ବଜ୍ରପାତରେ ଜଳିଗଲା ୨୫ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

Published By : Prameya-News7 Bureau | May 01, 2021 IST

ଭଦ୍ରକ, ୦୧/୦୫:  ବଜ୍ରାଘାତରେ ଜଳିଗଲା ୫ଟି ପରିବାର  ୨୫ରୁ ଉର୍ଦ୍ଧ୍ୱ ବଖରା ଘର । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ । ଏପରି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ତିହିଡି ବ୍ଲକ ଅଚକ ପଞ୍ଚାୟତ ଗୋପ ସାହିରେ ।

ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ଘରେ ଶୋଇଥିବା ଅବସ୍ଥାରେ ଅଗ୍ନିକାଣ୍ଡ ହୋଇଥିଲା ।  ରାତିରେ ଜୋର୍ ବର୍ଷା ପବନ ସହ ବଜ୍ରପାତ ମଧ୍ୟ ହୋଇଥିଲା । ବଜ୍ରାଘାତ ଯୋଗୁଁ ଘର ଗୁଡିକରେ ନିଆଁ ଲାଗିଯାଇଥିଲା । ଘର ଗୁଡିକ ପାଖ ପାଖ ଲାଗିରହିଥିବାରୁ, ଚାହୁଁ ଚାହୁଁ ନିଆଁ ବ୍ୟାପି ଯାଇଥିଲା । ଘରେ ନିଆଁ ଲାଗିବା ଦେଖି ଘର ଲୋକ ଜୀବନ ବିକଳରେ ବାହାରକୁ ବାହାରି ଆସିଥିଲେ ।

ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଆୟତ୍ତ ହୋଇ ନଥିଲା । ଶେଷରେ ନିକଟସ୍ଥ ଅଗ୍ନିଶମ ବାହିନୀ ଗାଡି ଆସି ନିଆଁକୁ ଆୟତ୍ତ କରିଥିଲା । ଏଥିରେ ଉକ୍ତ ଗ୍ରାମର କୃପାସିନ୍ଧୁ ଖୁଣ୍ଟିଆ, ନରହରି ଖୁଣ୍ଟିଆ, ବିଷ୍ଣୁ ମୋହନ ଖୁଣ୍ଟିଆ, ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆଙ୍କ ସମେତ ଆହୁରି ଅନେକ ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି ।  ଘରେ ଗଛିତ ଥିବା ଧାନ, ଚାଉଳ, ଆସବାବପତ୍ର, ଗାଡି ସବୁ ଜଳି ପୋଡି ଛାରଖାର ହୋଇଯାଇଛି । ଖୋଲା ଆକାଶ ତଳେ ପଡ଼ି ରହିଥିବା ଅଗ୍ନି ବିପନ୍ନ  ପ୍ରଶାସନର ସହାୟତାକୁ ଅନାଇ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.