ବାଗଦାଦର ଗ୍ରୀନ୍ ଜୋନ୍‌ରେ ପୁଣି ରକେଟ୍ ମାଡ, ଅଳ୍ପକେ ବର୍ତ୍ତିଲା ଆମେରିକା ଦୂତାବାସ

Published By : Prameya-News7 Bureau | January 21, 2020 IST

ବାଗଦାଦ ୨୧।୧: ଇରାକ୍ ରାଜଧାନୀ ବାଗଦାଦର ଗ୍ରୀନ୍ ଜୋନରେ ପୁଣି ରକେଟ୍ ମାଡ । ଆଜି ଭୋରରୁ ଆମେରିକା ଦୂତାବାସ ନିକଟରେ ୩ଟି ରକେଟ୍ ମାଡ ହୋଇଥିବା ସୂଚନା ମିଳିଛି । ରକେଟ୍ ମାଡ ଫଳରେ ସମ୍ପୂର୍ଣ୍ଣ ଅଞ୍ଚଳରେ ସାଇରନ ବାଜିଥିଲା । ସେଣ୍ଟ୍ରାଲ ବାଗଦାଦ୍ ରେ ଗ୍ରୀନ୍ ଜୋନ୍ ରହିଥିବାବେଳେ ସେହି ଅଞ୍ଚଳରେ ସରକାରୀ କାର୍ଯ୍ୟାଳୟ ଏବଂ ଦୂତାବାସ ରହିଛି । ତେବେ ରକେଟ୍ ଆକ୍ରମଣରେ କେହି ମୃତାହତ ହୋଇଛନ୍ତି କି ନାହିଁ ସେ ସମ୍ପର୍କରେ କିଛି ସୂଚନା ମିଳିନାହିଁ ।

ଇରାନ୍ ଜେନେରାଲ କାସିମ ସୁଲେମାନୀର ମୃତ୍ୟୁ ପରେ ଇରାନ୍ କ୍ରମାଗତ ଭାବେ ଆମେରିକା ଉପରେ ପ୍ରତିଶୋଧ ନେଉଛି । ଏହା ପୂର୍ବରୁ ଜାନୁଆରୀ ୪ ତାରିଖରେ ଆମେରିକା ଦୂତାବାସ ନିକଟରେ ରକେଟ୍ ମାଡ ହୋଇଥିଲା । ସେହିଭଳି ଗତ ଜାନୁଆରୀ ୮ ତାରିଖରେ ଅଲ ଅସଦ ଓ ଇରବିଲର ୨ ସେନା ଠିକଣାରେ ୧୨ରୁ ଅଧିକ ବାଲାଷ୍ଟିକ୍ ମିସାଇଲ ଆକ୍ରମଣ ହୋଇଥିଲା । ଏହାପରେ ଜାନୁଆରୀ ୧୩ରେ ଏୟାରବେସ୍ ଉପରକୁ ଆକ୍ରମଣ ହୋଇଥିଲା । ଜାନୁଆରୀ ୧୫ ପୁଣି ଥରେ ଏୟାରବେସରେ ରକେଟ୍ ଆକ୍ରମଣ ହୋଇଥିଲା ।

ତେବେ କାସିମ ସୁଲେମାନୀଙ୍କ ହତ୍ୟା ପରେ ଆମେରିକା ନୀରବ ରହିଥିବାବେଳେ ଇରାନ୍ ବାରମ୍ବାର ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଉଛି । ଆଜିର ଆକ୍ରମଣ ପରେ ଆମେରିକା ଏବଂ ଇରାନ୍ ମଧ୍ୟରେ ସାନି ଉତ୍ତେଜନା ଦେଖିବାକୁ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.