ରାସ୍ତାରେ ଓଲଟିଲା ପିକ୍ଅପ୍ ଭ୍ୟାନ୍, ପଛରେ ଆସୁଥିବା ୩ଟି ବସ୍ ମଧ୍ୟରେ ଧକ୍କା : ଜଣେ ମୃତ, ୧୦ରୁ ଅଧିକ ଆହତ
14/01/2021 at 10:57 AM

ମଥୁରା ୧୪।୧: ଘନ କୁହୁଡି ଯୋଗୁଁ ଯମୁନା ଏକ୍ସପ୍ରେସ୍ ଓ୍ବେରେ ଦୁର୍ଘଟଣା । ଓଲଟି ପଡିଥିବା ମ୍ୟାକ୍ସ ପିକଅପ୍ ଭ୍ୟାନ୍ କୁ ଧକ୍କା ଦେଇ ପରସ୍ପର ସହ ଧକ୍କା ହେଲେ ୩ଟି ବସ୍ । ଦୁର୍ଘଟଣରେ ଜଣେ ବସ୍ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୨ ଜଣ ଲୋକ ଆହତ ହୋଇଛନ୍ତି । ଦୁର୍ଘଟଣା ଫଳରେ ରାସ୍ତାରେ ଯାତାୟତ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା ।
ସୂଚନାଯୋଗ୍ୟ ଯେ, ଯମୁନା ଏକ୍ସପ୍ରେସ୍ ଓ୍ବେରେ ଗୁରୁବାର ବଡି ଭୋରରୁ ଏହି ଦୁର୍ଘଟଣା ଘଟିଛି । ଅମୃତଭଣ୍ଡା ବୋଝେଇ ମ୍ୟାକ୍ସ ପିକଅପ୍ ଭ୍ୟାନ୍ ବଳଦେବ ଥାନା ଅଞ୍ଚଳରେ ମାଇଲ୍ ଷ୍ଟୋନ୍ ୧୩୫ ନିକଟରେ ଘନ କୁହୁଡି ଯୋଗୁଁ ଡିଭାଇଡରରେ ଧକ୍କା ହୋଇ ରାସ୍ତାରେ ଓଲଟି ପଡିଥିଲା । ଏହାପରେ ପଛରେ ଆସୁଥିବା ୩ଟି ସ୍ଲିପର ବସ୍ ପରସ୍ପର ମଧ୍ୟରେ ଧକ୍କା ହୋଇଥିଲେ । ଫଳରେ ଜଣେ ବସ୍ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୨ ଜଣ ଲୋକ ଆହତ ହୋଇଛନ୍ତି ।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାସ୍ତାରେ ଥିବା ଦୁର୍ଘଟଣାଗ୍ରସ୍ତ ଗାଡି ଗୁଡିକୁ କ୍ରେନ୍ ସାହାଯ୍ୟରେ ରାସ୍ତାରୁ ହଟାଇ ଦିଆଯାଇଥିଲା । ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ । ପୋଲିସ ଘଟଣାର ତଦନ୍ତ ଜାରି ରଖିବା ସହ ମୃତାହତଙ୍କ ପରିଚୟ ଅନୁସନ୍ଧାନରେ ଲାଗିଛି ।