କାଠ ବୋଝେଇ ଯାତ୍ରୀବାହୀ ଅଟୋ ଜବତ, ଜେଲ୍ ଗଲେ ଅଭିଯୁକ୍ତ ବାପ- ପୁଅ
25/11/2020 at 10:40 PM

ଦିଗପହଣ୍ଡି,୨୫|୧୧: ଦିଗପହଣ୍ଡି ବ୍ଳକ ଚୌଧୁରୀ ଟିକରପଡ଼ା ଗାଁର ଅଟୋ ଚାଳକ ପ୍ରଶାନ୍ତ ସାହୁ ଏବଂ ତାଙ୍କ ବାପା ଗଦା ସାହୁଙ୍କୁ ଦିଗପହଣ୍ଡି ବନବିଭାଗ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛନ୍ତି। ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଦ୍ୱୟଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି।
ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ ୮ ଟାରେ ବନବିଭାଗ କର୍ମଚାରୀ ଭ୍ରମରପୁର-ଚାନ୍ଦପୁର ମୁଖ୍ୟରାସ୍ତାରେ ପାଟ୍ରୋଲିଂ କରୁଥିବା ବେଳେ ରାସ୍ତାରେ ଦ୍ରୁତଗତିରେ ଯାଉଥିବା ଏକ ଅଟୋ( ନଂ. ଓଡ଼ି ୦୭ ଡି- ୩୮୫୨ )କୁ ସନ୍ଦେହରେ ଅଟକାଇ ଖାନ ତଲାସ କରିଥିଲେ। ଏହି ସମୟରେ ଅଟୋରୁ ଜାମ କାଠ ପଟା ବନ ବିଭାଗର କର୍ମଚାରୀ ଜବତ କରିଥିଲେ।
ଜବତ କାଠ ପଟାକୁ ମାପ ଚୁପ କରିବାରୁ ସେସବୁ ୧୧.୫୪ ଘନଫୁଟ ହୋଇଥିବା ଡେପୁଟି ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକ କହିଛନ୍ତି। ବନପାଳ ତରୁଣେଶ୍ୱର ଶବରଙ୍କ ଏତଲା କ୍ରମେ ଦିଗପହଣ୍ଡି ବିଭାଗ ମାମଲା ନଂ. ୩୮୨/ ୨୦-୨୧ ଅନୁଯାୟୀ ଅଭିଯୁକ୍ତ ଦ୍ବୟଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇଥିବା ରେଞ୍ଜର ଜଣାଇଛନ୍ତି।