ବାପା ଆଖି ଆଗରେ ଝିଅକୁ ଟାଣିନେଲା ବାଘ, ଘଟଣାସ୍ଥଳରେ ଯୁବତୀଙ୍କ ମୃତ୍ୟୁ

Published By : Prameya-News7 Bureau | April 16, 2020 IST

ଭୋପାଳ ୧୬।୪: ବୁଧବାର ସନ୍ଧ୍ୟାରେ ଜଙ୍ଗଲରୁ ଫେରୁଥିବା ବେଳେ ଜଣେ ଯୁବତୀଙ୍କୁ ଏକ ବାଘ ଆକ୍ରମଣ କରିଥିଲା । ବାଘ ଆକ୍ରମଣରେ ମହିଳାଙ୍କର ମୃତ୍ୟୁ ହୋଇଛି । ବାଘଟି ଯୁବତୀଙ୍କୁ ଆକ୍ରମଣ କଲାବେଳେ ତାଙ୍କ ବାପା କିଛି ଦୂରରେ ଥିଲେ । ଘଟଣାଟି ପେଞ୍ଚ ଟାଇଗର ରିଜର୍ଭର ଗୁମତରା ରେଞ୍ଜରେ ଘଟିଛି ।

ସୂଚନା ଅନୁସାରେ, ମଧ୍ୟପ୍ରଦେଶ ଛିନ୍ଦଓ୍ବାଡା ଜିଲ୍ଲାର ଧୁୟେପାନି ଗାଁର ବାପା ଝିଅ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିଲେ । ଜଙ୍ଗଲରୁ ଫେରୁଥିବା ବେଳେ ବାଘଟି ଯୁବତୀଙ୍କୁ ଆକ୍ରମଣ କରିଥିଲା । ବାଘଟି ଯୁବତୀଙ୍କୁ କିଛି ବାଟ ପର୍ଯ୍ୟନ୍ତ ଟାଣି ନେଇଥିଲା । କିଛି ଦୂରରେ ଉପସ୍ଥିତ ଥିବା ଯୁବତୀଙ୍କ ବାପାଙ୍କ ପାଟି ଶୁଣି ବାଘଟି ଯୁବତୀଙ୍କୁ ଛାଡି ଜଙ୍ଗଲକୁ ଦୌଡି ପଳାଇଥିଲା । ବାପା ଝିଅଙ୍କ ପାଖରେ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ଯୁବତୀଙ୍କ ବାପା ପାଟି କରି ଜଙ୍ଗଲରେ ମହୁଲ ତୋଳୁଥିବା ଅନ୍ୟମାନଙ୍କୁ ପାଟିକରି ଡାକିଥିଲେ । ଏହାପରେ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ବନ ବିଭାଗକୁ ଘଟଣା ସମ୍ପର୍କରେ ଜଣାଇଥିଲେ । ବନ ବିଭାଗର ଅଧିକାରୀମାନେ କହିଛନ୍ତି ଯେ ଗ୍ରାମବାସୀଙ୍କୁ ଜଙ୍ଗଲକୁ ଯିବାକୁ ଅନୁମତି ନାହିଁ । କିନ୍ତୁ ଏହି ସମୟରେ ଗ୍ରାମବାସୀ ଜଙ୍ଗଲକୁ ଜଙ୍ଗଲଜାତ ଦ୍ରବ୍ୟ ଆଣିବାକୁ ଯାଇଥାନ୍ତି । ଯୁବତୀଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.