ଜୈଶର ୩ ଆତଙ୍କବାଦୀଙ୍କ ସମେତ ଧରାପଡ଼ିଲା ଏସପିଓ, ୨ ମାସ ପୂର୍ବରୁ ଏକେ-୪୭ ନେଇ ହୋଇଥିଲା ଫେରାର
27/12/2020 at 6:59 PM

ଶ୍ରୀନଗର ୨୭/୧୨: ରବିବାର ଜାମ୍ମୁ କାଶ୍ମୀରର ବଡଗାମ୍ ଜିଲ୍ଲାରୁ ଜୈଶ-ଏ-ମହମ୍ମଦର ୪ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ଜଣେ ପୋଲିସ ଅଧିକାରୀ ମଧ୍ୟ ସାମିଲ ଅଛି। ଗୁପ୍ତ ସୂଚନା ଆଧାରରେ ଜିଲ୍ଲାର ହାୟତପୋରା ଅଞ୍ଚଳରେ ସୁରକ୍ଷା ବଳ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ ବୋଲି ପୋଲିସ ପ୍ରବକ୍ତା କହିଛନ୍ତି।
ମିଳିଥିବା ସୂଚନା ଅନୁସାରେ ଅପରେସନ୍ ସମୟରେ ଜଣେ ଆତଙ୍କବାଦୀ କାର ନେଇ ଖସିଯିବାକୁ ଉଦ୍ୟମ କରିଥିଲା। କାରକୁ ସୁରକ୍ଷା ବଳ ରୋକିବାକୁ ଚେଷ୍ଟା କରିଥିବା ବେଳେ ଚାଳକ ପ୍ରତିବାଦ କରିଥିଲା। ତଥାପି ସୁରକ୍ଷା ବଳ ଚାଳକକୁ ଗିରଫ କରିଥିଲେ । ଗିରଫ ହୋଇଥିବା ୪ ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ପୂର୍ବତନ ଏସପିଓ ଅଲତାଫ ହୁସୈନ ଅଛି ବୋଲି ମଧ୍ୟ ଜଣାପଡ଼ିଛି। ଅନ୍ୟ ୩ ଜଣ ଶବିର ଅହମଦ ଭଟ, ଜମଶିଦ ମଗରେ ଓ ଜାହିଦ ଡାର ଭାବେ ଚିହ୍ନଟ ହୋଇଛନ୍ତି।
ଚାକିରୀ ଛାଡ଼ି ହୁସୈନ ଚଳିତ ବର୍ଷ ଫେରାର ହୋଇଯାଇଥିଲା। ଜାହାଙ୍ଗୀର ନାମକ ଜଣେ ବ୍ୟକ୍ତି ସହ ଏକେ-୪୭ ରାଇଫଲ ନେଇ ଫେରାର ହୋଇଥିଲା ହୁସୈନ। ଜାହାଙ୍ଗୀର ପୂର୍ବରୁ ଗିରଫ ହୋଇସାରିଛି। ତେବେ ହୁସୈନ ଜୈଶ-ଏ-ମହମ୍ମଦ ସଂଗଠନରେ ସାମିଲ ହୋଇଥିବା ସୁରକ୍ଷା ବଳଙ୍କୁ ସୂଚନା ମିଳିଥିଲା। ୪ ଆତଙ୍କବାଦୀ ଗିରଫ ହେବା ସହ ସେମାନଙ୍କ ପାଖରୁ ବହୁ ଅସ୍ତ୍ରଶସ୍ତ୍ର ସହ ଅନ୍ୟ ସାମଗ୍ରୀ ଜବତ ହୋଇଥିବା ମଧ୍ୟ ଜଣାପଡ଼ିଛି।