ହୁ ହୁ ହୋଇ ବଢୁଛି କରୋନା, ପଶ୍ଚିମବଙ୍ଗରେ ଗୁରୁବାର ଓ ଶନିବାର ଲକ୍‌ଡାଉନ୍‌

Published By : Prameya-News7 Bureau | July 20, 2020 IST

କୋଲକାତା ୨୦।୦୭: ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ବଢୁଥିବା ସଂକ୍ରମଣ ମଧ୍ୟରେ ରାଜ୍ୟ ସରକାର ସପ୍ତାହରେ ଦୁଇ ଦିନ ସଂପୂର୍ଣ୍ଣ ଲକ୍‌ଡାଉନ୍ ଲାଗୁ କରିବାକୁ‌ ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟ ସଚିବ ଅଲପନ ବନ୍ଦୋପାଧ୍ୟାୟ କହିଛନ୍ତି ପୂରା ପଶ୍ଚିମବଙ୍ଗରେ ଚଳିତ ସପ୍ତାହଠୁ ପ୍ରତି ଗୁରୁବାର ଓ ଶନିବାର ସଂପୂର୍ଣ୍ଣ ଲକ୍‌ଡାଉନ୍ ଲାଗୁ ହେବ।

ଅଧିକାରୀ କହିଛନ୍ତି ରାଜ୍ୟରେ ଆଉ ୬୩ ଅଞ୍ଚଳକୁ ନିଷିଦ୍ଧ କ୍ଷେତ୍ର ଘୋଷିତ କରାଯାଇଛି। ଏହାକୁ ମିଶାଇ ରାଜ୍ୟରେ ନିଷିଦ୍ଧାଞ୍ଚଳ କ୍ଷେତ୍ର ସଂଖ୍ୟା ୭୩୯ରେ ପହଞ୍ଚିଛି।  କରୋନା ସଂକ୍ରମଣ ରୋକିବା ପାଇଁ ପୂର୍ବରୁ ଏହି ସବୁ ଅଞ୍ଚଳରେ ଲକ୍‌ଡାଉନ୍‌ ଲାଗୁ ହୋଇଛି। କୋଲକାତାରୁ ପ୍ରତି ଦିନ ରାଜ୍ୟର ସବୁଠୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ପ୍ରତି ସପ୍ତାହରେ ଗୁରୁବାର ଓ ଶନିବାର ସଂପୂର୍ଣ୍ଣ ଲକ୍‌ଡାଉନ୍ ଲାଗୁ ହେବ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ କରୋନା ଭୂତାଣୁ ସଂକ୍ରମଣର ୨,୨୭୮ ନୂତନ କେସ୍ ସାମ୍ନାକୁ ଆସିବା ପରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟି ୪୨,୪୮୭ରେ ପହଞ୍ଚିଛି। ସ୍ଵାସ୍ଥ୍ୟ ବିଭାଗର ତାଜା ବୁଲେଟିନ୍ ଅନୁଯାୟୀ  ରାଜ୍ୟରେ ଘାତକ କରୋନା ଭାଇରସ୍ କାରଣରୁ ଗତ ୨୪ ଘଣ୍ଟାରେ ୩୬ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧୧୨ରେ ପହଞ୍ଚିଛି।

କୋଲକାତାରେ ସର୍ବାଧିକ ୧୫ ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିବା ବେଳେ ଉତ୍ତର ୨୪ ପ୍ରଗଣାରେ ୯, ହୁଗୁଳିରେ ୪, ହାଓ୍ଵଡା ଓ ଦକ୍ଷିଣ ୨୪ ପ୍ରଗଣାରେ ତିନୋଟି ଲେଖାଏଁ, ପୂର୍ବ ମେଦିନାପୁର ଓ ପଶ୍ଚିମ ମେଦିନାପୁରରେ ଜଣେ ଲେଖାଏଁ ସଂକ୍ରମିତଙ୍କ ପ୍ରାଣହାନୀ ଘଟିଛି।

ରାଜ୍ୟରେ ବର୍ତ୍ତମାନ ୧୬,୪୯୨ ସଂକ୍ରମିତଙ୍କ ବିଭିନ୍ନ  ହସ୍ପିଟାଲରେ ଚିକିତ୍ସା ଜାରି ରହିଛି। ଗତ ୨୪ ଘଣ୍ଟାରେ ୧୩୪୪ ସଂକ୍ରମିତ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଅନ୍ୟପକ୍ଷେ ଦେଶରେ ଗତ ୨୪ ଘଣ୍ଟାରେ ରେକର୍ଡ ୪୦,୪୨୫ କେସ୍ ସାମ୍ନାକୁ ଆସିବା ପରେ ସଂକ୍ରମିତଙ୍କ ସଂଖ୍ୟା ୧୧ ଲକ୍ଷ ଟପିଛି। ଏହି ସମୟରେ ୬୮୧ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ ମହାମାରୀରେ ୨୭,୪୯୭ ଜଣଙ୍କ ମୃତ୍ୟୁ ଘଟି ସାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.