ବିପଦରେ ସୁନ୍ଦରୀ ; ତ୍ରୁଟିପୂର୍ଣ୍ଣ ଟ୍ରାଙ୍କୁଲାଇଜେସନ୍ ଯୋଗୁଁ ରାଇଗୁଡା ଏନକ୍ଲୋଜରରେ ସୁନ୍ଦରୀ ଅସୁସ୍ଥ
16/11/2018 at 10:27 AM

ଭୁବନେଶ୍ବର ୧୬|୧୧: ବିପଦରେ ସୁନ୍ଦରୀ । ତ୍ରୁଟିପୂର୍ଣ୍ଣ ଟ୍ରାଙ୍କୁଲାଇଜେସନ୍ ଯୋଗୁଁ ସୁନ୍ଦରୀ ଅସୁସ୍ଥ ହୋଇ ଏବେ ରାଇଗୁଡା ଏନକ୍ଲୋଜରରେ ରହିଛି । ୧୦ ଦିନ ହେବ ଟ୍ରାଙ୍କୁଲାଇଜରେ ଥିବା ସୁନ୍ଦରୀ ଛୋଟେଇ ଛୋଟେଇ ଚାଲୁଛି । ବନବିଭାଗର ଜଣେ ଅଧିକାରୀଙ୍କ କହିବା କଥା ସୁନ୍ଦରୀକୁ ଟ୍ରାଙ୍କୁଲାଇଜ ବେଳେ ତ୍ରୁଟି ହୋଇଛି । ୩୦ ମିନିଟ୍ ମଧ୍ୟରେ ୨ ଥର ଟ୍ରାଙ୍କୁଲାଇଜ କରାଯାଇଛି । ସେଥିରୁ ଗୋଟିଏ ତାର ମେରୁଦଣ୍ଡରେ ବାଜିଛି । ତେଣୁ ସେ ସୁସ୍ଥ ହୋଇପାରୁନାହିଁ । ସୁନ୍ଦରୀକୁ ପକ୍ଷାଘାତ ହେବାର ଆଶଙ୍କା ବି ରହିଛି । ତ୍ରୁଟିପୂର୍ଣ୍ଣ ଟ୍ରାଙ୍କୁଲାଇଜ ବାଘୁଣୀ ପାଇଁ ଘାତକ ହୋଇପାରେ ବୋଲି କୁହାଯାଉଛି । ୨୦୦୨ରେ ସାତକୋଶିଆରେ ଗୋଟିଏ ବାଘକୁ ଟ୍ରାଙ୍କୁଲାଇଜ କରାଯାଇଥିଲା । ଟ୍ରାଙ୍କୁଲାଇଜ ତାର ପିଞ୍ଜରାରେ ବାଜିବାରୁ ସେ ପକ୍ଷାଘାତରେ ଆକ୍ରାନ୍ତ ହୋଇଥିଲା । କିଛିଦିନ ପରେ ତାକୁ ନନ୍ଦନକାନନ ଅଣାଯାଇଥିଲା । ସେଠାରେ ଚିକିତ୍ସା ଚାଲିଥିବାବେଳେ ବାଘର ମୃତ୍ୟୁ ହୋଇଥିଲା । ସୁନ୍ଦରୀ କ୍ଷେତ୍ରରେ ଏପରି ସମ୍ଭାବନାକୁ ଏଡାଇ ଦେଇପାରୁନାହାନ୍ତି ବନ୍ୟାପ୍ରାଣୀ ବିଶେଷଜ୍ଞ ।