ଅବ୍‌ନୀକୁ ମାରିଲେ, ଏବେ ତାର ଦୁଇ ଛୁଆ ନୟାନ୍ତ କଲେଣି: ବାଘ ଛୁଆଙ୍କ ପାଇଁ କାହିଁକି ଏତେ ବିବ୍ରତ ବନ ବିଭାଗ ?

Published By : Prameya-News7 Bureau | November 16, 2018 IST

ମଣିଷଖିଆ ବାଘୁଣୀ ଅବ୍‌ନୀକୁ ସିନା ମାରିଦେଲେ, ଏବେ ତାର ଦୁଇ ଶାବକଙ୍କ ପାଇଁ ହନ୍ତସନ୍ତ ହେଲାଣି ମହାରାଷ୍ଟ୍ର ବନ ବିଭାଗ । ତେବେ ଏଠି ଭୟ ନୁହେଁ , ଦୁଇ ବାଘ ଶାବକଙ୍କ ଜୀବନ ପାଇଁ ଚିନ୍ତା । ନଭେମ୍ବର ୨ରେ ମାଆ ଅବ୍‌ନୀର ମୃତ୍ୟୁ ପରଠୁ ମାଆ ଛେଉଣ୍ଡ ଦୁଇ ଶାବକଙ୍କ ଜୀବନ ନେଇ ଆଶଙ୍କା ସୃଷ୍ଟି ହୋଇଛି । ଦୁଇ ଶାବକଙ୍କୁ ୧୦ ମାସ ଲେଖାଁଏ ବୟସ ହେବ । ସେମାନଙ୍କୁ ଠାବ କରି  ଉଦ୍ଧାର କରିବାକୁ ଉଦ୍ୟମ ଜାରି ରଖିଛି  ବନ ବିଭାଗ । ତେବେ ମା ବାଘୁଣୀ ଅବ୍‌ନୀ ମୃତ୍ୟୁର  ଦୁଇ ସପ୍ତାହ ପରେ ଦୁଇ ବାଘ ଛୁଆଙ୍କ ଫଟୋ କ୍ୟାମେରାରେ ଧରାପଡିବା ପରେ ବନବିଭାଗ କର୍ମଚାରୀଙ୍କ ମନରେ ଆଶା ସଞ୍ଚାର ହୋଇଛି । ଦୁଇ ବାଘ ଶାବକ ମଧ୍ୟରୁ ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଇ ବାଘ । ସେମାନଙ୍କୁ ପ୍ରଥମେ ବୁଧବାର ସକାଳେ ବିହିରଗବ ଗାଁ ନିକଟରେ ଠାବ କରାଯାଇଥିଲା । ରେକର୍ଡ କରାଯାଇଥିବା ଅବ୍‌ନୀ ଗର୍ଜନ ଦ୍ୱାରା ବାଘ ଶାବକ ଦୁହିଁଙ୍କୁ ଟ୍ରାକ୍ କରାଯାଇଥିଲା । ଗତ ପ୍ରାୟ ବର୍ଷକ ତଳେ ବନ ବିଭାଗ ଅବ୍‌ନୀର ଗର୍ଜନ ରେକର୍ଡ କରିଥିଲେ । ପରୀକ୍ଷା  ମୂଳକ ବ୍ୟବହାର କରି, ବାଘ ସାବକଙ୍କୁ ଠାବ କରାଯାଇଥିଲା । ତେବେ ଆଶ୍ଚର୍ଯ୍ୟର କଥାଟି ହେଲା ବିହିଗାଓଁ ଡ୍ୟାମ୍‌ ନିକଟରେ ଠାବ ହେବାର ଦିନକପରେ ଅଞ୍ଜି ଡ୍ୟାମ୍‌ ନିକଟରେ ଦୁଇ ବାଘ ଛୁଆଙ୍କୁ ଠାବ କରିଥିଲା କ୍ୟାମେରା । ଦୁଇ ବାଘ ଛୁଆ ଗୋଟିଏ ରାତିରେ ସାଢେ ସାତ କିଲୋମିଟର ଯିବା ବି ଆଶ୍ଚର୍ଯ୍ୟ କରିଛି ବନବିଭାଗ କର୍ମଚାରୀଙ୍କୁ । ସେ ଯାହା ହେଉ ପରସ୍ପର ସହ ଖେଳୁଥିବା ଓ ସାଙ୍ଗ ହୋଇ ବୁଲୁଥିବା ଦୁଇ ବାଘ ଛୁଆଙ୍କ ସ୍ୱାସ୍ଥ୍ୟ ଭଲ ଥାବା ଆଶ୍ୱସ୍ତି ଦେଇଛି । ତଥାପି ମାଆ ବାଘୁଣୀ ବିନା ଏହି ଦୁଇ ଛୁଆ ବେଶି ଦିନ ବଞ୍ଚିବା କଷ୍ଟକର ହୋଇଥିବାରୁ ସେମାନଙ୍କୁ ତୁରନ୍ତ ଧରି ବାକୁ ବନବିଭାଗ ଉଦ୍ୟମ ଜାରି ରଖିଛି । ବାଘ ଛୁଆ ଦୁହିଁଙ୍କୁ ଧରାଯିବା ପରେ ସେମାନଙ୍କୁ ପ୍ରଥମେ ମହାରାଷ୍ଟ୍ରର ପେଞ୍ଚ ଟାଇଗର ରିଜର୍ଭରେ ଛଡାଯିବ । ସେଠାରେ ଶିକାର ତାଲିମ ପରେ ସେମାନଙ୍କୁ ଜଙ୍ଗଲରେ ଛଡାଯିବ ବୋଲି କହିଛନ୍ତି ପ୍ରିନ୍ସପାଲ ଚିଫ କଞ୍ଜରଭେଟର ଅଫ ଫରେଷ୍ଟ ଏ.କେ.ମିଶ୍ର । ଜବତମାଲର ମଣିଷ ଖିଆ ବାଘୁଣୀ ଅବ୍‌ନୀ ୧୩ ଜଣ ମଣିଷଙ୍କୁ ମାରିବା ପରେ ତାକୁ ଗୁଳି କରିବାକୁ ନିଷ୍ପତ୍ତି ହୋଇଥିଲା । ଏଥିଲାଗି ସାର୍ପ ସୁଟର ନବାବ ଶଫଥା ଅଲ୍ଲି ଖାନ୍‌କୁ ଦାୟୀତ୍ୱ ଦିଆ ଯାଇଥିଲା । ତେବେ ଅବ୍‌ନୀର ମୃତ୍ୟୁ ପରେ ପୋଷ୍ଟ ମର୍ଟ ରିପୋର୍ଟ ତଥ୍ୟ ଓ କିଛି କଥାକୁ ନେଇ ବିବାଦ ଆରମ୍ଭ ହୋଇଛି । ସରକରାଙ୍କ ଦ୍ୱାରା ନିଯୁକ୍ତ ତଦନ୍ତକାରୀ ଟିମ୍‌କୁ ନଭେମ୍ବର ୨୬ ସୁଦ୍ଧା ତଦନ୍ତ ରିପୋର୍ଟ ଲାଗି ନିର୍ଦ୍ଦେଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.