ସାତକୋଶିଆ ଅଭୟାରଣ୍ୟରେ ମହାବଳ ବାଘ ‘କାହ୍ନା’ର ମୃତ୍ୟୁ
15/11/2018 at 12:05 AM

ଅନୁଗୁଳ ୧୪/୧୧: ସାତକୋଶିଆ ଅଭୟାରଣ୍ୟରେ ମହାବଳ ବାଘ କାହ୍ନାର ମୃତ୍ୟୁ ହୋଇଛି । ଫଳରେ ସାତକୋଶିଆରେ ବ୍ର୍ୟାଘ୍ର ବଂଶ ବୃଦ୍ଧି ନେଇ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମକୁ ବଡ଼ ଧରଣର ଝଟକା ଲାଗିଛି । ଗତ ଜୁନ୍ ୧୨ ତାରିଖରେ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟରୁ ମହାବୀର ବା କାହ୍ନାକୁ ସାତକୋଶିଆ ଅଣାଯାଇଥିଲା । ସାତକୋଶିଆ ଅଭୟାରଣ୍ୟ ଭିତରେ କାହ୍ନା ଅତିଶିଘ୍ର ଖାପ ଖୁଆଇ ଯାଇଥିଲା ଏବଂ ଦୁଇ ଦେଶୀ ବାଘୁଣୀଙ୍କ ସହ ତା’ର ପ୍ରେମ ମଧ୍ୟ ହୋଇଥିଲା । ବାଘ ବଂଶ ବୃଦ୍ଧି ପାଇଁ ବାଘୁଣୀ ସୁନ୍ଦରୀକୁ ମଧ୍ୟ ମଧ୍ୟପ୍ରଦେଶରୁ ଅଣାଯାଇଥିଲା । କିନ୍ତୁ ବାଘୁଣୀ ସୁନ୍ଦରୀ ସାତକୋଶିଆରେ ଖାପ ଖୁଆଇ ପାରୁନଥିଲା । ବାଘୁଣୀ ସୁନ୍ଦରୀ ସମସ୍ତଙ୍କୁ ହଲାପଟା କରିଥିଲା । ଏପରିକି ଦୁଇ ଜଣ ମଣିଷଙ୍କୁ ମଧ୍ୟ ମାରିଥିଲା । କିନ୍ତୁ କାହ୍ନା ବେଶ୍ ଖୁସିରେ ଥିଲା ବୋଲି ବନ ଅଧିକାରୀମାନେ କହୁଥିଲେ । ତେବେ ଏହା ଭିତରେ କିନ୍ତୁ କାହ୍ନା ବେକରେ ଘା’ ହୋଇଥିଲା । ଯାହା ବନ କର୍ମଚାରୀମାନେ ଜାଣି ପାରିନଥିଲେ । ଜିପିଏସ ବ୍ୟବସ୍ଥା ଥିଲେ ମଧ୍ୟ ତାହା ଜଣାପଡ଼ିନଥିଲା । ଫଳରେ କାହ୍ନାର ଚିକିତ୍ସା କରାଯାଇ ପାରିନଥିଲା । ଆଉ ଘା’ ଧିରେଧିରେ ବ୍ୟାପିଯାଇଥିଲା । ଏଥିରେ ପୋକ ଲାଗି ସଂପୁର୍ଣ୍ଣ ମୁଣ୍ଡକୁ ନଷ୍ଟ କରିଦେଇଥିଲା । ଯାହା ଫଳରେ କାହ୍ନାର ମୃତ୍ୟୁ ହୋଇଥିଲା । ଜିପିଏସ ମାଧ୍ୟମରେ ଏହି ସୂଚନା ମିଳିବା ପରେ ବନ କର୍ମଚାରୀ କିଶୋର ସାହୁ ସାତକୋଶିଆର କୋର୍ ଏରିଆରେ ପହଞ୍ଚି କାହ୍ନାର ଶବକୁ ଠାବ କରିଥିଲେ । ଆସନ୍ତା କାଲି କାହ୍ନାର ଶବ ବ୍ୟବଚ୍ଛେଦ କରାଯିବ ।ଜାୟୀୟ ବ୍ୟାଘ୍ର ପ୍ରକଳ୍ପର ଅଧିକାରୀ ମଧ୍ୟ ପ୍ରଦେଶ କାହ୍ନା ଅଭୟାରଣ୍ୟର ଅଧିକାରୀ ଏବଂ ରାଜ୍ୟର ବରିଷ୍ଠ ଜଙ୍ଗଲ ଅଧିକାରୀଙ୍କ ଉପସ୍ଥିତିରେ କାହ୍ନାର ଶବ ବ୍ୟବଚ୍ଛେଦ ହେବ ବୋଲି ଡାକ୍ତର କିଶୋର ଚନ୍ଦ୍ର ସାହୁ କହିଛନ୍ତି । କାହ୍ନାର ମୃତ୍ୟୁ ଜାତୀୟ ବ୍ର୍ୟାଘ୍ର ପ୍ରକଳ୍ପ ପାଇଁ ଏକ ବଡ଼ ଧରଣର ଝଟକା ।