ମୋଦିଙ୍କ ଉତ୍ତର ରଖିଲେ ରାକେଶ ଟିକାୟତ, କହିଲେ –ପ୍ରଥମେ ଚାଷୀଙ୍କ ଉପରକୁ ଟେକା ପଥର ମାଡ଼ ବନ୍ଦ କରନ୍ତୁ

Published By : Prameya-News7 Bureau | January 30, 2021 IST

ଗାଜିପୁର ୩୦।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଦେଇଥିବା ବୟାନ ପରେ ଭାରତୀୟ କିଷାନ ୟୁନିୟନ(ବିକେୟୁ) ନେତା ରାକେଶ ଟିକାୟତ ତାଙ୍କର ଉତ୍ତର ରଖିଛନ୍ତି। ସେ କହିଛନ୍ତି ଯେ ସରକାରଙ୍କ ସହ ଆଲୋଚନା ଲାଗି ଆମେ ସବୁ ବେଳେ ସବୁ ସମୟରେ ପ୍ରସ୍ତୁତ। ତେବେ ପ୍ରଥମେ ଚାଷୀଙ୍କ ଉପରକୁ ହେଉଥିବା ଟେକାପଥର ମାଡ ବନ୍ଦ ହେଉ ବୋଲି ସେ କହିଛନ୍ତି।

ଟିକାୟତ କହିଛନ୍ତି ଯେ ଜମ୍ମୁ-କାଶ୍ମୀରରେ ଯେଉଁମାନେ ସେନା ଉପରକୁ ଟେକାପଥର ମାଡ କରୁଥିଲେ ସେମାନେ ଦିଲ୍ଲୀରେ ଚାଷୀଙ୍କ ଉପରେ ଢେଲା ମାଡ କରୁ ନାହାନ୍ତିତ? ଏଣୁ ସରକାର ଚାଷୀଙ୍କ ସହ ଆଲୋଚନା ପୂର୍ବରୁ ଟେକାମାଡ କରୁଥିବା ଲୋକଙ୍କ ଯାଞ୍ଚ କରନ୍ତୁ। ଲୋକେ ସେନା ଓ କିଷାନ ଉପରକୁ ଟେକା ପଥର ମାଡ ନ କରନ୍ତୁ ବୋଲି ସତର୍କ କରିଛନ୍ତି ଟିକାୟତ। ନଚେତ ଆଲୋଚନା ହୋଇପାରିବନି ବୋଲି କହିଛନ୍ତି।  

ଟିକାୟତ କହିଛନ୍ତି ଯେ ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା ବାହାରିପାରିବ। ତେବେ ଏଥିପାଇଁ ସରକାରଙ୍କୁ ସେପରି ପରିବେଶ ସୃଷ୍ଟି କରିବାକୁ ପଡିବ। କୃଷକ ସମସ୍ୟାର ପ୍ରଧାନମନ୍ତ୍ରୀ ସମାଧାନ କରନ୍ତୁ ଓ ସଭାକୁ ଆସି କିଷାନ ଓ ସେନାକୁ ଗୋଟିଏ ମଞ୍ଚରୁ ସମ୍ବୋଧିତ କରନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି।

ସଂସଦରେ ବିଭିନ୍ନ ଦଳର ନେତାଙ୍କ ସହ ପ୍ରଧାନମନ୍ତ୍ରୀ ଶନିବାର ଡିଜିଟାଲ ଆଲୋଚନା କରିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ୩ କୃଷି ଆଇନକୁ ନେଇ କେନ୍ଦ୍ର ସରକାର ଯେଉଁ ପ୍ରସ୍ତାବ ଦେଇଥିଲେ ସେଥିରେ ଏବେବି କାୟମ ଅଛନ୍ତି ବୋଲି କହିଛନ୍ତି। ଏହା ସହ ପ୍ରଧାନମନ୍ତ୍ରୀ ବିରୋଧୀ ଦଳଙ୍କୁ ମଧ୍ୟ ଚାଷୀଙ୍କ ସହ ଆଲୋଚନା କରିବାକୁ ଅପିଲ କରିଛନ୍ତି । ସଂସଦ ଅଧିବେଶନ ପୂର୍ବରୁ ଶାନ୍ତିପୂର୍ଣ୍ଣ ଗୃହ ପରିଚାଳନା ଲାଗି ପ୍ରଧାନମନ୍ତ୍ରୀ ଏହି ବୈଠକ ଆହ୍ୱାନ କରିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.