ଫାଶୀ ଭୟରେ ଖାଇବା ଛାଡ଼ି ଦେଲାଣି ଜଣେ ଦୋଷୀ, ପୁଣି ପଚାରି ସାରିଲେଣି ଶେଷ ଇଚ୍ଛା…
23/01/2020 at 10:04 PM

ନୂଆଦିଲ୍ଳୀ୨୩/୧: ପାଖେଇ ଆସୁଛି ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ । ଫେବୃଆରୀ ୧ ତାରିଖ ସକାଳ ୬ଟାରେ ୪ ଜଣ ଦୋଷୀ ଫାଶୀଖୁଣ୍ଟରେ ଝୁଲିବେ । ଏଥିପାଇଁ ତିହାର ଜେଲ୍ ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି । ୪ ଦୋଷୀଙ୍କର ଶେଷ ଇଚ୍ଛା କଣ ତାହା ଜାଣିବା ପାଇଁ ଜେଲ୍ କର୍ତ୍ତୃପକ୍ଷ ନୋଟିସ୍ ପଠାଇଛନ୍ତି। ସେମାନେ କାହା ସହିତ ଭେଟିବାକୁ ଚାହୁଁଛନ୍ତି ଏବଂ ସେମାନଙ୍କ ନାମରେ ଯଦି କୌଣସି ସଂପତ୍ତି ରହିଛି ତେବେ କାହା ନାମରେ କରିବାକୁ ଚାହୁଁଛନ୍ତି ଭଳି ବିଭିନ୍ନ ପ୍ରଶ୍ନ କରାଯାଇଛି।

ଦୋଷୀ ମାନେ ବିଭିନ୍ନ ଆଇନଗତ ଉପାୟରେ ଫାଶୀରୁ ବର୍ତ୍ତିବା ପାଇଁ କରୁଥିବା ଆବେଦନ ଗୋଟିଏ ପରେ ଗୋଟିଏ ଖାରଜ ହେବାରେ ଲାଗିଛି । ଦିନ ଯେତିକି ପାଖଉଛି ଦୋଷୀ ମାନଙ୍କ ଭିତରେ ଫାଶୀ ପାଇବାକୁ ନେଇ ସେତିକି ଭୟ ବଢ଼ିବାରେ ଲାଗିଛି । ତିହାର ଜେଲ୍ ପ୍ରଶାସନ ନୋଟିସ୍ ପଠାଇ ୪ ଦୋଷୀ ଅକ୍ଷୟ, ବିନୟ, ମୁକେଶ ଓ ପୱନକୁ ସେମାନଙ୍କର ଶେଷ ଇଚ୍ଛା ସଂପର୍କରେ ଜାଣିବାକୁ ଚାହିଁଛନ୍ତି।

ନୋଟିସ୍ରେ ପଚରାଯାଇଛି ଯେ, ଫେବୃଆରୀ ୧ରେ ଫାଶୀ ପୂର୍ବରୁ ସେମାନେ ଶେଷ ଥର ପାଇଁ କାହାକୁ ଭେଟିବାକୁ ଚାହୁଁଛନ୍ତି ? ଯଦି ସେମାନଙ୍କ ନାମରେ କୌଣସି ସମ୍ପତ୍ତି ରହିଛି, ତେବେ ଫାଶୀ ପୂର୍ବରୁ ସେଗୁଡ଼ିକୁ ସେମାନେ କାହା ନାମରେ କରିବାକୁ ଚାହୁଁଛନ୍ତି ? ଯଦି କୌଣସି ଧାର୍ମିକ ପୁସ୍ତକ ପଢ଼ିବାକୁ ଇଚ୍ଛା କରୁଛନ୍ତି, ତେବେ ଜେଲ ପ୍ରଶାସନ ଏଥିରେ ସେମାନଙ୍କ ସହାୟତା କରିପାରିବ। ତେବେ ଦୋଷୀମାନେ ଏହାର କ’ଣ ଜବାବ ଦେଇଛନ୍ତି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ ।
ଫାଶୀ ପାଇବା ଭୟରେ୪ ଦୋଷୀଙ୍କ ମଧ୍ୟରୁ ଜଣେ ଖାଇବା ପିଇବା ଛାଡ଼ି ଦେଇଛି । ଆଉ ଜଣେ ଦୋଷୀ ମଧ୍ୟ ଖୁବ୍ କମ୍ ଖାଦ୍ୟ ଖାଉଛି ।ଜେଲ୍ ଅଧିକାରୀଙ୍କ କହିବା ଅନୁସାରେ ଦୋଷୀ ବିନୟ ୨ ଦିନ ହେଲା କିଛି ଖାଇନଥିଲା । ହେଲେ ବୁଧବାର ତାକୁ ଖାଦ୍ୟ ଖାଇବା ପାଇଁ କୁହାଯିବା ପରେ ସେ କିଛି ଖାଦ୍ୟ ଖାଇଛି ।

୪ ଦୋଷୀଙ୍କ ମଧ୍ୟରୁ ମୁକେଶ ପାଖରେ ଫାଶୀ ଖୁଣ୍ଟରୁ ବର୍ତ୍ତିବା ପାଇଁ ସବୁ ପ୍ରକାରର ଆଇନଗତ ରାସ୍ତା ଶେଷ ହୋଇଯାଇଛି ।ଏପରିକି ରାଷ୍ଟ୍ରପତି ମଧ୍ୟ ତାର ଦୟା ଯାଚିକା ଖାରଜ କରିଦେଇଛନ୍ତି । ଅନ୍ୟ ୩ ଜଣଙ୍କ ପାଖରେ ଦୟା ଯାଚିକା କରିବାର ଏବଂ ୨ ଜଣଙ୍କ ପାଖରେ ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ପିଟିସନ୍ ଦାଖଲ କରିବାର ଉପାୟ ଅଛି ।

୪ ଜଣଙ୍କୁ ଜେଲ୍ ନମ୍ବର ୩ରେ ଅଲଗା ଅଲଗା ସେଲ୍ରେ ରଖାଯାଇଛି ।ପ୍ରତି ଦୋଷୀର ସେଲ୍ ବାହାରେ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି ।ପ୍ରତି ୨ ଘଣ୍ଟାରେ ସିକ୍ୟୁରିଟି ଗାର୍ଡଙ୍କୁ ବିଶ୍ରାମ ଦିଆଯାଏ ।ପ୍ରତି କଏଦୀ ପାଇଁ ୨୪ ଘଣ୍ଟାରେ ୮ ଜଣ ଲେଖାଏଁ ସିକ୍ୟୁରିଟି ଗାର୍ଡଙ୍କୁ ନିୟୋଜିତ କରାଯାଇଥାଏ ।ତେବେ ଏବେବି ଆଇନଗତ ପ୍ରକ୍ରିୟା ଜାରି ରହିଥିବାରୁ ଆଇନ ବିଶେଷଜ୍ଞଙ୍କ ମତରେ ଫାଶୀ ଦଣ୍ଡ ପାଇଁ ପୁଣି ନୂଆ ତାରିଖ ଘୋଷଣା ହୋଇପାରେ ।

ନିର୍ଭୟା ଦୋଷୀଙ୍କର ଫାଶୀ ହେବା ନେଇ ଏବେବି ଆଇନଗତ ପ୍ରକ୍ରିୟା ବାକି ରହିଥିବା ବେଳେଫାଶୀ ଦଣ୍ଡାଦେଶ ସମୟସୀମା ନେଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି କେନ୍ଦ୍ର ସରକାର ।୪ ଦୋଷୀଙ୍କ ଫାଶୀ ପାଇଁ ୭ ଦିନର ଡେଡଲାଇନ୍ ଦେବାକୁ ସୁପ୍ରିମକୋର୍ଟରେ ଆବେଦନ କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ।