ପୁଣେରୁ ନବରଙ୍ଗପୁର… ୧୩ଶହ କିଲୋମିଟର ସାଇକେଲରେ ଆସିଲେ ୩ ଯୁବକ
31/05/2020 at 4:33 PM

ନବରଙ୍ଗପୁର ୩୧।୫: ପୁଣେରୁ ନବରଙ୍ଗପୁର ସାଇକେଲ ଯାତ୍ରା । କରୋନା ପାଇଁ ଦେଶରେ ଲମ୍ବା ସମୟ ଧରି ଲକ୍ ଡାଉନ୍ ଜାରି ରହିଛି । ଏହି ସମୟରେ ଶ୍ରମିକ ଶ୍ରେଣୀର ଲୋକେ ଅଧିକ ପ୍ରଭାବିତ ହୋଇଛନ୍ତି । ଶହଶହ ପ୍ରବାସୀ ଶ୍ରମିକ ଘରକୁ ଫେରୁଛନ୍ତି । ରାଜ୍ୟ ସରକାର ମଧ୍ୟ ସେମାନଙ୍କ ପାଇଁ ଅନେକ ବ୍ୟବସ୍ଥା କରିଛନ୍ତି । ହେଲେ ଏମିତି ବି କିଛି ଶ୍ରମିକ ଅଛନ୍ତି ଯେଉଁମାନେ ନିଜସ୍ବ ଉଦ୍ୟମରେ ଘରକୁ ବାହୁଡୁଛନ୍ତି । ପ୍ରାୟ ୧୩ଶହ କିଲୋମିଟର ସାଇକେଲରେ ଯାତ୍ରା କରି ଚର୍ଚ୍ଚାକୁ ଆସିଛନ୍ତି ୩ ଜଣ ଯୁବକ । ଏହି ରାସ୍ତା ଅତିକ୍ରମ ପାଇଁ ସେମାନଙ୍କୁ ଦୀର୍ଘ ୧୪ ଦିନ ସମୟ ଲାଗିଥିଲା । ଏବେ ସେମାନେ ନିଜ ଜିଲ୍ଲା ନବରଙ୍ଗପୁରରେ ପହଞ୍ଚିଛନ୍ତି ।

ସୂଚନାଯୋଗ୍ୟ ଯେ, ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ମୁର୍ଲ।ବାଇ ଗାଁର ଏହି ୩ ଯୁବକ ପୁଣେର ଏକ ଅଟୋମୋବାଇଲ କମ୍ପାନୀରେ କାମ କରୁଥିଲେ । ଲକ୍ ଡାଉନ୍ କାରଣରୁ କମ୍ପାନୀ ବନ୍ଦ ହୋଇଯାଇଥିଲା । ଯାହାଫଳରେ କମ୍ପାନୀ ଯୁବକମାନଙ୍କୁ ଟଙ୍କା ଦେଇନଥିଲା ବୋଲି ସେମାନେ କହିଛନ୍ତି । ଏପଟେ ଘର ଭଡା ସାଙ୍ଗକୁ ଖାଇବା ପିଇବା ପାଇଁ ପାଖରେ ଯାହା ଟଙ୍କା ଥିଲା ତାହା ବି ସରିଯାଇଥିଲା ।

ଫଳରେ ୩ ଜଣ ଯାକ ଯୁବକ ସାଇକେଲରେ ନବରଙ୍ଗପୁରକୁ ଫେରିଛନ୍ତି । ସାଥିରେ କିଛି ଶୁଖିଲା ଖାଦ୍ୟ ଧରି ଏମାନେ ୧୪ ଦିନ ସାଇକେଲରେ ଯାତ୍ରା କରି ନବରଙ୍ଗପୁରରେ ପହଞ୍ଚିଛନ୍ତି । ପହଞ୍ଚିବା ପରେ ସମସ୍ତଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇଛି ।