ସନ୍ଧ୍ୟାରେ ଏହି ୫ଟି ଜିଲ୍ଲାରେ ହେବ କାଳବୈଶାଖୀ ବର୍ଷା ସହ ବଜ୍ରପାତ

Published By : Prameya-News7 Bureau | April 27, 2019 IST

ଭୁବନେଶ୍ବର ୨୭|୪: ରାଜ୍ୟର ୫ ଜିଲ୍ଲା ପାଇଁ କାଳବୈଶାଖୀ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସନ୍ଧ୍ୟାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ୫ଟି ଜିଲ୍ଲା ହେଲା କନ୍ଧମାଳ, କୋରାପୁଟ, ରାୟଗଡା, ଗଜପତି ଏବଂ ଗଞ୍ଜାମ । କାଳବୈଶାଖୀ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏହି ସମସ୍ତ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହଠାତ୍‌ ପାଗରେ ପରିବର୍ତ୍ତନ ହେବା ସହ କାଳବୈଶାଖୀ ଜନିତ ଝଡପବନ ସହ ବର୍ଷା ଆରମ୍ଭ ହୋଇଯିବ। ଏଥିସହ ଏହି ସମୟ ମଧ୍ୟରେ ଘଣ୍ଟାପ୍ରତି ୩୦ର ୪୦ କିଲୋମିଟର ବେଗରେ ପବନ ବହିବା ସହ ବଜ୍ରପାତର ଆଶଙ୍କା ରହିଥିବାରୁ କାଳବୈଶାଖୀ ସମୟରେ ପଦାକୁ ନ ବାହାରିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ।

ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ସର୍ବାଧିକ ତାପମାତ୍ରା ଆଜି ୩୯ଡିଗ୍ରୀ ଛୁଇଁବ ବୋଲି ଆକଳନ କରାଯାଇଛି । ଭୁବନେଶ୍ବର ପବନରେ ଆର୍ଦ୍ରତା ୫୪ପ୍ରତିଶତ ଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭବ ହେଉଛି । ରାତିର ତାପମାତ୍ରା ମଧ୍ୟ ବେଶ ଉଷୁମ ରହିବ । ପାରଦ ସର୍ବନିମ୍ନ  ୨୮ଡିଗ୍ରୀ ଖସିବ । ପଶ୍ଚିମଓଡିଶା ଅନେକ ସ୍ଥାନରେ ଦିନ ଗୋଟାଏ ସୁଦ୍ଧା ପାରଦ ୪୦ଡିଗ୍ରୀ ଟପିଛି  । ଏହା ଆହୁରି ବଢିବ । ବଲାଙ୍ଗିର, ସୋନପୁର ଏବଂ ଟିଟିଲାଗଡରେ ଦିନ ଗୋଟାଏ ସୁଦ୍ଧା ୪୩ଡିଗ୍ରୀ ପହଞ୍ଚିଥିବା ବେଳେ ତାତି ୪୪ଡିଗ୍ରୀ ଭଳି ଅନୁଭବ ହେଉଛି । ଘରୋଇ ପାଣିପାଗ ସଂସ୍ଥା ସ୍କାଇମେଟ୍ ଅନୁଯାୟୀ ଆଜି ବଲାଙ୍ଗିରର ସର୍ବାଧିକ ତାପମାତ୍ରା ୪୫ଡିଗ୍ରୀ ଛୁଇଁପାରେ । ସୋନପୁର ଏବଂ ହୀରାକୁଦରେ ପାରଦ ୪୧ଡିଗ୍ରୀ ଥିବା ବେଳେ ଏହା ସର୍ବାଧିକ ୪୩ଡିଗ୍ରୀ ଛୁଇଁପାରେ । ତେବେ ପଶ୍ଚିମା ବାୟୁ ପ୍ରବାହ ଯୋଗୁଁ ତାତି ବଢି ଚାଲିଛି । ଏଭଳି ସ୍ଥିତି ଆସନ୍ତା ୩ ଦିନ ଯାଏଁ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.