ନିର୍ଭୟା ମାମଲା: ଆଜିଠୁ ଠିକ୍ ୪ ଦିନ ପରେ ହେବ ଦୋଷୀଙ୍କ ଫାଶୀ, ଏଥର ୩ ଦିନ ପୂର୍ବରୁ ପହଞ୍ଚିବ ଘାତକ
16/03/2020 at 6:08 PM

ନୂଆଦିଲ୍ଲୀ ୧୬।୩: ମାର୍ଚ୍ଚ ୨୦ ତାରିଖ ଦିନ ୪ ନିର୍ଭୟା ଦୋଷୀଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯିବ। ଆଜିଠୁ ଠିକ୍ ୪ ଦିନ ଦିନ ସେମାନେ ଦଣ୍ଡିତ ହେବେ। ତେବେ ନିର୍ଭୟା ଅପରାଧୀମାନେ ଚୁପ୍ ବସି ନାହାନ୍ତି। ଦଣ୍ଡଟାଳିବାକୁ ସେମାନେ ଯତପରୋନାସ୍ତି ଉଦ୍ୟମ ଜାରି ରଖିଛନ୍ତି। ଦିଲ୍ଲୀର ବିଭିନ୍ନ ନ୍ୟାୟାଳୟରେ ସେମାନେ ଆବେଦନ କରି ଦଣ୍ଡ ଉପରେ ପୁଣି ରହିତାଦେଶ ପାଇବାକୁଉଦ୍ୟମ ଚଳାଇଛନ୍ତି। ହେଲେ ଏଥର ସେମାନଙ୍କ ଦଣ୍ଡ ନିଶ୍ଚିତ ବୋଲି ନ୍ୟାୟାଳୟ ପୂର୍ବରୁ କହିସାରିଛନ୍ତି। ତଥାପି ୨୦ ତାରିଖରେ ନିର୍ଭୟାଦୋଷୀ ଯେ ପର୍ଯ୍ୟନ୍ତ ଦଣ୍ଡିତ ନ ହୋଇଛନ୍ତି ସେପର୍ଯ୍ୟନ୍ତ ସେମାନେ ଦଣ୍ଡିତ ହେଲେ ବୋଲି କୁହାଯାଇପାରିବନି। ତେବେ ଏତେ ସବୁକଥା ଭିତରେ ଆସନ୍ତୁ ଜାଣିବା ଏବେ ତିହାର ଜେଲରେ ହେଉଛି କ’ଣ ?

ନିର୍ଭୟା ଦୋଷୀଙ୍କ ୨୦ ମାର୍ଚ୍ଚ ଦଣ୍ଡ ଲାଗି ୩ ଦିନ ପୂର୍ବରୁ ଅର୍ଥାତ ମାର୍ଚ୍ଚ ୧୭ ତାରିଖ ଦିନ ଘାତକ ତିହାର ପହଞ୍ଚିବେ। ଏଥିଲାଗି ଜେଲ ପ୍ରଶାସନ ପକ୍ଷରୁ ଘାତକଙ୍କୁ ଡାକରା ପଠାଇ ଦିଆଯାଇଛି। ଆଗୁଆ ଘାତକଙ୍କୁ ଜେଲ ଡକାଇବା ନେଇ ସେଭଳି କୌଣସି ବିଶେଷ କାରଣ ନଥିବା କହିଛନ୍ତି କର୍ତ୍ତୃପକ୍ଷ। ଏଥର ଦୋଷୀଙ୍କ ନିକଟରେ ଆଇନର କୌଣସି ବିକଳ୍ପ ନଥିବାରୁ ଜେଲପ୍ରଶାସନ ସେମାନଙ୍କ ଦଣ୍ଡ ପାଳନ ନେଇ ଏବେ ନିଶ୍ଚିତ ହୋଇଯାଇଛନ୍ତି।

ତିହାରଜେଲ ଡିଜି ସନ୍ଦୀପ ଗୋୟଲଙ୍କ ଅନୁସାରେ ଏଥର ଦଣ୍ଡର ୩ ଦିନ ପୂର୍ବରୁ ଘାତକଙ୍କୁ ଡକାଯାଇଛି। ଏହା ଦ୍ୱାରା ଦଣ୍ଡ ପ୍ରସ୍ତୁତି ଲାଗି ହାତରେ ଯଥେଷ୍ଟ ସମୟ ରହିପାରିବ ବୋଲି ସେ କହିଛନ୍ତି। ଏହା ସହ ଘାତକ ଉପସ୍ଥିତିରେ ୨ ଦିନ ପରୀକ୍ଷାମୂଳକ ଫାଶୀ ପ୍ରସ୍ତୁତି ବି କରାଯାଇ ପାରିବ। ପୂର୍ବରୁ ୨ ଥର ସେମାନଙ୍କ ଦଣ୍ଡାଦେଶ ଟଳିଛି। ଉଭୟ ଥର ଘାତକଙ୍କୁ ୨ ଦିନ ପୂର୍ବରୁ ଜେଲକୁ ଡକାଯାଇଥିଲା। ସେତେବେଳେ ନିର୍ଭୟାଦୋଷୀମାନଙ୍କର ଆଇନଗତ ବିକଳ୍ପ ଥିଲା। ହେଲେ ଏବେ ଆଉ କୌଣସି ବିକଳ୍ପ ନଥିବାରୁ ଦଣ୍ଡ ବିଧାନ ନିଶ୍ଚିତ ବୋଲି କହିଛନ୍ତି ଜେଲ କର୍ତ୍ତୃପକ୍ଷ।