ପିଛା ଛାଡୁନି ପ୍ରବାସୀ ଶ୍ରମିକଙ୍କ ଦୁଃଖ , ବସ୍‌ ଓଲଟି ୩ ମୃତ

Published By : Prameya-News7 Bureau | April 20, 2021 IST

ଭୁବନେଶ୍ୱର ୨୦।୦୪: ପିଛା ଛାଡୁନି ଦୁଃଖ ।  ପ୍ରବାସୀ ଶ୍ରମିକ ଦିଲ୍ଲୀ ଛାଡ଼ି ଘରମୁହାଁ ହେଉଥିବା ବେଳେ ଦୁର୍ଘଟଣା ମଧ୍ୟ ସେମାନଙ୍କ ଜୀବନକୁ ଆହୁରି ଦୁର୍ବିସହ କରୁଛି। ଦିଲ୍ଲୀରୁ ମଧ୍ୟପ୍ରଦେଶର ଟିକମଗଡ଼ ଯାଉଥିବା ଏକ ବସ୍ ଓଲଟି ପଡ଼ିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି।

ଖବର ଅନୁଯାୟୀ, ବସ୍‌ରେ ଭିତର ବାହାର ଛାତ ଏମିତି ମିଶାଇ ଶହେରୁ ଅଧିକ ପ୍ରବାସୀ ଶ୍ରମିକ ଥିଲେ। ଗ୍ବାଲିୟର ଝାଂନ୍ ସି ମଧ୍ୟରେ ଭାରସାମ୍ୟ ହରାଇ ବସ୍ ଟି ଓଲଟି ପଡ଼ିଥିଲା। ଯିଏ ଯେମିତି ପାରିଲେ ଡେଇଁ ପଡ଼ି ବାହାରି ଆସିଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ। କିନ୍ତୁ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଦିଲ୍ଲୀର ଆନନ୍ଦ ବିହାରରୁ ଏହି ଶ୍ରମିକମାନେ ସେମାନଙ୍କ ଯାତ୍ରା ଆରମ୍ଭ କରିଥିଲେ। ଗତବର୍ଷ ଚାଲି ଚାଲି ବହୁତ ହଇରାଣ ହୋଇଥିବାରୁ ଦିଲ୍ଲୀ ସରକାର ଲକଡାଉନ ଘୋଷଣା କରିବା ମାତ୍ରେ ଏହି ଶ୍ରମିକମାନେ ନିଜ ଘରକୁ ବାହାରିବା ଲାଗି ଭିଡ଼ ଜମାଇଥିଲେ।

ସୂଚନାଯୋଗ୍ୟ ଯେ, ଦିଲ୍ଲୀରେ କରୋନା ସ୍ଥିତିକୁ ଦେଖି ୬ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ଏହି ସମୟରେ ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ଦିଲ୍ଲୀରେ ରହିବାକୁ ମୁଖ୍ୟମନ୍ତ୍ରୀ କେଜ୍ରିଆଲ୍‌ ଅନୁରୋଧ କରିଥିଲେ । କିନ୍ତୁ ପ୍ରବାସୀ ଶ୍ରମିକମାନେ ନିଜ ନିଜ ଘରକୁ ଯିବା ପାଇଁ ରେଳ ଷ୍ଟେସନ, ବସ୍‌ ଷ୍ଟାଣ୍ଡ ଆଦି ସ୍ଥାନମାନଙ୍କରେ ପ୍ରବଳ ଭିଡ଼ ଜମାଇବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.