ନଦୀ ଭିତରେ ଟିକଟକ୍ କରୁଥିଲେ, ବୁଡିଗଲେ ଯୁବକ
16/06/2020 at 6:50 PM

ପଟ୍ଟାମୁଣ୍ଡାଇ, ୧୬|୦୬: ଯୁବପିଢୀଙ୍କୁ ଘାରିଛି ଟିକଟକ୍ ନିଶା । ଟିକଟକ୍ ଷ୍ଟାର ହେବା ପାଇଁ ରେସ୍ ଲାଗିଛି । କାହାର ଭିଡିଓରେ କେତେ ଲାଇକ୍ ଆସିବ ତାକୁ ନଜରରେ ରଖି ତିଆରି ହେଉଛି ଭିନ୍ନ ପ୍ରକାର ଭିଡିଓ । ବେଳେବେଳେ ଅତି ବିପଦପୂର୍ଣ୍ଣ ଭିଡିଓ ସୁଟିଂ କରିବାକୁ ପଛାଉ ନାହାଁନ୍ତି ଟିକଟକ୍ ୟୁଜର୍ । ଭିଡିଓ ପାଇଁ ବିପଦ ମୁହଁକୁ ଚାଲିଯାଉଛନ୍ତି । ଫଳରେ ଅକାଳରେ ଚାଲିଯାଉଛି ଜୀବନ । ଏପରି ଏକ ଘଟଣା କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଇରେ ଘଟିଯାଇଛି ।
ସୂଚନାନୁସାରେ, ମଙ୍ଗଳବାର ପଟ୍ଟାମୁଣ୍ଡାଇ ବ୍ରାହ୍ମଣୀ ନଦୀ ନାହିଆଡିଆ କୁଳରେ ୪ଜଣ ଯୁବକ ରଜ ମଉଜ କରିବା ସହ ଭୋଜିଭାତର ଆୟୋଜନ କରୁଥିଲେ । ଏହାସହ ବାଦ୍ୟଯନ୍ତ୍ର ବଜାଇ ନାଚ ମଧ୍ୟ କରୁଥିଲେ । ଏହାପରେ ସେମାନେ ନଦୀ ଭିତରକୁ ଚାଲିଯାଇ ଟିକଟକ୍ ସୁଟିଂ କରୁଥିଲେ । ତେବେ ନଦୀରେ ପାଣି ଅଧିକ ଥିବାରୁ ଜଣେ ଯୁବକ ଭିଡିଓ ସୁଟିଂ ବେଳେ ବୁଡି ଯାଇ ପ୍ରାଣ ହରାଇଥିଲେ । ତେବେ ମୃତକଙ୍କ ପରିଚୟ ମିଳିପାରି ନାହିଁ । ସ୍ଥାନୀୟ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।