କାଳବୈଶାଖି ତାଣ୍ଡବ ଯୋଗୁଁ ଗୋଟିଏ ଗାଁର ୪୫ଟି ପରିବାର ବେଘର : ଗଛ ତଳେ ବିତୁଛି ଜୀବନ

Published By : Prameya-News7 Bureau | June 03, 2019 IST

ତରଭା ୩/୬ : କାଳବୈଶାଖି ହେଲା କାଳ । ପ୍ରଚଣ୍ଡ ଘୁର୍ଣ୍ଣିଝଡ ବାତ୍ୟାରେ ପୁରାଗାଁର ୪୫ଟି ପରିବାର ବେଘର ହୋଇଯାଇଛନ୍ତି। ବଡବଡ ଗଛ ପଡି ଗାଁକୁ ଥିବା ରାସ୍ତା ବନ୍ଦ ହୋଇଯାଇଥିବାବେଳେ ଘର ଛାତ ଉଡି ଯାଇଥିବାରୁ ଏବେ ଖୋଲା ଆକାଶ ଏମାନଙ୍କ ଘର ହୋଇଥିବା ବେଳେ ତାତି ଓ ଗୁଳୁଗୁଳିରେ ବିତୁଛି ଜୀବନ ।

{"id":119026}

କାଳବୈଶାଖିର ଘୁର୍ଣ୍ଣିଝଡ ଛଡାଇ ନେଇଛି ଏମାନଙ୍କ ମୁଣ୍ଡ ଉପରୁ ଛାତ । ଆକସ୍ମିକ ଭାବେ ଆସିଥିବା କାଳବୈଶାଖି ପ୍ରଭାବରେ ଗାଁର କେବଳ ଘରର ଛାତ କି ଚାଳ ଛପର ନୁହେଁ, ଘରେ ସଂଗୃହିତ ଥିବା ବର୍ଷକର ଆହାର ବି କାଳବୈଶାଖିର ବର୍ଷାରେ ଭିଜି ନଷ୍ଟ ହୋଇଯାଇଛି ।

{"id":119029}

କାହାର ନଡା ସବୁ ଉଡି ଯାଇଛି ତ କାହାର ଆଜବେଷ୍ଟ ପଡି ଗୁଣ୍ଡ ହୋଇଯାଇଛି । ଛୁଆପିଲା ଧରି ମୁଣ୍ଡ ଗୁବାକୁ ଜାଗା ନ ଥିବା ରୁ କିଏ ଗଛ ତଳେ ତ ଆଉ କିଏ ପତ୍ର ଫଡିରେ ନେଇଛନ୍ତି ଆଶ୍ରୟ ।  ଆହୁରି ମଧ୍ୟ ଗାଁକୁ ଯାଇଥିବା ରାସ୍ତାରେ ବଡବଡ ଗଛ ପଡିଯାଇ ଥିବାରୁ ରାସ୍ତା ହୋଇଯାଇଛି ବନ୍ଦ । ପ୍ରଶାସନ ତରଫରୁ କୌଣସି ସହଯୋଗ ନମିଳିବାରୁ  ଗାଲୋକେ ନିଜ ପ୍ରଚେଷ୍ଟାରେ ଉଦ୍ଧାରକାର୍ଯ୍ୟ ଚଳାଇଛନ୍ତି ।

{"id":119027}

ପ୍ରଚଣ୍ଡ ଖରାରେ ଗୋଟାଏ ଗାଁର ୪୫ ଟି ପରିବାର ବେଘର ହୋଇଥିବାବେଳେ ପ୍ରଶାସନ ପକ୍ଷରୁ କୌଣସି ସୁବିଧା କିମ୍ବା କିଛି ରିଲିଫ ମିଳିନାହିଁ ।  ଅସୁବିଧାରେ ଅଛନ୍ତି ସମଗ୍ର ସାଗରପାଲି ଗାଁ ଲୋକେ । କେବଳ ସାଗରପାଲି ଗାଁ ନୁହେଁ ଆଖପାଖର କୁଲଥାପଦର, ଜନକପୁର ଏବଂ କୁମ୍ଭାରମୁଣ୍ଡା  ପ୍ରମୁଖ ଗାଁରେ ବି ବ୍ୟାପକ କ୍ଷୟକ୍ଷତି ହୋଇଛି ।

{"id":119030}

ଶିଘ୍ର କ୍ଷୟ କ୍ଷତି ଆକଳନ ପୁର୍ବକ ରିଲିଫ ଯୋଗାଇ ଦେବାକୁ ଦାବି କରିଛନ୍ତି ଗାଁ ଲୋକେ । ଶିଘ୍ର ରିଲିଫ ବ୍ୟବସ୍ଥା କରାନଗଲେ ଗାଁଲୋକେ ନାହିଁ ନଥିବା ଅସୁବିଧାର  ସମ୍ମୁଖିନ ହେବେ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । 

{"id":119028}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.