ଚର୍ଚ୍ଚ ସାମ୍ନାରେ ପ୍ରେମିକା ସହ ଅଶ୍ଳୀଳ ଫଟୋସୁଟ୍ କରି ଫସିଲେ ଟିକଟକ୍ ଷ୍ଟାର: ୧୦ ମାସ ଜେଲ ଦଣ୍ଡ ଦେଲେ କୋର୍ଟ

Published By : Prameya-News7 Bureau | October 30, 2021 IST

ମସ୍କୋ ୩୦/୧୦ : ମସ୍କୋରେ ଏକ ଦମ୍ପତି ରେଡ ସ୍କ୍ୱାୟରରେ ଏକ ଚର୍ଚ୍ଚ ସାମ୍ନାରେ ଅଶ୍ଳୀଳ ପୋଜରେ ଫୋଟୋ ଉଠାଇ ସୋସିଆଲ ମିଡ଼ିଆରେ ସେୟାର କଲେ। ଟିକଟକ ଷ୍ଟାର ଓ ତାଙ୍କ ପ୍ରେମିକାଙ୍କୁ ଏଥିପାଇଁ ୧୦ ମାସ ପାଇଁ ଜେଲ ଦଣ୍ଡ ହୋଇଛି। ମସ୍କୋରେ ସେଣ୍ଟ ବେସିଲ କ୍ୟାଥେଡ୍ରାଲ ଚର୍ଚ୍ଚ ସାମ୍ନାରେ ଅଶ୍ଳୀଳ ଫଟୋଶୁଟ କରିବା ପରେ ମସ୍କୋର ଟାୱର୍ସକୋଡ ଜିଲ୍ଲା ଅଦାଲତ ଶନିବାର ଦିନ ଦୁହିଁଙ୍କୁ ଜେଲ ପଠାଇ ଦେଇଛନ୍ତି।

ତାଜିକ ନାଗରିକ ରସଲାନ ବୋବିଭ ଓ ଋଷର ଅନାସ୍ତାସିୟା ଚିସ୍ତୋବାଙ୍କୁ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବା ଯୋଗୁଁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଦମ୍ପତି ସେପ୍ଟେମ୍ବରରେ ଏହି ଫଟୋ ପୋଷ୍ଟ କରିଥିଲେ। ଏହାପରେ ବିବାଦ ମୁଣ୍ଡ ଟେକିଥିଲା ଓ ଦମ୍ପତିଙ୍କୁ ହେପାଜତକୁ ନିଆଯାଇଥିଲା। ଫଟୋରେ ମହିଳା ଋଷି ପୋଲିସ ଜ୍ୟାକେଟ ପିନ୍ଧିଥିବା ଦେଖାଯାଇଥିଲା। ଫଟୋ ସହ କ୍ୟାପ୍ସନ ଦିଆଯାଇଥିଲା, 'ଦ ଲେବର କୋଡ଼ ଇଜ ନଟ ଦ କ୍ରିମିନାଲ (କୋଡ଼), ୟୁ କ୍ୟାନ ବ୍ରେକ ଇଟ୍'

ଅଶ୍ଳୀଳ ଫଟୋ ଭାଇରାଲ ହେବାପରେ ରସଲାନ ଏକ ଭିଡିଓ ରେକଡିଂ କରି ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବାରୁ କ୍ଷମା ମାଗିଥିଲେ। ରସଲାନ ଆଗକୁ କେବେ ଏମିତି କରିବେନି ବୋଲି ପ୍ରତିଶୃତି ଦେଇଥିଲେ। ରସଲାନ ଜଣେ ଲୋକପ୍ରିୟ ଭିଡିଓ ବ୍ଲଗର। ସେ ଅଜଣା ଲୋକଙ୍କ ସହ ପ୍ରାଙ୍କ ଭିଡିଓ କରନ୍ତି। ପୂର୍ବରୁ ମଧ୍ୟ ସେ ମସ୍କୋ ପୋଲିସ ସହ ଅନେକ ପ୍ରାଙ୍କ କରିଥିବା ନଜର ଆସିଛନ୍ତି।

ଲୋକଙ୍କ ପ୍ରତିକ୍ରିୟା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରସଲାନଙ୍କୁ ଗିରଫ କରିଥିଲା। ତାଙ୍କୁ ୧୦ ମାସ ଜେଲ ଦଣ୍ଡ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.