ପାର୍କରେ ହଟହଟା ହେଲେ ଯୁବକ- ଯୁବତୀ: ଛାଡ଼ିଗଲା ଟିକଟକ୍ ନିଶା, ଲାଇକ୍ ପାଇଁ ହାତରେ ପଡିଲା ହାତକଡ଼ି

Published By : Prameya-News7 Bureau | June 05, 2020 IST

ଭୁବନେଶ୍ୱର୫/୬: ପଞ୍ଜୁରୀରୁ ଜନ୍ତୁ ବାହାରିଲା ପରେ ଯେମିତି ହୁଏ ଲକ୍‌ଡାଉନ୍‌ ନିୟମ ସାମାନ୍ୟ କୋହଳ ପରେ ସେମିତି ହେଉଛନ୍ତି ଟିକ୍‌ଟକ୍‌ ୟୁଜର । କରୋନା ମହାମାରୀ ନିୟମକୁ ଦଳିମକଚି ଦେଉଛନ୍ତି । ବୁଲି ବୁଲି ଟିକ୍‌ଟକ୍‌ ସେଲିବ୍ରେସନ୍‌ କରୁଛନ୍ତି । କିଏ ପ୍ରେମିକାକୁ ଧରି ପାର୍କରେ ଭିଡିଓ କଲାଣି ତ, ପୁଣି କାହା ବାଇକ୍‌ ସ୍ପିଡ୍‌ ୧୦୦ ଟପିଲାଣି । କାର୍‌ ଭିତରେ ଡ୍ରେସ୍‌ ବଦଳାଇବା ବେଳେ କିଏ ଭିଡିଓ କରୁଛି ତ’ କିଏ ବାଥରୁମ୍‌ରେ । ଲାଇକ୍‌ ପାଇବା ଆଶାରେ ଜନଗହଳିପୂର୍ଣ୍ଣ ସ୍ଥାନରେ ଯୁବତୀମାନେ ଅର୍ଦ୍ଧନଗ୍ନ ଓ ଉତ୍ତେଜିତ ପୋଷାକ ପିନ୍ଧି ଭିଡିଓ କରୁଛନ୍ତି ।

ଗୁରୁବାର ଏମିତି କିଛି ପ୍ରେମୀ ଯୁଗଳଙ୍କୁ ଆଇଜି ପାର୍କରୁ ଧରିଥିଲା କ୍ୟାପିଟାଲ୍‌ ଥାନା ପୁଲିସ୍‌ । ସେମାନଙ୍କୁ ଥାନାକୁ ନେଇ ପୁଲିସ୍‌ ୫ ଶହ ଟଙ୍କା ଲେଖାଏଁ ଫାଇନ୍‌ କାଟି ଛାଡ଼ି ଦେଇଛି । ପୂରା ଘଟଣା ଏମିତି ଜଗତସିଂହପୁରର ରୂପକ ସାହୁ ତାଙ୍କ ପ୍ରେମିକା ଇତିଶା (ଛଦ୍ମନାମ)ଙ୍କୁ ଧରି ଗୁରୁବାର ପୂର୍ବାହ୍ଣରେ ପହଞ୍ଚିଥିଲେ ଆଇଜି ପାର୍କରେ । କିଛି ସମୟ ପରେ ସେଠାକୁ ଆସିଥିଲେ ପୁରୁଣା ଭୁବନେଶ୍ୱରରେ ରହୁଥିବା ତାଙ୍କର ୩ ଜଣ ପୁରୁଷ ବନ୍ଧୁ ଓ ଜଣେ ଅନ୍ୟ ଜଣେ ଯୁବତୀ । ପାର୍କରେ ପହଞ୍ଚିଲା ପରେ ମ୍ୟୁଜିକ୍‌ ସ୍ପିକର ଲଗାଇ ଆରମ୍ଭ କରିଥିଲେ ଡ୍ୟାନ୍ସ । ନା’ କିଏ ମାସ୍କ ପିନ୍ଧିଥିଲା ନା ସାମାଜିକ ଦୂରତା ପାଳନ କରୁଥିଲେ । ସିନେମା ସୁଟିଂ ସମୟରେ ଯେମିତି ଟେକ୍‌ ନିଆଯାଏ ସେମିତି ମଧ୍ୟ ଚାଲିଥିଲା । କିଏ ଗଛକୁ କୁଣ୍ଢାଇ ପକାଉଥିଲା ତ’ ପୁଣି କିଏ ଯୁବତୀଙ୍କୁ ଧରି ଘାସ ଗାଲିଚାରେ ଗଡ଼ି ଯାଉଥିଲା । ଗୋଟିଏ ଗୀତର ସୁଟିଂ ପରେ ୨ ଜଣ ଯୁବତୀ ପାର୍କ ଶୌଚାଳୟରେ ଡ୍ରେସ୍‌ ବଦଳାଇ ଆସୁଥିଲେ ।

ଯୁବକମାନେ ସମସ୍ତଙ୍କ ଉପସ୍ଥିତିରେ ସାର୍ଟ ବଦଳାଉ ଥିଲେ । ପରିବାର ଧରି ପାର୍କକୁ ଆସିଥିବା ଲୋକ ଏହା ଦେଖି ଲଜ୍ଜିତ ହୋଇଥିଲେ । କିଛି ବରିଷ୍ଠ ନାଗରିକ ପୁଲିସ୍‌ କଣ୍ଟ୍ରୋଲ୍‌ ରୁମ୍‌ (୧୦୦)କୁ ଫୋନ୍‌ କରି ଘଟଣା ବିଷୟରେ ଜଣାଇଥିଲେ । ଖବରପାଇ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚିଥିଲେ କ୍ୟାପିଟାଲ୍‌ ଥାନା ଏଏସ୍‌ଆଇ ବାଲ୍ମିକୀ ବେହୁରା ଓ ଅନ୍ୟ ୨ ଜଣ କର୍ମଚାରୀ। ରୂପକଙ୍କ ପ୍ରେମିକା ଇତିଶା ପୁଲିସକୁ କହିଥିଲେ, ମୁଁ ମର୍ଣ୍ଣିଂ ୱାକ୍‌ରେ ଆସିଥିଲି । ମୋର ଫ୍ୟାନ୍‌ ଦେଖା ହୋଇଗଲେ, ବାଧ୍ୟ କରିବାରେ ମୁଁ ଗୋଟିଏ ଭିଡିଓ କରିଦେଲି । ପୁଲିସ୍‌ ତାଙ୍କୁ ପଚାରିଥିଲା ଜିନ୍‌ସ ଓ ହାଇ ହିଲ୍‌ ପିନ୍ଧି କିଏ ଦିନ ସାଢ଼େ ୧୧ଟା ବେଳେ ମର୍ଣ୍ଣିଂ ୱାକ୍‌ କରେ । ଏହାପରେ ଇତିଶା ବାଉଳି ଚାଉଳି ହୋଇ ଯାଇଥିଲେ ।

ପୁଲିସ୍‌ ୨ ଯୁବତୀ ଓ ୪ ଜଣ ଯୁବକଙ୍କୁ ଥାନାକୁ ନେଇଥିଲା । ଥାନାରେ ପୁଲିସ୍‌ ଜଣ ପିଛା ୫ ଶହ ଟଙ୍କା ଲେଖାଏଁ ଜରିମାନା କାଟି ସେମାନଙ୍କୁ ଛାଡି ଦେଇଥିଲା । ଶୌଚାଳୟରେ ଡ୍ରେସ୍‌ ଛାଡ଼ି ଦେଲେ ଟିକ୍‌ଟକ୍‌ରେ ଭିଡିଓ ପୋଷ୍ଟ କରି ଲାଇକ୍‌ ପାଇବା ନିଶା ଏବେ ଯୁବପିଢ଼ିଙ୍କୁ ଘାରିଛି । କିଏ ପାଠପଢ଼ା ଛାଡ଼ି ଦେଲାଣି ତ’ପୁଣି କିଏ ପରିବାର । ଆଜି ଆଇଜି ପାର୍କରେ ଯେତେବେଳେ ପୁଲିସ୍‌ ଚଢ଼ଉ କରିଥିଲା ସେତେବେଳେ ଜଣେ ଯୁବତୀ ଶୌଚାଳୟ ଭିତରେ ଡ୍ରେସ୍‌ ବଦଳାଉଥିଲେ । ପୁଲିସ୍‌ ଆସିବା ଖବରପାଇ ତରବର ହୋଇ ସେଠାରୁ ପଳାଇ ଆସିଥିଲେ ।

ଶୌଚାଳୟ ଭିତରେ ରହି ଯାଇଥିଲା ତାଙ୍କର ଡ୍ରେସ୍‌ । ପୁଲିସ୍‌ ସମସ୍ତଙ୍କ ଥାନାକୁ ନେଇଥିଲା । ଥାନାରୁ ଫେରିବା ପରେ ଶୌଚାଳୟରୁ ଡ୍ରେସ୍‌ ନେଇଥିଲେ ଯୁବତୀ । ଏବେ ପିସିଆର୍‌ ଉଠାଇ ନେବ ଅନେକ ଯୁବକ ଓ ଯୁବତୀ ଟିକ୍‌ଟକ୍‌ କରିବା ପାଇଁ ସ୍ଥାନ, କାଳ, ପାତ୍ର ଦେଖୁ ନାହାନ୍ତି । ଆଇଜି ପାର୍କ, ବିଜୁ ପଟ୍ଟନାୟକ ପାର୍କ, ଶିଶୁଭବନ ଛକ ଓ ମାଷ୍ଟର କ୍ୟାଣ୍ଟିନ୍‌ ଛକରେ ବିଭିନ୍ନ ପୋଜ୍‌ରେ ଭିଡିଓ ସୁଟିଂ କରି ପୋଷ୍ଟ କରୁଛନ୍ତି । କରୋନା ଭୟରେ ଏମାନେ ଘରେ ରହିବେ କ’ଣ ଭିଡିଓ କରି ସାଧାରଣ ଲୋକଙ୍କୁ ଅନେକ ହଇରାଣ କରୁଛନ୍ତି । ମାସ୍କ ପିନ୍ଧୁ ନାହାନ୍ତି କି ସାମାଜିକ ଦୂରତା ମାନୁନାହାନ୍ତି ।

ଏହାକୁ ନେଇ ପୁଲିସ୍‌ ଏବେ ଚିନ୍ତାରେ ପଡିଛି । ଆଇଜି ପାର୍କ ଘଟଣା ପରେ ଡିସିପି ଅନୁପ ସାହୁ କହିଛନ୍ତି, ଯଦି କିଏ ସର୍ବସାଧାରଣ ସ୍ଥାନରେ ଉଚ୍ଚ ଶବ୍ଦରେ ମ୍ୟୁଜିକ୍‌ ବଜାଇ ଭିଡିଓ କରୁଥିବ ତେବେ ପିସିଆର ଭ୍ୟାନ୍‌ ଘଟଣାସ୍ଥଳକୁ ଯାଇ ତାଙ୍କୁ ଉଠାଇ ଆଣିବ । ଲିଖିତ ଅଭିଯୋଗ ମିଳିଲେ ପୁଲିସ୍‌ ଆଇନ୍‌ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.