ଚଡକ ନେଲା ଜୀବନ: ବିଭିନ୍ନ ସ୍ଥାନରେ ବଜ୍ରପାତ, ୧୩ ମୃତ
25/06/2020 at 10:04 PM

ଲକ୍ଷ୍ନୌ, ୨୫|୦୬: ଉତ୍ତରପ୍ରଦେଶର ଗୋରଖପୁରରେ ପ୍ରକୃତିର କରାଳ ରୂପ ଦେଖିବାକୁ ମିଳିଛି । ଗୁରୁବାର ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୧୩ଜଣ ପ୍ରାଣ ହରାଇଥିବା ସହ ୨୦ରୁ ଅଧିକ ଗୁରୁତର ହୋଇଛନ୍ତି । ମୃତ୍ୟୁବରଣ କରିଥିବା ଅଧିକାଂଶ ବ୍ୟକ୍ତି କୃଷକ ହୋଇଥିବା ସୂଚନା ମିଳିଛି ।
ରାଜ୍ୟର ଦେବାରିୟା ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବଜ୍ରପାତରେ ୯ଜଣ ମୃତ୍ୟୁବରଣ କରିଥିବା ବେଳେ ୧୬ଜଣ ଗୁରୁତର ହୋଇଛନ୍ତି । ଏପରିକି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଉପରେ ମଧ୍ୟ ବଜ୍ରପାତ ହୋଇଥିଲେ । କାର୍ଯ୍ୟାଳୟର ଅନେକ କମ୍ପ୍ୟୁଟର୍ ପୋଡିଯାଇଛି । ଦୁଇଟି ଗୃହପାଳିତ ପଶୁ ମଧ୍ୟ ପ୍ରାଣହରାଇଛନ୍ତି ।
ସେହିପରି ସିଦ୍ଧାର୍ଥନଗର ଜିଲ୍ଲାର ରଚନପୁର ଗ୍ରାମରେ ଜମିରେ ଚାଷ କରୁଥିବା ବେଳେ ୨ଜଣ କୃଷକ ବଜ୍ରପାତରେ ପ୍ରାଣ ହରାଇଛନ୍ତି । ଏତତ୍ ବ୍ୟତୀତ କୁଶିନଗର ଜିଲ୍ଲାରେ ମଧ୍ୟ ଜଣେ କୃଷକ ପ୍ରାଣ ହରାଇଛନ୍ତି । ଆହୁରି ମଧ୍ୟ ମହରାଜଗଞ୍ଜର କୋତବଲୀ ଅଞ୍ଚଳରେ ମଧ୍ୟ ଜଣେ କୃଷକ ବଜ୍ରପାତରେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।