ନୂଆଦିଲ୍ଲୀ୧୪/୧: କ୍ୟୁରେଟିଭ୍ ପିଟିସନ୍ ଖାରଜ ହୋଇଯିବା ପରେ ,ରାଜକ୍ଷମା ପାଇଁ ଆବେଦନ କରିଛି ଦୋଷୀ ମୁକେଶ। ତେବେ ଦୋଷୀକୁ ୨୨ ତାରିଖରେ ଫାଶୀ ଦେବା ଲାଗି ତିହାର ଜେଲ୍ ରେ ଚାଲିଛି ପ୍ରସ୍ତୁତି। ଏସବୁ ଭିତରେ ବ୍ରହ୍ମପୁର ମଣ୍ଡଳକାରାଗାର ମନେ ପଡିବା ସ୍ବାଭାବିକ । କାରଣ ଦେଶ ସ୍ବାଧୀନ ପୂର୍ବରୁ ଅର୍ଥାତ ୧୯୪୩ ମସିହାରେ ସହିଦ ଲକ୍ଷ୍ମଣ ନାୟକଙ୍କୁ ଏଠାରେ ଫାଶୀ ଦିଆ ଯାଇଥିଲା । ଆଉ ୧୯୯୪ରେ ଶେଷ ଥର ପାଇଁ ଲକ୍ଷ୍ମଣ ନାୟକକୁ ମଧ୍ୟ ଏହିଠାରେ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଥିଲା । ତେବେ ଜେଲ୍ରେ ଫାଶୀ ଦେବାର କି କି ବ୍ୟବସ୍ଥା ରହିଛି ଏବଂ ବିଶେଷଜ୍ଞ କ’ଣ କହିଛନ୍ତି ଆସନ୍ତୁ ଜାଣିବା।
କୌଣସି ଦୋଷୀକୁ ଫାଶୀ ଦଣ୍ଡାଦେଶ ହେବା ପରେ ଅଭିଯୁକ୍ତକୁ ଜେଲ୍ର ଏକ କୋଠରୀରେ ଏକାକୀ ରଖାଯାଏ । କାହାସହ ମିଳାମିଶା କରିବାକୁ ସୁଯୋଗ ଦିଆଯାଏ ନାହିଁ । ସ୍ବାସ୍ଥ୍ୟ ସହ ଖାଦ୍ୟପେୟ ପ୍ରତି ଯତ୍ନ ନେବାକୁ ପଡିଥାଏ । ସପ୍ତାହକ ପୂର୍ବରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥାଏ। ଦୋଷୀର ରେଗୁଲାର୍ ସ୍ବାସ୍ଥ୍ୟ ଚେକ୍ ଅପ୍ କରାଯାଏ । ଯଦି ସ୍ବାସ୍ଥ୍ୟ ଖରାପ ହୁଏ, ସେଥିପ୍ରତି ଯତ୍ନ ନେଇ ଡାକ୍ତର ଚିକିତ୍ସା କରିବାକୁ ପଡିଥାଏ। ଯଦି ସ୍ବାସ୍ଥ୍ୟର ଅବନିତି ଘଟେ ସଙ୍ଗେ ସଙ୍ଗେ କୋର୍ଟକୁ ସେ ସଂପର୍କରେ ଅବଗତ କରାଇବା ବିଧି ରହିଥିବା କହିଛନ୍ତି ଅବସରପ୍ରାପ୍ତ ବରିଷ୍ଠ ଜେଲ୍ ସୁପରିଟେଣ୍ଡେଣ୍ଟ୍ ବୀରେନ୍ଦ୍ର କୁମାର ପାତ୍ର।
ପୂର୍ବରୁ ଫାଶୀ ଦଉଡି ମାନିଲାରୁ ଅଣା ଯାଉଥିଲା ।ଏବେ ଭାରତର କେତେକ ସ୍ଥାନରେ ଦଉଡି ଉପଲବ୍ଧ ହେଉଛି। ୧୫ ଦିନ ପୂର୍ବରୁ ଘାତକ ଦଉଡିକୁ ଘିଅ, ଅମୁଲ୍ କିମ୍ବା ସାବୁନ୍ ରେ ମାଲିସ୍ କରିଥାନ୍ତି ।ସବୁଠାରୁ ବଡ କଥା ହେଉଛି ଘାତକ ମିଳିବା । ଘାତକ ମିଳିବା ପରେ ଫାଶି ଦେବାର କୌଶଳ ପରୀକ୍ଷା ଏବଂ ପ୍ରସ୍ତୁତି ଆରମ୍ଭ କରିଥାନ୍ତି ।
ଫାଶୀ ପୂର୍ବ ରାତିରେ ଅଭିଯୁକ୍ତଙ୍କୁ ଫାଶୀ ସଂପର୍କରେ ଅବଗତ କରାଯାଇଥାଏ । ରାତିରେ ଯେମିତି କୌଣସି ଅଘଟଣ ନହୁଏ ସେଥିପ୍ରତି ଜେଲ୍ କର୍ତ୍ତୃପକ୍ଷ ସ୍ବତନ୍ତ୍ର ଧ୍ୟାନ ଦେଇଥାନ୍ତି। ଫାଶି ଖବର ଶୁଣି ସାଧାରଣତଃ ନିଦ ଆସି ନଥାଏ। ତାର ମନକୁ ଟିକେ ସତେଜ୍ ରଖିବାକୁ ଗୀତା କି ଅନ୍ୟ ଧାର୍ମିକ ବହି କିମ୍ବା ମନୋରଞ୍ଜନ ସରଞ୍ଜାମ ପ୍ରଦାନ କରାଯିବା ବ୍ୟବସ୍ଥା ଥିବା କହିଛନ୍ତି ବିଶେଷଜ୍ଞ।
ଭୋର ସକାଳୁ ଫାଶୀ ଦିଆଯିବାକୁ ଥିବା ବ୍ୟକ୍ତିକୁ ଉଠାଯାଇ ଗାଧୋଇବାକୁ କୁହାଯାଏ। ପରେ ନୂଆ ବସ୍ତ୍ର ପରିଧାନ କରିବାକୁ ଦିଆଯାଏ। ସୁପରିଟେଣ୍ଡେଣ୍ଟ୍ ଏବଂ ଜେଲର୍ ଆଞ୍ଚଳିକ ଭାଷାରେ ଫାଶି କଣ ପାଇଁ ଦିଆଯିବ ତାହା ଶୁଣାଇଥାନ୍ତି। ପରେ ସୁପରିଟେଣ୍ଡେଣ୍ଟ୍ ଅଭିଯୁକ୍ତଙ୍କୁ ଘାତକକୁ ହସ୍ତାନ୍ତର କରିଥାନ୍ତି। ଘାତକ ଫାଶି ଖୁଣ୍ଟକୁ ନେଇଥାଏ। ସେତେବେଳେ ସୁପରିଟେଣ୍ଡେଣ୍ଟ୍ - ଜେଲର୍ - ମାଜିଷ୍ଟ୍ରେଟ୍, ଡାକ୍ତର ଉପସ୍ଥିତ ରିହବା ବିଧେୟ ରହିଛି।
ସୁପରିଟେଣ୍ଡେଣ୍ଟ୍ ଙ୍କ ହାତର ଇସାରା ଦେବା ମାତ୍ରେ ଘାତକ ଫାଶିଖୁଣ୍ଟରେ ଠିଆ ହୋଇଥିବା ପ୍ଳେଟ୍ କୁ ଟାଣିଥାଏ। ଓଜନ ହିସାବରେ ରଖାଯାଇଥିବା ଫାଶି ତଳକୁ ଓହଳିବାର ଅଧ ଘଣ୍ଟାଏ ସମୟ ପର୍ଯ୍ୟନ୍ତ ରଖାଯାଇଥାଏ। ଡାକ୍ତର ଚେକ୍ ଅପ୍ କରି ଡେଥ୍ ଘୋଷଣା କରିବା ପରେ ଡେଡ୍ ବଡି ତଳକୁ ଅଣାଯାଏ । ଏହାପରେ ପରିବାରବର୍ଗଙ୍କୁ ମର ଶରୀର ନେବାକୁ ଅନୁମତି ଦିଆଯାଏ । ଯଦି ପରିବାରବର୍ଗ ମର ଶରୀର ନନିଅନ୍ତି ତେବେ ଜେଲ୍ କର୍ତ୍ତୃପକ୍ଷ ମର ଶରୀରର ଦାହ କରିବା ବ୍ୟବସ୍ଥା କରିଥାନ୍ତି।
ଫାଶୀ ଖବର ଶୁଣାଯିବା ଦୋଷୀ ମନରେ ଭୟ ସଞ୍ଚାର ହୋଇଥାଏ। ସବୁ ପ୍ରକାର ବିଷୟ ମନ ଭିତରକୁ ଆସେ। ମନେ ମନେ ଅନୁତପ୍ତ କରିଥାଏ। ସେଲ୍ ରେ ଏକୁଟିଆ ଥିବା ସମୟରେ ମନ ଭାରାକ୍ରାନ୍ତ ହୋଇଥାଏ। ଏହି ସମୟରେ ସ୍ବାସ୍ଥ୍ୟର ଅବନିତି ଘଟିବା ସମ୍ଭାବନା ଅଧିକା ଥାଏ। ବିଶେଷ କରି ମସ୍ତିଷ୍କ ଉପରେ ଅଧିକ ପ୍ରଭାବ ପଡେ। ସେଥିପ୍ରତି ଯତ୍ନ ନେବାକୁ ପଡେ। ନିଶ୍ଚିତ ମୃତ୍ୟୁ ଖବର ଶୁଣି ଭୟଭୀତ ହୋଇଥିବା ଅଭିଯୁକ୍ତଙ୍କ ହାତରେ ଆଉ କୌଣସି ବଞ୍ଚିବାର ଆଶା ନଥିବାରୁ ମସ୍ତିଷ୍କ ଅଧିକ ଭାରାକ୍ରାନ୍ତ ହେବାର ସମ୍ଭାବନା ରହିଥାଏ ।