ଟ୍ୟୁସନ୍ ଯାଇ ନିଖୋଜ ହୋଇଥିବା ୩ଛାତ୍ର ତାମିଲନାଡୁରୁ ଉଦ୍ଧାର, ଫେରୁଛନ୍ତି ଘରକୁ

Published By : Prameya-News7 Bureau | December 07, 2021 IST

ସୋର ୭।୧୨: ଟ୍ୟୁସନ ହେବାକୁ ଯାଇ ନିଖୋଜ ହୋଇଯାଇଥିବା ୩ଛାତ୍ର ତାମିଲନାଡୁରୁ ଉଦ୍ଧାର କଲା ଖନ୍ତାପଡା ପୋଲିସ । ବାଲେଶ୍ବର ଜିଲ୍ଲା ବାହାନଗା ସରସତିଆ ଅଞ୍ଚଳର ୩ଜଣ ଛାତ୍ର କୌଶଲ୍ୟା ସାହୁଙ୍କ ନାବାଳକ ପୁଅ ତୃପ୍ତି ରଞ୍ଜନ ଓ ତା’ର ଅନ୍ୟ ଦୁଇ ଜଣ ସାଥୀ ରଞ୍ଜନ ମହାନ୍ତି ଓ ଦେବଦାସ ବାରିକ ଗତ ୩ ତାରିଖରେ ଟ୍ୟୁସନ ପଢିବାକୁ ଯାଇଥିବା ବେଳେ କେଉଁଆଡେ ନିଖୋଜ ହୋଇଯାଇଛନ୍ତି । ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ପିଲାମାନଙ୍କର କୌଣସି ସନ୍ଧାନ ପାଇନଥିଲେ ।

ସେହି ଦିନ ସନ୍ଧ୍ୟାରେ ରଞ୍ଜନ ତା'ର ଭାଇ ପାଖକୁ ଏକ ଅଜଣା ନମ୍ବରରୁ ଫୋନ୍ କରି ତାକୁ ଆଉ ନଖୋଜିବାକୁ କହିଥିଲା । ପିଲାଟିକୁ ତା'ର ଭାଇ କେଉଁ ଆଡେ ଯାଉଛ ଓ କେଉଁ ଟ୍ରେନର ବସିଛ ବୋଲି ପ୍ରଶ୍ନ କରିଥିଲେ ବି ପିଲାଟି କିଛି ଉତ୍ତର ନ ଦେଇ ଆଉ ସେହି ନମ୍ବରରେ ଫୋନ ନକରିବାକୁ କହିଥିଲା । ପରେ ପରିବାର ଲୋକ ସେହି ମୋବାଇଲ ନମ୍ବରକୁ ଫୋନ୍ କରିଥିଲେ । ଜଣେ ଅଣ ଓଡିଆ ଲୋକ ଫୋନ୍ ଉଠାଇଥିଲେ । କେଉଁଠାକୁ ଯାଉଛ ପ୍ରଶ୍ନ କରିବାରୁ ବେଙ୍ଗାଲୁରୁ ଯାଉଥିବା କହିଥିବା ବେଳେ କେଉଁ ଟ୍ରେନରେ ଯାଉଥିବା ଜାଣି ନଥିବା କହିଥିଲା ଏବଂ ଫୋନଟି କାଟି ଦେଇ ସୁଇଚ୍ ଅଫ୍ କରିଦେଇଥିଲା ।

ପରେ ପରିବାର ଲୋକ ଖନ୍ତାପଡା ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ । ପିଲାମାନେ ତାମିଲନାଡୁର ବେଛାପୁରମ୍ ରେଳ ଷ୍ଟେସନରେ ବୁଲୁଥିବା ବେଳେ ଷ୍ଟେସନରେ କାର୍ଯ୍ୟରତ ଆରପିଏଫଙ୍କ ସନ୍ଦେହ ହେବାରୁ ପିଲାମାନଙ୍କୁ ଅଟକାଇ ପଚରାଉଚରା ପରେ CWCକୁ ହସ୍ତାନ୍ତର କରିଥିଲେ । ପରେ ତାମିଲନାଡୁ CWC ଖନ୍ତାପଡା ପୋଲିସକୁ ଯୋଗାଯୋଗ କରିଥିଲେ । ଖନ୍ତାପଡା ପୋଲିସ ଛାତ୍ରମାନଙ୍କ ପରିବାର ଲୋକଙ୍କ ସହ ତାମିଲନାଡୁରୁ ଉଦ୍ଧାର କରି ଖନ୍ତାପଡାକୁ ଟ୍ରେନ ଯୋଗେ ଆଣୁଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.