ଜାତୀୟ ପଶୁ ଉପରେ ପ୍ରକୃତିର କୋପ, ଅଭୟାରଣ୍ୟରେ ବାଘୁଣୀର ମୃତ୍ୟୁ, ନଅ ଦିନରେ ମିଳିଲା ୫ ଶବ

Published By : Prameya-News7 Bureau | May 16, 2021 IST

ଭୋପାଳ ୧୬।୦୫: ଦେଶରେ କରୋନା ଭାଇରସ୍‌ର ଦ୍ଵିତୀୟ ଲହରର ପ୍ରକୋପ ମଧ୍ୟରେ ଦେଶର ଜାତୀୟ ପଶୁ ବାଘ ଉପରେ ପ୍ରକୃତିର କୋପ ଦେଖିବାକୁ ମିଳିଛି। ମଧ୍ୟ ପ୍ରଦେଶର ପନ୍ନା ବ୍ୟାଘ୍ର ଅଭୟାରଣ୍ୟରେ ଛଅ ବର୍ଷୀୟ ଏକ ବାଘୁଣୀର ଶବ ମିଳିଛି। ଏହାକୁ ମିଶାଇ ଗତ ନଅ ଦିନରେ ପାଞ୍ଚ ବାଘ, ବାଘୁଣୀ ଓ ବାଘ ଶାବକଙ୍କ ମୃତ୍ୟୁ ଘଟିଛି।

ପନ୍ନା ବାଘ ଅଭୟାରଣ୍ୟର କ୍ଷେତ୍ର ସଞ୍ଚାଳକ ଉତ୍ତମ କୁମାର ଶର୍ମା ରବିବାର କହିଛନ୍ତି, ପନ୍ନା ବ୍ୟାଘ୍ର ଅଭୟାରଣ୍ୟର ଗହରିଘାଟ ଅଞ୍ଚଳର ବିଟ୍ କୋନି ନାଳରେ ବାଘୁଣୀ ପି-୨୧୩(୩୨)ର ଶନିବାର ମୃତ୍ୟୁ ଘଟିଛି। ସେ କହିଛନ୍ତି, ଏହି ବାଘୁଣୀର ଗୋଡ ଫୁଲିଥିବାର ଖବର ମେ ୧୨ରେ ମିଳିଥିଲା। ସୂଚନା ମିଳିବା ପରେ ଦ୍ଵିତୀୟ ଦିନଠୁ ଚିକିତ୍ସା ଆରମ୍ଭ କରାଯାଇଥିଲା।

ମୃତ୍ୟୁର କାରଣ ଅସ୍ପଷ୍ଟ

ଶର୍ମା କହିଛନ୍ତି, ବନ୍ୟ ପ୍ରାଣୀ ଚିକିତ୍ସକ ମେ ୧୩ ଓ ୧୪ରେ ବାଘୁଣୀଙ୍କ ଉପଚାର କରିଥିଲେ। ଏଥିରେ ବାଘୁଣୀ ଗୋଡର ଫୁଲା କମି ଯାଇଥିଲା ଏବଂ ଛୋଟେଇ ଛୋଟେଇ ଚାଲିବା ବନ୍ଦ ହୋଇଥିଲା। ମାତ୍ର ଶନିବାର ଅଚାନକ ବାଘୁଣୀର ମୃତ୍ୟୁ ଘଟିଛି।

ତଦନ୍ତ ପରେ ଜଣା ପଡିବ ସଠିକ୍ କାରଣ

ଶର୍ମା କହିଛନ୍ତି, ମୃତ ବାଘୁଣୀଙ୍କ ଭିସାରାରୁ ନମୂନା ମିଳିଛି। ଯାଞ୍ଚ ପରେ ବାଘୁଣୀର ମୃତ୍ୟୁର କାରଣ ସ୍ପଷ୍ଟ ହେବ। ପ୍ରକୃତି କାରଣରୁ ବାଘୁଣୀର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ବାଘୁଣୀର ପୋଷ୍ଟମର୍ଟମ କରାଯାଇଛି ଏବଂ ଶରୀରରେ କୌଣସି କ୍ଷତ ନଥିବା ଜଣା ପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.