ଅହମ୍ମଦାବାଦ ୨୮|୪: ଆଜିକାଲି ଫେସ୍ବୁକ୍ ଏବଂ ଇନ୍ଷ୍ଟାଗ୍ରାମଠାରୁ ଯୁବପୀଢି ଅଧିକ ଟିକ୍ଟକ୍କୁ ପସନ୍ଦ କରୁଛନ୍ତି । କିଛି ଦିନ ପୂର୍ବରୁ ଏହି ଟିକ୍ଟକ୍ ଆପ୍ ଉପରେ ରୋକ୍ ଲାଗିଥିଲେ ମଧ୍ୟ ଏବେ ଏହା ହଟିଯାଇଛି । ଏହି ଆପ୍ ମାଧ୍ୟମରେ ଜଣେ ଯୁବକ ଏବଂ ଜଣେ ଯୁବତୀଙ୍କ ମଧ୍ୟରେ ପ୍ରେମ ହୋଇଥିଲା । ଦୁହେଁ ବିବାହ ମଧ୍ୟ କରିଥିଲେ । ମାତ୍ର ବିବାହର ୪୮ଘଣ୍ଟା ପରେ ତଲାକ୍ ପର୍ଯ୍ୟନ୍ତ କଥା ଆସିଥିଲା ।
ଏଭଳି ଘଟଣା ଦେଖିବାକୁ ମିଳିଛି ଗୁଜୁରାଟ ଅହମ୍ମଦାବାଦରେ । ଜଣେ ୨୧ବର୍ଷୀୟ ଯୁବକ ଟିକ୍ଟକ୍ ଆପ୍ରେ ଜଣେ ୧୯ବର୍ଷୀୟ ଯୁବତୀଙ୍କ ଭିଡିଓଙ୍କୁ ଲାଇକ୍ କରିଥିଲେ । ଯୁବତୀ ଜଣଙ୍କ ବ୍ୟୁଟିସିଆନ୍ ଭାବେ କାର୍ଯ୍ୟରତ ଥିଲେ । ଟିକ୍ଟକ୍ରେ ଯୁବକଙ୍କ ସେହି ଲାଇକ୍ ପରେ ଉଭୟେ ଉଭୟଙ୍କୁ ଫଲୋ କରିଥିଲେ । ପରେ ଉଭୟଙ୍କ ମଧ୍ୟରେ ଚାଟିଂରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା । ଏହିଭଳି କିଛିଦିନ କଥାବାର୍ତ୍ତା ପରେ ଯୁବକ ଜଣଙ୍କ ଯୁବତୀଙ୍କ ଜନ୍ମଦିନ ଅବସରରେ ପ୍ରେମ ନିବେଦନ କରିଥିଲେ । ଯୁବତୀ ମଧ୍ୟ ଯୁବକଙ୍କ ପ୍ରେମ ନିବେଦନକୁ ସ୍ବୀକାର କରିଥିଲେ । ଏହାପରେ ଉଭୟଙ୍କ ମଧ୍ୟ ସଂପର୍କ ଗଭୀର ହୋଇଥିଲା । ଦୁହେଁ ଦୁହିଁଙ୍କ ସହ ସାରା ଜୀବନ ବିତାଇବା ପାଇଁ ନିଷ୍ପତ୍ତି ମଧ୍ୟ ନେଇଥିଲେ ।
ଏହାପରେ ଉଭୟେ କାହାକୁ କିଛି ନକହି ଲୁଚିଛପି ବିବାହ କରିଥିଲେ । ବିହାହ ପରେ ଉଭୟ କୋର୍ଟରେ ବିବାହ ପାଇଁ ଆବେଦନ କରି ଯିଏ ଯାହା ଘରକୁ ଚାଲିଯାଇଥିଲେ । କିଛି ଦିନ ପରେ ଯୁବକ ଜଣଙ୍କ ଯୁବତୀଙ୍କ ଫୋନ୍ ଉଠାଇନଥିଲେ ଏବଂ ମେସେଜର ରିପ୍ଲାଏ ମଧ୍ୟ ଦେଇନଥିଲେ । ଏହାପରେ ଯୁବତୀ ଜଣଙ୍କ ରାଗରେ ମହିଳା ହେଲ୍ପଲାଇନ୍ ୧୮୧ କୁ ଫୋନ୍ କରି ସହାୟତା ମାଗିଥିଲେ । ଏହାପରେ ମହିଳା ହେଲ୍ପଲାଇନ୍ ଟିମ୍ ଉଭୟଙ୍କୁ ଥାନାକୁ ଡକାଇଥିଲେ ଏବଂ ଉଭୟଙ୍କୁ ବୁଝାଇଥିଲେ । ମାତ୍ର କିଛି ଲାଭ ହୋଇନଥିଲା । ଯୁବକ ଜଣଙ୍କ ତାଲାକ ଦେବା ପାଇଁ ଆଡି ବସିଥିଲେ । ମାତ୍ର ଯୁବତୀ ତଲାକ୍ ଚାହୁଁନଥିଲେ । ବିବାହ ପଞ୍ଜୀକରଣ ହେବା ପୂର୍ବରୁ ମାତ୍ର ୪୮ଘଣ୍ଟା ଭିତରେ ଉଭୟ ଅଲଗା ହୋଇଯାଇଥିଲା ।