁ ଆୟତ୍ତ କରିଥିବା ବ୍ୟକ୍ତିଙ୍କ ନାଁ ରହିଛି । ଯିଏକି ନିଜ ଦେଶର ସୁରକ୍ଷା ପାଇଁ ସର୍ବଶ୍ୱ ବାଜିରେ ଲଗାଇଦେଇଥିଲେ । ସେହିପରି ସିଙ୍ଗାପୁରରେ ଖାଦ୍ୟ ଦ୍ରବ୍ୟ ବିକ୍ରି କରୁଥିବା ଜୈସନ ଚୁଆ ଓ ହୁଙ୍ଗ୍ ଝୋନଙ୍କ ନାଁ ମଧ୍ୟ ଏଥିରେ ରହିଛି । ଉଭୟ କୋଭିଡ-୧୯ ମହାମାରୀ ସମୟରେ ଅନେକ ଅସହାୟଙ୍କ ଭୋକ ମେଣ୍ଟାଇଥିଲେ ।  ଏତତ୍ ବ୍ୟତୀତ ଚିକାଗୋରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଚର୍ଚ୍ଚକୁ ହସ୍ପିଟାଲରେ ପରିବର୍ତ୍ତନ କରିଥିବା ପେଷ୍ଟର ରିସୋର୍ଣ୍ଣା ଓ ତାଙ୍କ ସ୍ୱାମୀ ଡାରିକ୍ ଫିଟଜପୋଟ୍ରିକଙ୍କ ନାଁ ମଧ୍ୟ ରହିଛି ।

ତେବେ ରାହୁଲ ଦୁବେଙ୍କୁ ପ୍ରଶଂସା କରି ଟାଇମ୍ସ ମାଗାଜିନ୍ କହିଛି ଯେ, ସେ ଅସହାୟଙ୍କୁ ଆଶ୍ରୟ ପ୍ରଦାନ କରିଥିଲେ । କାରଣ ଜୁନ ୧ ତାରିଖରେ ଓ୍ୱାଶିଂଟନର ରାଜରାସ୍ତାରେ ଜନତା ଆଫ୍ରିକା-ଆମେରିକୀୟ ବ୍ୟକ୍ତି ଜର୍ଜ ଫ୍ଲଏଡଙ୍କ ହତ୍ୟା ବିରୋଧରେ ପ୍ରଦର୍ଶନ କରିଥିଲେ । ସେହି ସମୟରେ ଦୁବେ ପ୍ରଦର୍ଶନକାରୀଙ୍କୁ ନିଜ ଘରେ ରହିବାକୁ ଦେଇଥିଲେ । ତାଙ୍କ ଘର ହ୍ୱାଇଟ୍ ହାଉସରୁ ବେଶୀ ଦୁରରେ ନଥିଲା ।

ଜୁନ ୧ ରେ ପୋଲିସ ରାସ୍ତାରେ କର୍ଫ୍ୟୁ ଲଗାଇଥିଲା ଓ ଉତ୍ୟକ୍ତ ଜନତାଙ୍କ ଉପରେ ପାଣିମାଡ କରିଥିଲା । ସେହି ସମୟରେ ଦୁବେ ନିଜ ଘରେ ପ୍ରଦର୍ଶନକାରୀଙ୍କୁ ରହିବା ପାଇଁ ବ୍ୟବସ୍ଥା କରିଥିଲେ । ଦୁବେ ଜଣେ ସ୍ୱାସ୍ଥ୍ୟକର୍ମୀ ମଧ୍ୟ । ପ୍ରାୟ ୭୦ରୁ ଅଧିକ ଲୋକ ତାଙ୍କ ଘରେ ଆଶ୍ରୟ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.