ବ୍ୟାନ୍ ସତ୍ତ୍ଵେ ଟିକ୍‌ଟକ୍‌ ବିଶ୍ବର ସର୍ବାଧିକ ରୋଜଗାର କରିଥିବା ଆପ୍ : ଟିଣ୍ଡର ୨ୟ, ୩ୟରେ ୟୁ-ଟ୍ୟୁବ୍, ଜାଣନ୍ତୁ Top-10‌ରେ ଆଉ କିଏ କିଏ...

Published By : Prameya-News7 Bureau | January 10, 2021 IST

ନୂଆଦିଲ୍ଲୀ ୧୦/୦୧ : ଭାରତରେ ଟିକ୍‌ଟକ୍‌ ବ୍ୟାନ ହେବା ସତ୍ତ୍ଵେ ବର୍ଷ ୨୦୨୦ରେ ବ୍ୟବସାୟ କ୍ଷେତ୍ରରେ ଏହା ସାରା ବିଶ୍ବରେ ସଫଳତା ହାସଲ କରିଛି । ବିଶ୍ବରେ ସବୁଠାରୁ ଅଧିକ ଆୟ କରିଥିବା ଆପ୍‌ ଭିତରେ ଟିକ୍‌ଟକ୍‌ ସବୁଠାରୁ ଆଗରେ ରହିଛି । ୨୦୨୦ରେ ଟିକ୍‌ଟକ୍‌ ୫୪୦ ମିଲିୟନ ଡଲାର ରୋଜଗାର କରିଛି । ଏହା ପଛକୁ ରହିଛି ଡେଟିଂ ଆପ୍‌ ଟିଣ୍ଡର । ୫୧୩ ମିଲିୟନ ଡଲାର ସହ ଟିଣ୍ଡର ଆପ୍‌ ଦ୍ବିତୀୟ ସ୍ଥାନରେ ରହିଛି ।

 ଆପ୍ ଆନାଲିଟିକସ୍‌ ଫାର୍ମ ଆପଟୋପିଆର ଏହି ତଥ୍ୟ ପ୍ରକାଶ କରିଛି । ଟିକ୍‌ଟକ୍ ଏବଂ ଟିଣ୍ଡର ଆପ ପରେ ତୃତୀୟରେ ରହିଛି ଲୋକପ୍ରିୟ ଭିଡିଓ ସାଇଟ୍‌ ୟୁ-ଟ୍ୟୁବ୍‌ । ବର୍ଷ ୨୦୨୦ରେ ୟୁ-ଟ୍ୟୁବ୍‌ ୪୭୮ ମିଲିୟନ ଡଲାର ରୋଜଗାର କରିଛି । ସେହିପରି ଡିସନେ ୩୧୪ ମିଲିୟନ ଡଲାର ସହ ଚତୁର୍ଥ ଏବଂ ୩୦୦ ମିଲିୟନ ଡଲାର ସହ ଟେନସେଣ୍ଟ ପଞ୍ଚମ ସ୍ଥାନରେ ରହିଛି । ନେଟଫ୍ଲିକ୍ସ ଆପ ୨୦୯ ମିଲିୟନ ଡଲାର ସହ ଦଶମ ସ୍ଥାନରେ ରହିଛି ।  

ଏହା ସହ ଟିକ୍‌ଟକ୍‌ ୨୦୨୦ରେ ସବୁଠାରୁ ଅଧିକ ଡାଉନଲୋଡ୍ ହୋଇଥିବା ଆପ ମଧ୍ୟରେ ସ୍ଥାନ ପାଇଛି । ସାରା ବିଶ୍ବରେ ଟିକ୍‌ଟକ୍‌ ଆପକୁ ପ୍ରାୟ ୮୫୦ ମିଲିୟନ ୟୁଜର ଡାଉନଲୋଡ କରିଛନ୍ତି । ସେହିପରି ହ୍ବାଟ୍ସଆପକୁ ୬୦୦ ମିଲିୟନ ଏବଂ ଫେସବୁକକୁ ୫୪୦ ମିଲିୟନ ୟୁଜର ଡାଉନଲୋଡ କରିଛନ୍ତି । ଅନ୍ୟ ଆପଗୁଡିକ ମଧ୍ୟରେ ଫେସବୁକ ମାଲିକାନାରେ ଥିବା ଇନଷ୍ଟାଗ୍ରାମର ଲୋକପ୍ରିୟତା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଇନଷ୍ଟାଗ୍ରାମକୁ ପ୍ରାୟ ୫୦୩ ମିଲିୟନ ୟୁଜର ଡାଉନଲୋଡ କରିଛନ୍ତି ।

ତେବେ ସବୁଠାରୁ ଦୃତଗତିରେ ବ୍ୟବସାୟୀକ ସଫଳତା ପାଇଥିବା ଆପଗୁଡିକ ମଧ୍ୟରେ ରହିଛି ଅନଲାଇନ୍‌ ଭିଡିଓ କଲିଂ ଆପ ଜୁମ୍‌ । କରୋନା ମହାମାରୀ ସମୟରେ ପ୍ରାୟ ୪୭୭ ମିଲିୟନ ସୋସିଆଲ ମିଡିଆ ୟୁଜର ଏହି ଆପକୁ ଡାଉନଲୋଡ କରିଛନ୍ତି । ଟେଲିଗ୍ରାମ୍‌ ଆପର ଲୋକପ୍ରିୟତା ବଢୁଥିବାରୁ ଏହା ଫେସବୁକ କର୍ପୋରେସନ ପାଇଁ ଆଗାମୀ ଦିନରେ ସମସ୍ୟା ହୋଇପାରେ । କାରଣ ୨୦୨୦ରେ ଟେଲିଗ୍ରାମ୍‌ ପ୍ରାୟ ୫୦୦ ମିଲିୟନ୍‌ ୟୁଜର ସୃଷ୍ଟି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.