ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା

Published By : Prameya-News7 Bureau | December 05, 2021 IST

ଭୋପାଳ, ୦୫/୧୨ : ମୃତ୍ୟୁ ମୁହଁରୁ ପୁଅର ଜୀବନ ଛଡାଇ ଆଣିଲା ମାଆ । ଶିକାରୀ ବାଘ ମୁହଁରୁ ଛଡାଇ ଆଣିଲା ପୁଅକୁ ।  ଏପରି ଘଟଣା ସାମ୍ନାକୁ ଆସିଛି ମଧ୍ୟ ପ୍ରଦେଶର ସିଧି ଜିଲ୍ଲାରେ । ଜଣେ  ମହିଳା ନିଜର  ୬ ବର୍ଷର ଶିଶୁକୁ ଏକ କଲରାପତରିଆ ବାଘ କବଳରୁ ଉଦ୍ଧାର କରିଛନ୍ତି। ସେ ଏକ କି.ମି ଯାଏଁ ବାଘର ପିଛା କରି ପୁଅକୁ ଉଦ୍ଧାର କରିଛନ୍ତି।

ସୂଚନା ଅନୁସାରେ, ସିଧି ଜିଲ୍ଲାର କୁସମୀ ବ୍ଲକର ଟମସାର ରେଞ୍ଜରେ ଥିବା ବାଡିଝାରିଆ ଗାଁରେ ରହିଛି ଘଞ୍ଚ ଜଙ୍ଗଲ। ଏହି ଅଞ୍ଚଳରେ ବନ୍ୟଜନ୍ତୁମାନେ ମଧ୍ୟ ରହୁଛନ୍ତି। ଗତ ରବିବାର ସନ୍ଧ୍ୟାରେ ଏହି ଅଞ୍ଚଳର କିରଣ ବୈଗା ନାମକ ଜଣେ ମହିଳା ତାଙ୍କର ୬ ବର୍ଷର ଶିଶୁ ପୁତ୍ରକୁ ଧରି ବସିଥିଲେ। ଏହି ସମୟରେ ହଠାତ ଏକ କଲରା ପଚରିଆ ବାଘ ଶିଶୁ ପୁତ୍ରକୁ ଝାମ୍ପି ନେଇଯାଇଥିଲା ।ନିଜ ପୁଅକୁ ବାଘ ଝାମ୍ପି ନେବା ଦେଖି କିରଣ ସଙ୍ଗେସଙ୍ଗେ ବାଘର ପିଛା କରିଥିଲେ। ଅନ୍ଧାର ରାତିରେ ପ୍ରାୟ  ୧ କି.ମି ପିଛା କରିବା ପରେ ବାଘ ସହ ଲଢିଥିଲେ । କିରଣଙ୍କ ସାହସ ଦେଖି ବାଘ ସେଠାରୁ ଚାଲିଯାଇଥିଲା । ତୁରନ୍ତ କିରଣ ପୁଅକୁ ହାତରେ ଧରି ପକାଇତିଲେ । ଏପରି ଭାବେ ନିଜ ପୁଅକୁ ରକ୍ଷା କରିଥିଲେ।

ତେବେ ଉଭୟ ମାଆ ଓ ପୁଅ ବାଘ ଆକ୍ରମଣରେ ଆହତ ହୋଇଥିଲେ। ଶିଶୁଙ୍କୁ ଉଦ୍ଧାର କରିବା ପରେ କିରଣ ବେହୋସ ହୋଇଯାଇଥିଲେ। ପାଟି ଶୁଣି ଗ୍ରାମବାସୀମାନେ ସେମାନଙ୍କୁ ଉଦ୍ଧାର କରିଥିଲେ। ଦୁହିଁଙ୍କୁ ଏବେ କୁସମୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ କିରଣଙ୍କ ଏହି ଅଦମ୍ୟ ସାହାସକୁ ଚାରିଆଡୁ ପ୍ରଶଂସା କରାଯାଉଛି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ମଧ୍ୟ କିରଣଙ୍କ ସାହସକୁ ପ୍ରଶଂସା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.