ଟିକ୍‌ଟକ୍‌ ଉପରେ ବ୍ୟାନର ପ୍ରଭାବ: ପ୍ରତି ଘଣ୍ଟାରେ ୧ ଲକ୍ଷ ଥର ଡାଉନଲୋଡ୍ ହେଉଛି ଏହି ଦେଶୀ ଆପ୍

Published By : Prameya-News7 Bureau | June 30, 2020 IST

ନୂଆଦିଲ୍ଲୀ ୩୦।୦୬: ଚୀନର ଟିକ୍‌ଟକ୍‌କୁ ଟକ୍କର ଦେଉଥିବା ଭାରତୀୟ ଆପ୍‌ ଚିଙ୍ଗାରୀର ଲୋକ ପ୍ରିୟତା ଦ୍ରୁତ ଗତିରେ ବଢିବାରେ ଲାଗିଛି। ଭାରତ ସରକାର ଦ୍ଵାରା ଟିକ୍‌ଟକ୍‌କୁ ବ୍ୟାନ୍ କରିବା ପରେ ଚିଙ୍ଗାରୀ ଆପ୍‌ ଡାଉନଲୋଡ୍‌ ଅହେତୁକ ବୃଦ୍ଧି ପାଇଛି। ଚିଙ୍ଗାରୀର ସହ ସଂସ୍ଥାପକ ତଥା ମୁଖ୍ୟ ପ୍ରଡକ୍ଟ ଅଫିସର ସୁମିତ ଘୋଷ ଟ୍ଵିଟ୍‌ କରି କହିଛନ୍ତି ଯେ, ଚିଙ୍ଗାରୀ ଆପ୍‌କୁ ପ୍ରତି ଘଣ୍ଟାରେ ଏକ ଲକ୍ଷ ଥର ଡାଉନଲୋଡ୍‌ କରାଯାଉଛି। କେବଳ ଏତିକି ନୁହେଁ ଏହି ଆପ୍‌ର ଭ୍ୟୁଜ୍‌ ପ୍ରତି ୩୦ ମିନିଟ୍‌ରେ ୧୦ ଲକ୍ଷ  ପର୍ଯ୍ୟନ୍ତ ବଢିବାରେ ଲାଗିଛି। ଫଳସ୍ଵରୂପ ଅଧିକରୁ ଅଧିକ ଡାଉନଲୋଡ୍‌  କାରଣରୁ ଚିଙ୍ଗାରୀ ଆପ୍‌ର ସର୍ଭର ଡାଉନ୍ ହୋଇ ଯାଇଛି। ଏହା ପରେ ଆପ୍‌ର ସହ ସଂସ୍ଥାପକ ଟ୍ଵିଟ୍‌ରରେ ଲୋକଙ୍କୁ ଧୈର୍ଯ୍ୟ ଧରିବାକୁ ଅପିଲ୍ କରିଛନ୍ତି।

wp:html /wp:html

ଟିକ୍‌ଟକ୍‌ର ଦେଶୀ ବିକଳ୍ପ ହେଉଛି ଚିଙ୍ଗାରୀ

ଚିଙ୍ଗାରୀ ଆପ୍‌ରେ ଭିଡିଓକୁ ଅପଲୋଡ୍‌ ଓ ଡାଉନଲୋଡ୍ କରାଯାଇ ପାରିବ। ଏହା ବ୍ୟତୀତ ଏହି ଆପ୍‌ରେ ସାଙ୍ଗମାନଙ୍କ ସହ ଚାଟିଙ୍ଗ୍‌, ନୂଆ ଲୋକଙ୍କ ସହ କଥାବାର୍ତ୍ତା, ଫିଡ୍ ଜରିଆରେ ବ୍ରାଉଜିଂ ସହିତ ହ୍ଵାଟ୍ସଆପ୍‌ ଷ୍ଟାଟସ୍, ଅଡିଓ କ୍ଲିପ୍ସ, ଜିଆଇଏଫ ଷ୍ଟିକର୍ସ ଓ ଫଟୋ ସହିତ କ୍ରିଏଟିଭ୍ କରାଯାଇ ପାରିବ।

ଚାଇନିଜ୍‌ ଆପ୍‌ ବ୍ୟାନ୍ ପରେ ବଢିଲା ଡାଉନଲୋଡ୍‌

ଟିକ୍‌ଟକ୍‌ ସମେତ ୫୯ ଚାଇନିଜ୍ ଆପ୍‌କୁ ସରକାର ନିଷିଦ୍ଧ ଘୋଷଣା କରିବା ପରେ ଦେଶରେ ଚିଙ୍ଗାରୀ ଆପ୍‌ର ଡାଉନଲୋଡ୍‌ ବୃଦ୍ଧି ଘଟିଛି। ଉଲ୍ଲେଖଯୋଗ୍ୟ, ଏକ ମାସରୁ ଅଧିକ ସମୟ ହେବ ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଅଧିକ ଘନୀଭୂତ ହେବାରେ ଲାଗିଛି।

୨୫ ଲକ୍ଷରୁ ଅଧିକ ଡାଉନ୍‌ଲୋଡ୍

ଚିଙ୍ଗାରୀ ଆପ୍‌ ଏ ପର୍ଯ୍ୟନ୍ତ ପ୍ଲେ ଷ୍ଟୋରରୁ ୨୫ ଲକ୍ଷରୁ ଅଧିକ ଥର ଡାଉନଲୋଡ୍‌ ହୋଇ ସାରିଛି। ଆପ୍‌ ଲଞ୍ଚ ହେବା ମାତ୍ରେ ଏହା ବହୁଳ ଲୋକପ୍ରିୟତା ହାସଲ କରିଥିଲା। ପ୍ରଥମ ୭୨ ଘଣ୍ଟାରେ ଏହି ଆପ୍‌ ୫ ଲକ୍ଷ ଥର ଡାଉନଲୋଡ୍‌ ହୋଇଥିଲା। ଆପ୍ ସଂପ୍ରତି ଇଂରାଜୀ ବ୍ୟତୀତ ୯ଟି ଭାଷାରେ ଉପଲବ୍ଧ। ଆପ୍ ହିନ୍ଦୀ, ବାଂଲା, ଗୁଜରାଟି, ମରାଠି, କନ୍ନଡ, ପଞ୍ଜାବି, ମାଲାୟାଲମ, ତାମିଲ ଓ ତେଲଗୁ ଭାଷାରେ ସପୋର୍ଟ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.