ସୁନ୍ଦରୀକୁ ରଖାଯିବ ଏନକ୍ଲୋଜରରେ, ବିଟ ହାଉସରେ ଲୋକ ଲଗାଇଲେ ନିଆଁ, ପରିସ୍ଥିତି ଅଣାୟତ୍ତ

Published By : Prameya-News7 Bureau | October 22, 2018 IST

ଭୁବନେଶ୍ବର ୨୨|୧୦: ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରାଯିବ ଏଥିପାଇଁ ଅନୁଗୋଳରେ ପହଞ୍ଚିଛି ସ୍ବତନ୍ତ୍ର ଟିମ୍ ସେପଟେ ସାତକୋଶିଆରେ ବନ୍ କର୍ମଚାରୀଙ୍କ ନିଖୋଜ ନେଇ ଚାଲିଛି ତନାଘନା ସୁନ୍ଦରୀ ମଣିଷ ମାରିବା ପରେ ବାଘୁଣୀର ଗିତିବିଧି ଉପରେ ନଜର ରଖିବା ସହ ଲୋକଙ୍କୁ ସୁରକ୍ଷା ପାଇଁ ନିୟୋଜିତ ଥିଲେ ଏହି ବନ କର୍ମଚାରୀ ସେବେଠାରୁ ସେମାନଙ୍କର କୌଣସି ସନ୍ଧାନ ମିଲୁନାହିଁ କାଲି ମଣିଷ ମାରିବା ପରେ ପୁଣି ଆଜି ଉତ୍ପାତ କରିଛି ସୁନ୍ଦରୀ ବଳଦ ମାରି ଖାଇବା ପରେ ଉତ୍ୟକ୍ତ ଲୋକେ ବିଟ୍ହାଉସ୍ ପୋଡିଦେଇଛନ୍ତି ସୁନ୍ଦରୀକୁ ଧରି ରାଇଗୁଡା ଏନକ୍ଲୋଜରକୁ ନିଆଯିବା ପାଇଁ ହୋଇଛି ନିଷ୍ପତ୍ତି ।  କାଲିଠାରୁ ଅନୁଗୋଳରେ ପହଞ୍ଚି ସାରିଛନ୍ତି ସ୍ବତନ୍ତ୍ର ଟିମ୍‌ । ସାଙ୍ଗରେ ନେଇଛନ୍ତି ଟ୍ରାଙ୍କୁଲାଇଜିଂ କିଟ୍‌।  ଏହି ଟିମ୍ ସହ ଡେରାଡୁନରୁ ଆସିଥିବା ବିଶେଷଜ୍ଞ ମଧ୍ୟ ଅଛନ୍ତି । ବାଘୁଣୀକୁ କାବୁ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ସାତକୋଶିଆ କୁମୁରି ଗାଁ ପାଖ ଜଙ୍ଗଲରେ ବାଘୁଣୀ ଥିବା ବନବିଭାଗ ସୂଚନା ଦେଇଛି ।  ତାର ଗିତିବିଧି ଉପରେ ନଜର ରଖାଯାଇଛି । ତେଣୁ କେବଳ ଜଙ୍ଗଲ ବିଭାଗ ଓ ପ୍ରଶାସନର ଅନୁମତି ମିଳିଲେ ଜଙ୍ଗଲ ବିଭାଗ ତାକୁ ଟ୍ରାଙ୍କୁଲାଇଜ୍ କରିବାକୁ ଅପେକ୍ଷା କରିଛି । ସେପଟେ ଗତକାଲି ଘଟଣା ପରେ ସାତକୋଶିଆରୁ ୪ ବନ କର୍ମଚାରୀ ନିଖୋଜ ଅଛନ୍ତି । ସୁନ୍ଦରୀ ମଣିଷ ମାରିବା ପରେ ବାଘୁଣୀର ଗତିବିଧି ଉପରେ ନଜର ରଖିବା ସହ ଲୋକଙ୍କ ସୁରକ୍ଷା ପାଇଁ ନିୟୋଜିତ ଥିଲେ ଏହି ୪ ବନ କର୍ମଚାରୀ । ଗତ୨୦ ତାରିଖରୁ ଏମାନଙ୍କୁ ନିୟୋଜିତ କରାଯାଇଥିଲା । ତେବେ ତାପରଠୁ ଏମାନଙ୍କ  ସଂପର୍କରେ କୌଣସି ସୂଚନା ମିଳୁନି । ଏମାନଙ୍କ ମୋବାଇଲ୍ ବି ବନ୍ଦ ରହିଛି । ତେଣୁ ସବୁ ସଂଦେହ ଏବେ ସ୍ଥାନୀୟ କିଛି ଗାଁ ଲୋକଙ୍କ ଉପରକୁ ଯାଉଛି। କାରଣ ବୃଦ୍ଧଙ୍କୁ ବାଘୁଣୀ ମାରିବା ଅଭିଯୋଗ ପରେ ଗାଁ ଲୋକେ କାଲି ଏହି ବନକର୍ମଚାରୀଙ୍କୁ ଅଟକ ରଖିଥିଲେ । ହେଲେ ଟାଇଁସି ଗାଁ ଲୋକଙ୍କ କହିବା କଥା ସେମାନେ ଏହି ବନ କର୍ମଚାରୀଙ୍କୁ ଅଟକ ରଖିଥିଲେ କିନ୍ତୁ ପରେ ସେମାନେ କୁଆଡେ ଚାଲି ଯାଇଛନ୍ତି ତାହା ସେମାନଙ୍କୁ ଜଣା ନାହିଁ । ପ୍ରଶାସନ ଅଯଥା ଚାପ ସୃଷ୍ଟି କରିବାକୁ ଚେଷ୍ଟା କରୁଛି । ମଣିଷ ମାରିବାର ୨୪ ଘଣ୍ଟା ନପୁରୁଣୁ ବାଘୁଣୀ ସୁନ୍ଦରୀ ପୁଣି ହୋଇଛି ଉତ୍ପାତ । ନିକଟସ୍ଥ କୁମୁରି ଗାଁରେ ଗୋଟିଏ ବଳଦକୁ ମାରିଛି । ଏହା ପରେ ପୂରା ଇଲାକାର ଲୋକ ଭୟରେ ଅଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ସୁନ୍ଦରୀକୁ ସ୍ଥାନାନ୍ତର ଦାବିରେ କୁମୁରି ଗାଁ ଲୋକେ ଗତକାଲି ଫରେଷ୍ଟ ବିଟ ହାଉସରେ ନିଆଁ ଲଗାଇ ଦେଇଥିଲେ। ସେଠାକୁ କୌଣସି ଗଣମାଧ୍ୟମ ପ୍ରତିନିଧି, ପ୍ରଶାସନ ପୋଲିସକୁ ବି ଛାଡି ନଥିଲେ । ପରେ ପରେ ଦେଖାଦେଇଥିଲା ଉତ୍ତେଜନା । ମୁଣ୍ଡାସାହି ଠାରେ ଲୋକେ ରାସ୍ତା ଅବରୋଧ କରିବାରୁ ପୋଲିସ ଓ ଗାଁ ଲୋକଙ୍କ ମଧ୍ୟରେ ହୋଇଥିଲା ଖଣ୍ଡଯୁଦ୍ଧ । ବ୍ୟାପକ ପୋଡାଜଳା ପରେ ପୋଲିସ ଲାଠି ଚାର୍ଜ ଓ ଟିଅର ଗ୍ୟାସ୍‌ ପ୍ରୟୋଗ କରିଥିଲା । ଏବେ ସେଠାରେ ପରିସ୍ଥିତି ଶାନ୍ତ ଅଛି । ହେଲେ ପୋଲିସ ଗିରଫ ଭୟରେ ଟାଇଁସି ଓ ମୁଣ୍ଡାସାହି ଗାଁ ଶୂନ୍‌ଶାନ୍‌ ହୋଇଯାଇଛି । ଗତକାଲି ବାଘ ଆକ୍ରମଣରେ ମୃତ୍ୟୁ ହୋଇଥିବା ତ୍ରିନାଥ ସାହୁଙ୍କ ମୃତଦେହ ଅନୁଗୋଳରେ ପୋଷ୍ଟମର୍ଟମ୍‌ ସରିବା ପରେ  ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ମୃତକଙ୍କ ପରିବାରକୁ ୪ ଲକ୍ଷ ନୁହେଁ ଅଧିକ କ୍ଷତିପୂରଣ ଓ ପରିବାରର ଜଣଙ୍କୁ ଚାକିରି ସହ ସୁନ୍ଦରୀକୁ ସାତକୋଶିଆରୁ ସ୍ଥାନାନ୍ତର କରିବାକୁ ମୃତକଙ୍କ ପରିବାର ଓ ସ୍ଥାନୀୟ ଲୋକେ ଦାବି କରିଛନ୍ତି ଗତକାଲି ଘଟଣା ପରେ ପରିସ୍ଥିତିରେ କିଛି ସୁଧାର ଆସିଛି ସତ ହେଲେ ଏବେବି ସାତକୋଶିଆ ସଂଲଗ୍ନ ୧୨୪ଟି ଗାଁରେ ଭୟର ବାତାବରଣ ଥିବା ବେଳେ ଚାପା ଉତ୍ତେଜନା ବି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.