କୋଭିଡ ଟିକା ଯୋଗାଣ ଲାଗି ଏଯାଏଁ ପାକିସ୍ତାନରୁ ମିଳିନି ଅନୁରୋଧ: MEA
22/01/2021 at 10:33 PM

ନୂଆଦିଲ୍ଲୀ ୨୨।୧: ଭାରତ ଏବେ ପଡୋଶୀ ଦେଶଙ୍କୁ କୋଭିଡ-୧୯ ଟିକା ଯୋଗାଇ ଦେଉଛି। ତେବେ ଏଥିଲାଗି ନିକଟତମ ପଡୋଶୀ ପାକିସ୍ତାନ ପକ୍ଷରୁ କୌଣସି ଅନୁରୋଧ ମିଳିନଥିବା ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଅନୁରୋଗ ଶ୍ରୀବାସ୍ତବ ଶୁକ୍ରବାର କହିଛନ୍ତି। ସାପ୍ତାହିକ ମିଡିଆ ବ୍ରିଫିଙ୍ଗରେ ପଡ଼ୋଶୀ ଦେଶମାନଙ୍କୁ ଟିକା ଯୋଗାଣ ନେଇ ମୁଖପାତ୍ର ଗଣମାଧ୍ୟମକୁ ସୂଚିତ କରିବା ବେଳେ ଏହି ସୂଚନା ଦେଇଛନ୍ତି।

ଭାରତ ଏବେ ଭୁଟ୍ଟାନ, ନେପାଲ, ବାଂଲାଦେଶ, ମ୍ୟାଁମାର ଓ ମାଲଦ୍ୱୀପ ଆଦି ଦେଶଙ୍କୁ ଟିକା ଯୋଗାଇ ଦେଉଛି। କେବଳ ପଡୋଶୀ ଦେଶ ନୁହନ୍ତି ବିଶ୍ୱର ବିଭିନ୍ନ ଦେଶଙ୍କ ଲାଗି ଭାରତ ଏବେ ଟିକା ହବ୍ରେ ପରିଣତ ହୋଇଥିବା ମୁଖପାତ୍ର କହିଛନ୍ତି। ବିଶ୍ୱର ବିଭିନ୍ନ ଦେଶ ଭାରତକୁ ବାଣିଜ୍ୟିକ ଅଥବା ସହଯୋଗରେ ଟିକା ଯୋଗାଇ ଦେବାକୁ ଅନୁରୋଧ କରୁଥିବା ଶ୍ରୀବାସ୍ତବ କହିଛନ୍ତି।

ତେବେ ପଡୋଶୀ ହୋଇ ମଧ୍ୟ ପାକିସ୍ତାନ ପକ୍ଷରୁ ସହାୟତାରେ ହେଉ ଅଥବା ବାଣିଜ୍ୟିକ ଯୋଗାଣରେ ଟିକା ଲାଗି କୌଣସି ଅନୁରୋଧ ମିଳିନଥିବା ସେ କହିଛନ୍ତି। କୋଭିଡ-୧୯ ମହାମାରୀ ମୁକାବିଲା ଲାଗି ଭାରତର ଟିକା ଉତ୍ପାଦନ ଓ ଯୋଗାଣ କ୍ଷମତା ସମଗ୍ର ମାନବତା ଲାଗି ଉପଯୋଗ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ପୂର୍ବରୁ ଘୋଷଣା କରିଛନ୍ତି। ଏଣୁ କୋଭିଡ ଟିକା ଯୋଗାଣରେ ଭାରତ ଶତ୍ରୁ,ମିତ୍ରତାର ବିଚାର କରୁନଥିବା ବେଳେ ପାକିସ୍ତାନ କଣ ପାଇଁ ନିରବ ତାହା ଜଣାପଡିନାହିଁ ବୋଲି କହିଛନ୍ତି।

ସେହିପରି ଭାରତର ଜାନୁୟାରୀ ୧୯ ଘୋଷଣା ଅନୁସାରେ ପଡୋଶୀ ଦେଶଙ୍କ ଟିକାକରଣ ଲାଗି ଆମର ଅନୁଦାନ ସହାୟତାରେ ଜାନୁୟାରୀ ୨୦ରୁ ଆରମ୍ଭ ହୋଇଥିବା ଶ୍ରୀବାସ୍ତବ କହିଛନ୍ତି। ଏହି କ୍ରମରେ ପ୍ରଥମ ଦିନରେ ଭୁଟ୍ଟାନକୁ ଦେଢଲକ୍ଷ ଡୋଜ ଓ ମାଲଦ୍ୱୀପକୁ ୧ ଲକ୍ଷ ଡୋଜ ଟିକା ଯୋଗାଇ ଦିଆଯାଇଥିବାର ମୁଖପାତ୍ର ସୂଚିତ କରିଛନ୍ତି।

ସେହିପରି ଗୁରୁବାର ନେପାଳକୁ ୧୦ଲକ୍ଷ ଓ ବାଂଲାଦେଶକୁ ୨୦ଲକ୍ଷ ଡୋଜ ଟିକା ଯୋଗାଇ ଦିଆଯାଇଛି। ଶୁକ୍ରବାର ମ୍ୟାଁମାରକୁ ୧୫ଲକ୍ଷ, ମରିସସ୍ କୁ ୧ଲକ୍ଷ ଓ ସିସିଲସ୍କୁ ୫୦ ହଜାର ଡୋଜ ଟିକା ଏୟାରଲିଫ୍ଟ ହୋଇଥିବା ମନ୍ତ୍ରାଳୟ ମୁଖପାତ୍ର ସୂଚିତ କରିଚନ୍ତି।