୧୪ ଜଣଙ୍କୁ ମାରିଖାଇଥିବା ବାଘୁଣୀ ‘ଅବନୀ’କୁ ଗୁଳିକରି ହତ୍ୟା : ବାଘୁଣୀକୁ ଆକର୍ଷିତ କରିବା ପାଇଁ ପରଫ୍ୟୁମ୍ ହୋଇଥିଲା ବ୍ୟବହାର
3/11/2018 at 4:43 PM

ରାଲେଗାଓଁ ୩|୧୧: ସାତକୋଶିଆ ଅଭୟାରଣ୍ୟରେ ବାଘୁଣୀ ‘ସୁନ୍ଦରୀ’ ଆତଙ୍କରେ ସ୍ଥାନୀୟ ଲୋକ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ସପ୍ତାହରୁ ଅଧିକ ହେବ ବନବିଭାଗ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରିବା ପାଇଁ ଉଦ୍ୟମରେ ଲାଗିଛି । ହେଲେ ବାଘୁଣୀ ସୁନ୍ଦରୀ ଧରା ଛୁଆଁ ଦେଉ ନ ଥିବାରୁ ଚିନ୍ତାରେ ଅଛି ବନବିଭାଗ। ବାଘୁଣୀ ‘ସୁନ୍ଦରୀ’ ମଣିଷ ମାରିବା ପରେ ତାକୁ ଅନ୍ୟତ୍ର ସ୍ଥାନାନ୍ତର ଏବେ ଜରୁରୀ ହୋଇପଡିଛି ।
ସେପଟେ ମହାରାଷ୍ଟ୍ରରେ ଏକ ମଣିଷଖିଆ ବାଘୁଣୀକୁ ଗୁଳି କରି ହତ୍ୟା କରାଯାଇଛି । ମହାରାଷ୍ଟ୍ରର ପନ୍ଧର୍କୱାଡା ଜଙ୍ଗଲ ଓ ତାର ଆଖପାଖରେ ଆତଙ୍କ ସୃଷ୍ଟି କରିଥିଲା ବାଘୁଣୀ ‘ଅବନୀ’ । ତା ନାଁରେ ୧୪ ଜଣ ମଣିଷଙ୍କୁ ମାରି ଖାଇଥିବାର ଅଭିଯୋଗ ଥିଲା । ଏହି ମଣିଷଖିଆ ବାଘୁଣୀକୁ ଦେଖିବା ମାତ୍ରେ ଗୁଳି କରି ହତ୍ୟା କରିବା ପାଇଁ ମହାରାଷ୍ଟ୍ର ବନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏପରିକି ତାକୁ ଗୁଳି କରି ମାରିବା ପାଇଁ ସୁପ୍ରିମକୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଏପରିକି ଗତ ଅକ୍ଟୋବର ୧୬ ତାରିଖରେ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ ଏ ନେଇ କଣ ପଦକ୍ଷେପ ନିଆଯାଇଛି ତାହା ଜାଣିବା ପାଇଁ ମଧ୍ୟ ଚାହିଁଥିଲା।
ତେବେ ଗତକାଲି ରାତିରେ ବନବିଭାଗ ବାଘୁଣୀ ‘ଅବନୀ’କୁ ୟାବତମାଲ ଜଙ୍ଗଲରେ ଗୁଳି କରି ହତ୍ୟା କରିଥିବା ଜଣାପଡିଛି। ଏଥିପାଇଁ ସ୍ନିଫର ଡଗ୍ , ସାର୍ପସୁଟରଙ୍କୁ ନେଇ ବନବିଭାଗ ଦୀର୍ଘ ଦିନ ହେଲା ଅଭିଯାନ ଚଳାଇଥିଲା। ହେଲେ ଧରା ଛୁଆଁ ଦେଉନଥିଲା ବାଘୁଣୀ ‘ଅବନୀ’ । ଶେଷରେ ତାକୁ ଆକର୍ଷିତ କରିବା ପାଇଁ ଏକ ଖାସ୍ ଧରଣର ପରଫ୍ୟୁମ୍ ମଗାଯାଇଥିଲା ବିଦେଶରୁ । ଜଙ୍ଗଲ ଭିତରେ ଏହି ପରଫ୍ୟୁମ୍ ଛିଞ୍ଚି ଦେବା ପରେ ଫାନ୍ଦରେ ପଡିଥିଲା ଅବନୀ ।
ସୂଚନାଯୋଗ୍ୟ ଯେ ୨୦୧୬ ମସିହାରେ ଉତ୍ତରାଖଣ୍ଡର ନୈନିତାଲ ଜିଲ୍ଲାରେ ଏକ ମଣିଷ ଖିଆ ବାଘକୁ ଗୁଳି କରି ହତ୍ୟା କରାଯାଇଥିଲା। ସେହି ବାଘଟି ୨ ଜଣ ମଣିଙ୍କୁ ମାରିଥିଲା ବୋଲି ତା ନାଁରେ ଅଭିଯୋଗ ଥିଲା।