ହୃଦୟ ବିଦାରକ : ୫୦୦ ଟଙ୍କା ଫାଇନ୍ ଦେଲେନି ବୋଲି ଚଳନ୍ତା ଟ୍ରେନରୁ ଯାତ୍ରୀଙ୍କୁ ଠେଲିଦେଲେ ଟିଟିଇ

Published By : Prameya-News7 Bureau | May 17, 2021 IST

ଲକ୍ଷ୍ନୌ ୧୭/୫ : ଅମାନବୀୟ । ହୃଦୟ ବିଦାରକ ଘଟଣା । ଏମିତି ଏକ ଘଟଣା ଏବେ ସମସ୍ତଙ୍କ ମନରେ ଦୁଃଖ ଆଣିଦେଇଛି । ଚଳନ୍ତା ଟ୍ରେନରୁ ଯାତ୍ରୀଙ୍କୁ ଠେଲିଦେଲେ ଟିଟିଇ । କରୋନା କାଳରେ ଲକଡାଉନ ପାଇଁ ଠପ୍ ହୋଇପଡିଛି ଜୀବନ ଜୀବିକା । ସେଥିପାଇଁ ନିଜ ନିଜର ଜୀବନ ବଞ୍ଚାଇବାକୁ ପ୍ରବାସୀଙ୍କ ଘରବାହୁଡା ଜାରି ରହିଛି । ଏମିତି ଜଣେ ପ୍ରବାସୀ ଟ୍ରେନ୍ ଯୋଗେ ଫେରୁଥିଲେ ଘରକୁ ।

ରିଜରଭେସନ କରିବା ପରେ ତରବରିଆ ଭାବେ ଟିକେଟ୍ ଆଣିବାକୁ ଭୁଲିଯାଇଥିଲେ । ତେବେ ଟିକେଟ୍ ନଥିବାରୁ ଟିଟିଇ ମାଗିଥିଲେ ୫୦୦ ଟଙ୍କା ଫାଇନ୍ । ଯାତ୍ରୀ ଜଣଙ୍କ ପଇସା ନଥିବା କହିବାରୁ ରାଗିଯାଇଥିଲେ ଟିଟିଇ । ଯେତେ କାକୁତି ମିନତୀ ହୋଇଥିଲେ ସୁଦ୍ଧା ଟିଟିଇ ଯାତ୍ରୀଙ୍କ ଉପରେ ଦୟା ଦେଖାଇବା ତ ଦୂରର କଥା ରାଗିଯାଇ ଟ୍ରେନରୁ ଠେଲିଦେଇଥିଲେ । ଘଟଣା ଘଟିଛି ସିକନ୍ଦରାବାଦରୁ ଲକ୍ଷ୍ନୌ ଯାଉଥିବା ଏକ ସ୍ପେଶାଲ ଟ୍ରେନରେ ।

ସୂଚନା ମୁତାବକ୍ ସିକନ୍ଦରାବାଦରେ ଚାକିରୀ କରୁଥିଲେ ଲକ୍ଷ୍ନୌର ବସନ୍ତ । ଦେଶରେ ତାଲାବନ୍ଦ ଚାଲୁଥିବାରୁ ବସନ୍ତ ଚାକିରୀ କରୁଥିବା ଅଫିସ ବନ୍ଦ ହୋଇପଡିଥିଲା । ଫଳରେ ସେ ତାଙ୍କ ଭିଣୋଇ ଗୋବିନ୍ଦଙ୍କ ସହ ଟ୍ରେନ ଯୋଗେ ଘରକୁ ଫେରୁଥିଲେ । ତେବେ ଡି-୩ ବଗିରେ ହୋଇଥିଲା ଉଭୟ ଶଳା-ଭିଣୋଇଙ୍କ ରିଜରଭେସନ । କିଛି ସମୟ ପରେ ଲକ୍ଷ୍ନୌ ବାଦଶାହା ଷ୍ଟେସନରେ ଚେକିଂ ଆରମ୍ଭ କରିଥିଲେ ଟିଟିଇ । ଏହି ସମୟରେ ଭିଣୋଇ ଗୋବିନ୍ଦ ନିଜର ଟିକେଟ ଦେଖାଇଥିଲେ କିନ୍ତୁ, ବସନ୍ତଙ୍କ ପାଖରେ ଟିକେଟ ନଥିଲା । ତେବେ ଟିଟିଇ ଜଣଙ୍କ ତାଙ୍କୁ ୧୫୦୦ ଟଙ୍କା ମାଗିଥିଲେ ।

ବସନ୍ତ ୧୦୦୦ ଟଙ୍କା ଦେବାପରେ ଆଉ ୫୦୦ ନାହିଁ ବୋଲି କହିଥିଲେ । ଫଳରେ ଟ୍ରେନରେ ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ରାଗିଯାଇ ବସନ୍ତଙ୍କୁ ବାଡେଇବା ସହ ଟ୍ରେନରୁ ପେଲିଦେଇଥିଲେ ଟିଟିଇ । ତେବେ ଯାତ୍ରୀମାନେ ଚେନ୍ ଟାଣି ଟ୍ରେନ୍ ଅଟକାଇଥିଲେ ସୁଦ୍ଧା ଟ୍ରେନରୁ ଖସିପଡି ବସନ୍ତଙ୍କ ପ୍ରାଣବାୟୁ ଉଡିଯାଇଥିଲା । ପରେ ଲୋକେ ଉତକ୍ଷୀପ୍ତ ହୋଇ ଅଭିଯୁକ୍ତ ଟିଟିଇକୁ ନିର୍ଦ୍ଧୁମ ଛେଚିଥିଲେ । ଖବର ପାଇ ଘଟଣା ସ୍ଥଳରେ ଜିଆରପି ପହଞ୍ଚି ଅଭିଯୁକ୍ତ ଟିଟିଇକୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.