ନୂଆ ବର୍ଷ ପାଇଁ ପୁରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା,ମୋବାଇଲ ଷ୍ଟାଣ୍ତ ସହ ସ୍ୱୟଂକ୍ରୀୟ ପାଦ ପ୍ରକ୍ଷାଳୟ ବ୍ୟବସ୍ଥା ହେବ…
30/12/2019 at 8:45 PM

ପୁରୀ୩୦/୧୨: ଶ୍ରୀକ୍ଷେତ୍ର ପୁରୀରେ ବର୍ତ୍ତମାନ ଯେଉଁଭଳି ସୌନ୍ଦର୍ଯ୍ୟକରଣ ଚାଲିଛି ଏବେ ଭକ୍ତ ଓ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ରହିଛି ପୁରୀ। ଆଉ ଏସବୁକୁ ଦେଖି ଶ୍ରୀମନ୍ଦିରକୁ ବି ନବବର୍ଷ ପାଇଁ ଖୁବ ସୁନ୍ଦର ଭାବେ ସଜାଯାଇଛି। ଅନ୍ୟପଟେ ଗତକାଲି ଠାରୁ ବିଭିନ୍ନ ହୋଟେଲ ମାନଙ୍କରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ପର୍ଯ୍ୟଟକ ମାନେ ଏଥିରେ ସାମିଲ ହୋଇ ଭରପୁର ମଜା ଉଠାଉଛନ୍ତି।

ନୂଆବର୍ଷ ପାଇଁ ପୁରୀରେ ଏବେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ । ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ କରି ବର୍ଷ ଆରମ୍ଭ କରିବାକୁ ସବୁ ଭକ୍ତ ଚାହୁଁଥିବାରୁ ପୁରୀ ବି ଏବେ ଯେମିତି ଭକ୍ତଙ୍କୁ ସ୍ବାଗତ କରିବାକୁ ସଜେଇ ହୋଇଛି । ସଜେଇ ହୋଇଛି ଶ୍ରୀମନ୍ଦିର, ସଜେଇ ହୋଇଛି ମେଘନାଦ ପାଚେରୀ। ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ୱାରରେ ନୂଆ ବ୍ୟାରିକେଡ଼ ସହ ମାର୍କେଟ ଛକ ପର୍ଯ୍ୟନ୍ତ ଅସ୍ଥାୟୀ ବ୍ୟାରିକେଡ଼ କରାଯାଇଛି।

ମାର୍କେଟ ଛକ ନିକଟରେ ଗାଡ଼ି ପାର୍କିଂ ସହ ନୁଃଶୁକ୍ଳ ଜୋତା, ମୋବାଇଲ ଷ୍ଟାଣ୍ତ ମଧ୍ୟ କରାଯାଇଛି। ଭକ୍ତମାନେ ମାର୍କେଟ ଛକରୁ ଚାଲି ଚାଲି ଆସି ସିଂହଦ୍ୱାର ଦେଇ ମହାପ୍ରଭୁଙ୍କ ଦର୍ଶନ କରିବେ ଓ ଅନ୍ୟ ୩ ଦ୍ୱାରରେ ପ୍ରସ୍ଥାନ କରିବେ। ନୂଆବର୍ଷରୁ ନୂଆ ବ୍ୟାରିକେଡ଼ ଓ ସାମିଆନା ପ୍ରସ୍ତୁତ ହୋଇଥିବା ବେଳେ ସିଂହଦ୍ୱାର ଓ ବଡ଼ଦାଣ୍ତକୁ ରଙ୍ଗ ଓ ଫୁଲରେ ସଜ୍ଜିତ କରାଯାଇଛି। ଭକ୍ତଙ୍କ ବ୍ୟବହାର ପାଇଁ ନୂତନ ଜୋତା, ମୋବାଇଲ ଷ୍ଟାଣ୍ତ ସହ ସ୍ୱୟଂକ୍ରୀୟ ପାଦ ପ୍ରକ୍ଷାଳୟ ବ୍ୟବସ୍ଥା ମଧ୍ୟ କାର୍ଯ୍ୟକାରୀ ହେବ।

ବାତ୍ୟା ଫନିର ପ୍ରଭାବରେ ଅସ୍ଥବ୍ୟସ୍ଥ ହୋଟେଲ ଶିଳ୍ପ ଏବେ ପୁଣି ଚଳଚଞ୍ଚଳ ହେଲାଣି । ପର୍ଯ୍ୟଟକମାନଙ୍କ ଆକୃଷ୍ଟ ନିମନ୍ତେ ପୁରୀରେ ଏବେ ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ସମୁଦ୍ରକୂଳରେ ଅଧିକାଂଶ ହୋଟେଲ ଏବେ ସୁସଜ୍ଜିତ ହୋଇଛି । ପର୍ଯ୍ୟଟକମାନଙ୍କର ସମୁଦ୍ର ସ୍ନାନ, ଶ୍ରୀଜୀଉଙ୍କ ଦର୍ଶନ ଏବଂ ନୂଆବର୍ଷର ମଜା ଉଠାଇବା ପାଇଁ ପୁରୀରେ ଏବେ ଧିରେଧିରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହା ସହ ଗତକାଲି ଠାରୁ ବିଭିନ୍ନ ହୋଟେଲ ମାନଙ୍କରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପୁରୀରେ ଥିବା ହୋଟେଲ ଭିକ୍ଟୋରିଆ, ହୋଟେଲ ଏମ୍ପେୟାର୍ସ ସହ ଅଧିକାଂଶ ହୋଟେଲରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ରାଜ୍ୟ ବାହାରର ସୁନାମଧନ୍ୟ କଣ୍ଠଶିଳ୍ପୀମାନଙ୍କର ସଂଗୀତ ସହ ଡ଼ିଜେ ମ୍ୟୁଜିକର ତାଳେ ତାଳେ ଝୁମିଛନ୍ତି ଦର୍ଶକ ।

ନୂଆବର୍ଷରେ ଭକ୍ତ ତଥା ପର୍ଯ୍ୟଟକ ମାନେ ନୂଆ ଅନୁଭବ ପାଇବେ। ଶ୍ରୀମନ୍ଦିର ଓ ସିଂହଦ୍ୱାର ଅଞ୍ଚଳକୁ ନୁଆକରି ସଜ୍ଜିତ କରାଯାଇଥିବା ବେଳେ ଭକ୍ତଙ୍କ ପାଇଁ ସମସ୍ତ ସୁବିଧା ରହିଥିବାରୁ ଏହା ଭକ୍ତଙ୍କୁ ଆକର୍ଷିତ କରିବ ନିଶ୍ଚୟ।