ଦୀର୍ଘ ୧୫ ବର୍ଷ ପରେ ପାକିସ୍ତାନ ଜେଲରୁ ମୁକୁଳିଲେ ତିଲକ୍ ରାଜ: କହିଲେ ଭାରତୀୟ କଏଦୀଙ୍କୁ ଦିଆଯାଉଛି ଏଭଳି ନିର୍ଯାତନା

Published By : Prameya-News7 Bureau | December 06, 2019 IST

ନୂଆଦିଲ୍ଲୀ୬/୧୨: ଜଣେ ଭାରତୀୟ  ଦୀର୍ଘ ୧୫ ବର୍ଷଧରି ପାକିସ୍ତାନ ଜେଲରେ ସଜା କାଟିବା ପରେ ଏବେ ସେ ଫେରିଛନ୍ତି। ପାକିସ୍ତାନ ଜେଲରେ ଭାରତୀୟଙ୍କ ପ୍ରତି ହେଉଥିବା ନିର୍ଯାତନା ସଂପର୍କରେ ମୀରାନ ସାହିବର ବାସିନ୍ଦା ତିଲକ ରାଜ ପର୍ଦ୍ଦାଫାଶ କରିଛନ୍ତି। ୨୦୦୪ ମସିହାରେ ତିଲକ ଓ ତାଙ୍କ ଜଣେ ବନ୍ଧୁ ଭାରତ ସୀମା ଅତିକ୍ରମ କରି ପାକିସ୍ତାନରେ ପ୍ରବେଶ କରିଥିଲେ।  ପାକିସ୍ତାନରେ ପହଞ୍ଚିବା ପରେ ତିଲକଙ୍କ ବନ୍ଧୁ କୁଆଡ଼େ ଚାଲି ଯାଇଥିଲେ। ସେ କିଛି ବିକଳ୍ପ ନ ପାଇ ପାକିସ୍ତାନର ଗୁଜରାନଓ୍ବାଲା ସହରରେ ଥିବା ଏକ ହୋଟେଲରେ ଆଶ୍ରୟ ନେଇଥିଲେ।

ପାକିସ୍ତାନ ପୋଲିସ ହୋଟେଲ ଉପ​‌ରେ ଚଢ଼ଉ କରି ତିଲକ ରାଜଙ୍କୁ ଗିରଫ କରିଥିଲା।  ତାଙ୍କ ପାଖରେ କୌଣସି ପ୍ରମାଣପତ୍ର ନ ଥିବାରୁ ତାଙ୍କୁ ପୋଲିସ ଗିରଫ କରି ଲଖପତ ଜେଲକୁ ପଠାଇ ଦେଇଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ଲାହୋର ଜେଲ​‌କୁ ପଠାଇ ଦିଆଯାଇଥିଲା। ଗତ ନଭେମ୍ବର ମାସରେ ତିଲକ ରାଜ ଜେଲରୁ ମୁକୁଳି ଥିଲେ।

ପାକିସ୍ତାନ ଜେଲରେ ୧୫ ବର୍ଷର ଅଭିଜ୍ଞତା ସଂପର୍କରେ ତିଲକ ରାଜ ପ୍ରକାଶ କରିଛନ୍ତି। ସେ କହିଛନ୍ତି ପାକିସ୍ତାନ ଜେଲରେ ଭାରତୀୟ କଏଦୀଙ୍କୁ ବହୁତ ନିର୍ଯାତନା ଦିଆଯାଉଛି। ଏପରି କି ଅଧିକାଂଶ ସମୟରେ ଭାରତୀୟ କଏଦୀଙ୍କ ଖାଦ୍ୟପେୟ ବନ୍ଦ କରି ଦିଆଯାଉଛି। ପ୍ରତିବାଦ କଲେ ପାକିସ୍ତାନ ପୋଲିସ ଭାରତୀୟ କଏଦୀଙ୍କୁ ମାରପିଟ୍‌ କରୁଛି। ତେଣୁ ଦୀର୍ଘ ୧୫ ବର୍ଷ ପାକିସ୍ତାନ ଜେଲରେ କାଟିବା ତାଙ୍କ ଜୀବନର ଏକ ବଡ଼ ଚ୍ୟାଲେଞ୍ଜ ଥିଲା ବୋଲି ତିଲକ ରାଜ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.