ସାତକୋଶିଆରୁ ଯିବ ସୁନ୍ଦରୀ; ଅନୁଗୁଳରେ ପହଁଚିଲା ସ୍ୱତନ୍ତ୍ର ଟିମ

Published By : Prameya-News7 Bureau | October 22, 2018 IST

ଅନୁଗୁଳ ୨୨/୧୦ : ଅଭୟାରଣ୍ୟରୁ ଏନକ୍ଲୋଜରକୁ ଯିବା ବାଘୁଣୀ ସୁନ୍ଦରୀ | ମଣିଷ ମାରିବା ନେଇ ସାତକୋଶିଆ ଅଂଚଳ ଅଶାନ୍ତ ହୋଇପଡିଛି | ମଣିଷ ମାରିବା ଅଭିଯୋଗରେ ବାଘୁଣୀ ସୁନ୍ଦରୀ ସାତକୋଶିଆ ରାୟଗୁଡା ଏନକ୍ଲୋଜରକୁ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ନିଆଯାଇଛି | ଗତକାଲି ଅନୁଗୁଳର ସ୍ଥାନୀୟ ଟାଇଁଷି ଗାଁରେ ଜଣେ ବୃଦ୍ଧଙ୍କୁ ବାଘୁଣୀ ମାରିବା ସହ ଜଣେ ସାମ୍ବାଦିକଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ଆସିଥିଲା | ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖାଦେଇଥିଲା | ବାଘୁଣୀକୁ ତୁରନ୍ତ ସ୍ଥାନାଂତର ପାଇଁ ଦାବି କରିଥିଲେ ସ୍ଥାନୀୟ ଲୋକ | ଘଟଣାକୁ ନେଇ ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ଲୋକେ ପୋଲିସ ସହ ମଧ୍ୟ ମୁହାଁମୁହିଁ ହୋଇଥିଲେ | ଉତ୍ୟକ୍ତ ଲୋକେ ପୋଡାଜଳା ମଧ୍ୟ କରିଥିଲେ | ଘଟଣାକୁ ନେଇ ଆଜି ବି ସ୍ଥାନୀୟ ଅଂଚଳରେ ଚାପା ଉତ୍ତେଜନା ଦେଖାଦେଇଛି | ବାଘୁଣୀକୁ ଟ୍ରାଙ୍କୁଲାଇଜ କରିବାକୁ ଅନୁଗୁଳରେ ପହଂଚିଛନ୍ତି ସ୍ୱତନ୍ତ୍ର ଟିମ | ଏହି ଟିମ ସହ ଡେରାଡୁନରୁ ଭୁବନେଶ୍ୱର ଆସିଥିବା ବିଶେଷଜ୍ଞ ମଧ୍ୟ ଅଛନ୍ତି | ବାଘୁଣୀକୁ କାବୁ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି | ଭୁବନେଶ୍ୱର ଏବଂ ଶିମିଳିପାଳରୁ ଦୁଇଟି ଟିମ ନିୟୋଜିତ କରାଯାଇଛି | ସାତକୋଶିଆ କୁମୁରି ଜଙ୍ଗଲରେ ବାଘୁଣୀ ଥିବା ବନବିଭାଗ ସୂଚନା ଦେଇଛି | ଆଜି କୁମୁରି ଗାଁରେ ବାଘୁଣୀ ଗୋଟିଏ ବଳଦକୁ ମାରିଥିବା ମଧ୍ୟ ସୂଚନା ମିଳିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.