ମୁମ୍ବାଇରେ ମୃତ୍ୟୁ , ଭଦ୍ରକରେ ହେଲା ଶବ ସତ୍କାର : ଦୂରରେ ଥାଇ ଶେଷ ଦର୍ଶନ କଲେ ଆତ୍ମୀୟ, ତଥାପି କ୍ଵାରେଣ୍ଟାଇନରେ ତିନି ଜଣ

Published By : Prameya-News7 Bureau | April 16, 2020 IST

ଭଦ୍ରକ ୧୬।୦୪:  ଝିଅ ଜ୍ୱାଇଁ ଙ୍କ ନିକଟ କୁ ବୁଲିବା ପାଇଁ ଯାଇଥିଲେ । ବିଧି ର ବିଧାନ କିନ୍ତୁ ଥିଲା କିଛି ଅଲଗା । ଫେରିବା ବେଳେ ଆରମ୍ଭ ହେଲା କରୋନା ର ପାଦୁର୍ଭାବ । ଲକଡାଉନ ପାଇଁ ଗମନାଗମନ ଉପରେ ରୋକ ଲାଗିଲା । ଟ୍ରେନ ଠାରୁ ଉଡାଯାହାଜ ସବୁ ବନ୍ଦ ହୋଇଗଲା । ଆଉ ଘରକୁ ଫେରିପାରିଲେ ନାହିଁ। ଫେରିଲା ପାର୍ଥିବ ଶରୀର । ଏଠି ମଧ୍ୟ ସମାନ କଟକଣା । ମୃତ ଦେହ କୁ ଅନ୍ତିମ ଦର୍ଶନ ପାଇଁ କେହି ସୁଯୋଗ ପାଇଲେନାହିଁ । ମୃତ ଦେହ ସିନା ଆମ୍ବୁଲାନ୍ସ ରେ ଆସିଲା କିନ୍ତୁ ସାଙ୍ଗ ରେ ଆସିଥିବା ସମ୍ପର୍କୀୟ ଏବେ କ୍ଵରେଣ୍ଟାଇନ ରେ । ଏମିତି ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ରେ ।

{"id":255094,"sizeSlug":"large"}

ଭଦ୍ରକ ଜିଲ୍ଲା ଧାମନଗର ଥାନା ଭାଗବାନପୁର ପଞ୍ଚାୟତ ର ଅନହରପୁର ଗାଁ ର ଦିବାକର ରାଉତ । ସେ ବାଲେଶ୍ୱର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ର ଉଚ୍ଚ ପଦବୀ ରେ ଥିଲେ । ଅବସର ପରେ ବିଭିନ୍ନ ଧର୍ମାନୁଷ୍ଠାନ ସହ ସାମାଜିକ ସଂଗଠନ ସହ ଜଡିତ ଥିଲେ । କିଛି ଦିନ ତଳେ ଝିଅ ଓ ଜ୍ୱାଇଁଙ୍କ ନିକଟକୁ ମୁମ୍ବାଇ ଯାଇଥିଲେ । ସେଠାରୁ ଆସିବା ପୂର୍ବରୁ କରୋନା ପାଇଁ ଲକଡାଉନ ଘୋଷଣା କଲେ ସରକାର । ଟ୍ରେନ , ବସ , ଫ୍ଲାଇଟ ସବୁ ବନ୍ଦ ହୋଇଗଲା । ସେହି ସମୟ ରେ ସେ ଅସୁସ୍ଥ ହୋଇପଡିଲେ ।

{"id":255096,"sizeSlug":"large"}

ହୃଦଘାତ ରେ ତାଙ୍କର ଦେହାନ୍ତ ହୋଇଗଲା । ବହୁ ଚେଷ୍ଟା ପରେ ସ୍ଥାନୀୟ ପ୍ରଶାସନର ଅନୁମତି ପରେ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ପାର୍ଥିବ ଶରୀର କୁ ଜନ୍ମସ୍ଥାନ ଅନହରପୁର କୁ ଅଣାଗଲା । ଏଠି ମଧ୍ୟ କରୋନା ପାଇଁ ପ୍ରଶାସନ କେତେକ ନିୟମ ଅନୁଯାୟୀ ଶବ ସତ୍କାର ପାଇଁ ଅନୁମତି ଦେଲା । ମୃତଦେହ ଆଣିଥିବା ଆମ୍ବୁଲାନ୍ସ ଆସିବା କ୍ଷଣି । ଆମ୍ବୁଲାନ୍ସ ଓ ଗାଁ ରାସ୍ତାକୁ ସାନିଟାଇଜ କରାଗଲା । ମୃତଦେହ ନିକଟ କୁ ପରିବାର , ସମ୍ପର୍କୀୟ ଓ ଗ୍ରାମବାସୀ ଙ୍କୁ ଶେଷ ଦର୍ଶନ ପାଇଁ ସୁଯୋଗ ଦିଆଗଲା ନାହିଁ ।

{"id":255095,"sizeSlug":"large"}

ନିୟମ ଅନୁଯାୟୀ କେତେଜଣ ହାତଗଣତି ଲୋକ ଓ ପୋଲିସ ଉପସ୍ଥିତି ରେ ଶବ ଦାହ କରାଗଲା । ତେବେ ସରକାର ଙ୍କ ଦ୍ଵାରା କରୋନା ପାଇଁ ନିର୍ଦ୍ଧାରିତ ନିୟମ କୁ ସମ୍ମାନ ଜଣାଇ ପରିବାର ଓ ସମ୍ପର୍କୀୟ ମାନେ ଶେଷକୃତ୍ୟ ସମାପନ କରିଛନ୍ତି । ମୃତଦେହ ସହ ଆସିଥିବା ସମ୍ପର୍କୀୟ ଙ୍କୁ କ୍ଵରେଣ୍ଟାଇନ ରେ ରଖାଯାଇଛି । ତେବେ ସେମାନଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ ବୋଲି ସୂଚନା ମିଳିଛି । ଏମିତି ସମୟ ରେ ଶେଷ ଦର୍ଶନ କରିପାରି ନାହାନ୍ତି ଗ୍ରାମବାସୀ କିମ୍ବା ସମ୍ପର୍କୀୟ । କିନ୍ତୁ ସରକାରୀ ନିୟମ କୁ ଯଥାବିଧି ସମ୍ମାନ ଦେଇ ନିଜ କର୍ତ୍ତବ୍ୟ ପାଳନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.