ରାତିରେ ସ୍ତନ୍ୟପାନ କରାଇବା ବେଳେ ମା'କୁ ଲାଗିଗଲା ନିଦ, ଚାପିହୋଇ ୩ ମାସ ଶିଶୁର...

Published By : Prameya-News7 Bureau | September 11, 2019 IST

ଆଗ୍ରା ୧୧।୯: ପ୍ରତ୍ୟେକ ବାପା ମା ସନ୍ତାନ ସୁଖ ପ୍ରାପ୍ତ କରିବାକୁ ଚାହିଁଥାନ୍ତି । ସବୁ ବାପା ମାମାନେ ସନ୍ତାନକୁ ନେଇ କେତେ କଣ ସ୍ବପ୍ନ ମଧ୍ୟ ଦେଖିଥାନ୍ତି । ଘରେ ଶିଶୁଟିଏ ଜନ୍ମ ହେଲେ ପରିବାରରେ ଖୁସୀର ଲହରୀ ଖେଳିଯାଇଥାଏ । ମାତ୍ର ନବଜାତ ଶିଶୁଟିର ମୃତ୍ୟୁ ହୋଇଗଲା ପରେ ପରିବାରଲୋକଙ୍କୁ ଶକ୍ତ ଧକ୍କା ଲାଗିଥାଏ । ଉତ୍ତରପ୍ରଦେଶ ଆଗ୍ରାରେ ଏମିତି ଏକ ଘଟଣା ଘଟିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ମହିଳାଙ୍କ ୩ ମାସର ଶିଶୁର ମୃତ୍ୟୁ ହୋଇଛି । ଫଳରେ ସାରା ପରିବାରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଯେଉଁ ଦୁଃଖରୁ ସାରା ପରିବାର ବାହାରି ପାରୁନାହାନ୍ତି । ଶିଶୁଟିର ମୃତ୍ୟୁର କାରଣ ଶୁଣିଲେ ଆପଣଙ୍କୁ ବି ଶକ୍ତ ଧକ୍କା ଲାଗିପାରେ ।

ସୂଚନା ଅନୁସାରେ, ଆଗ୍ରା ଖେଡା ରାଠୋର ଥାନା ଅଞ୍ଚଳ ମାଲୌନୀ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଏଠାରେ ରହିଥିବା ସରିତା ନାମକ ଜଣେ ମହିଳା ନିଜର ତିନି ମାସର ଶିଶୁକୁ ସ୍ତନ୍ୟପାନ କରାଇବା ସମୟରେ ତାଙ୍କୁ ନିଦ ଲାଗିଯାଇଥିଲା । ସେ କେତେବେଳେ ଶୋଇପଡିଥିଲେ ସେ ଜାଣି ବି ନଥିଲେ । ଶୋଇବା ବେଳେ ଅସାବଧାନତା ବଶତଃ ସେ କଡ ଲେଉଟାଇବା ବେଳେ ନବଜାତ ଶିଶୁ ଉପରେ ଶୋଇପଡିଥିଲେ । ହଠାତ୍ ରାତିରେ ନିଦ ଭାଙ୍ଗିଯିବାରୁ ସରିତା ଶିଶୁକୁ ଦେଖିଲା ବେଳକୁ ଶିଶୁଟି ନିସ୍ତେଜ ହୋଇଯାଇଥିଲା । ଶିଶୁଟି କୌଣସି ପ୍ରକାରରେ ହଲଚଲ ନହେବାରୁ ଭୟରେ ସରିତା ପରିବାରଲୋକଙ୍କୁ ଡାକପକାଇଥିଲେ । ଶିଶୁଟିର ଅପରି ଅବସ୍ଥା ଦେଖି ଘରଲୋକ ଭୟଭୀତ ହୋଇ ନିକଟସ୍ଥ ସିଏଚସିକୁ ନେଇଯାଇଥିଲେ । ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ ।

ଡାକ୍ତରଙ୍କ ନିକଟକୁ ଏଭଳି ଶୁଣି ପରିବାରଲୋକଙ୍କ ପାଦ ତଳୁ ଯେମିତି ମାଟି ଖସିଗଲା । ନବଜାତ ଶିଶୁର ଏଭଳି ମୃତ୍ୟୁ ପାଇଁ ନିଜକୁ ଦାୟୀ କରି ସରିତା କାନ୍ଦି କାନ୍ଦି ବେହୋସ୍ ହୋଇଯାଉଥିଲା । ସମସ୍ତେ ତାଙ୍କୁ ହିଁ ଏଥିପାଇଁ ଦୋଷୀ ମାନୁଥିଲେ । ଏ ଘଟଣା ସଂପର୍କରେ ଯେ କେହି ବି ଶୁଣୁଥିଲା ସେ ସ୍ତବ୍ଧ ହୋଇଯାଉଥିଲା । ନବଜାତର ଏଭଳି ଭାବେ ମୃତ୍ୟୁ ହୋଇଥିବା ଖବର ଶୁଣିବା ପରେ ଲୋକମାନଙ୍କର ଭିଡ ମଧ୍ୟ ଜମିଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.