ଭାରତ ପରେ ଚୀନ୍ ଉପରେ ଆମେରିକାର ଡିଜିଟାଲ୍ ଷ୍ଟ୍ରାଇକ୍ : ବ୍ୟାନ୍ ହେବ ଟିକ୍‌ଟକ୍ ! ବିକଳ୍ପ ଉପରେ ବିଚାର କରୁଛନ୍ତି ଟ୍ରମ୍ପ

Published By : Prameya-News7 Bureau | August 01, 2020 IST

ୱାସିଂଟନ ୦୧/୦୮ : ଚୀନକୁ ଆଉ ଏକ ଝଟକା ଲାଗିଛି | ଭାରତ ପରେ ଆମେରିକା ମଧ୍ୟ ଯେକୌଣସି ସମୟରେ ଚାଇନା ଆପ ଟିକଟକ ବ୍ୟାନ କରିପାରେ | ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟିକଟକ ବ୍ୟାନ କରିବାକୁ ଯୋଜନା କରୁଛନ୍ତି | ଏଥିପାଇଁ ସେ କିଛି ବିକଳ୍ପ ଉପରେ ମଧ୍ୟ ବିଚାର କରୁଛନ୍ତି | କାରଣ ପ୍ରକୋପ ପରେ ଟ୍ରମ୍ପ ଚୀନ ଉପରେ ଅତ୍ୟନ୍ତ ଖପ୍ପା ଅଛନ୍ତି | ଚୀନ ସହିତ ଜଡିତ କମ୍ପାନୀଗୁଡିକ ଉପରେ ଭାରତ ସରକାରଙ୍କ ଡିଜିଟାଲ ଷ୍ଟ୍ରାଇକ ଜାରି ରହିଛି | ଭାରତ ଗତ ସପ୍ତାହରେ ୪୭ ଚାଇନା ଆପ ବ୍ୟାନ କରିଛି | ଏହା ପୂର୍ବରୁ ଭାରତ ସରକାର ଚୀନର ୫୯ ଆପ ବ୍ୟାନ କରିସାରିଥିଲେ | ଏଥିରେ ଟିକଟକ ମଧ୍ୟ ସାମିଲ ଥିଲା | ଗତ ସପ୍ତାହରେ ବ୍ୟାନ ହୋଇଥିବା ୪୭ ଆପ ମଧ୍ୟରେ ଅଧିକାଂଶ କ୍ଲୋନିଙ୍ଗ ଆପ ସାମିଲ ଥିଲା | ଅର୍ଥାତ ପୂର୍ବରୁ ବ୍ୟାନ ହୋଇଥିବା ଆପ ଭଳି ନକଲି ଆପ | ଏହିସବୁ ଆପ ୟୁଜର୍ସଙ୍କ ଡାଟା ଚୋରି କରୁଥିବା ଅଭିଯୋଗ ହୋଇଥିଲା | ଗଲୱାନ୍‌ ଘାଟିରେ ଭାରତ-ଚୀନ ମଧ୍ୟରେ ହିଂସା ଘଟଣା ପରେ ଭାରତ ସରକାର ଏହିଭଳି ପଦକ୍ଷେପ ନେଇଥିଲେ |

CNBC ଖବର ଅନୁସାରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟିକଟକକୁ ନେଇ ଖୁବ ଶୀଘ୍ର ଆଦେଶ ଜାରି କରିପାରନ୍ତି | ଏହାକୁ ନେଇ ଆଜି ଟ୍ରମ୍ପ ନିଷ୍ପତ୍ତି ନେଇପାରନ୍ତି | ଟ୍ରମ୍ପ କହିଛନ୍ତି ଯେ, ସେ ଟିକଟକ ଉପରେ ନଜର ରଖିଛନ୍ତି | ଏହାକୁ ଖୁବ ଶୀଘ୍ର ବ୍ୟାନ କରାଯାଇପାରେ | ତାଙ୍କ ପାଖରେ ଆହୁରି ବିକଳ୍ପ ଅଛି ବୋଲି ସେ କହିଛନ୍ତି | ବ୍ଲୁମବର୍ଗ ନ୍ୟୁଜ ଓ ୱାଲ୍ ଷ୍ଟ୍ରିଟ ଜର୍ଣ୍ଣାଲ ରିପୋର୍ଟରେ ଅଜ୍ଞାତ ସ୍ରୋତ ଉଦ୍ଦେଶ୍ୟରେ କୁହାଯାଇଛି ଯେ ପ୍ରଶାସନ ଶୀଘ୍ର ବାଇଟଡ୍ୟାନ୍ସକୁ ଟିକଟକରେ ନିଜର ପ୍ରଭୃତ୍ୱ ବିକିବା ପାଇଁ ଆଦେଶ ଘୋଷଣା କରିପାରନ୍ତି |

ନ୍ୟୁୟର୍କ ଟାଇମ୍ସ ଓ ଫକ୍ସ ବିଜନେସ ଏକ ଅଜଣା ସ୍ରୋତ ଉଦ୍ଦେଶ୍ୟରେ ଶୁକ୍ରବାର ଦିନ କହିଛନ୍ତି ଯେ ମାଇକ୍ରୋସଫ୍ଟ ଟିକଟକକୁ କିଣିବା ପାଇଁ କଥାବାର୍ତ୍ତା କରୁଛି | କିନ୍ତୁ ଟିକଟକ କୌଣସି ପ୍ରତିକ୍ରିୟା ରଖିବାରେ ମନା କରିଦେଇଛି | ବାଇଟଡ୍ୟାନ୍ସ କମ୍ପାନୀ ଚାଇନା କମ୍ପାନୀରୁ ନିଜର ଦୂରତ୍ୱ ବଜାୟ ରଖିବାକୁ ପ୍ରୟାସ କରି ଜଣେ ଆମେରିକୀୟ ନାଗରିକଙ୍କୁ ସିଇଓ ଓ ଆଉ ଜଣେ ପୂର୍ବତନ ଡିଜ୍ନି କମ୍ପାନୀର କର୍ମଚାରୀଙ୍କୁ କାମରେ ରଖିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.