ଲକ୍ ଡାଉନ୍‌ରେ ଲଟେରୀ ଖୋଲିଦେଲା ୩ ଭାରତୀୟ ଡ୍ରାଇଭରଙ୍କ ଭାଗ୍ୟ : ଅଭାବ ଯୋଗୁଁ ବିକିବାକୁ ଯାଉଥିଲେ ଗାଡି, ଜିତିଲେ ୪୧ କୋଟି ଟଙ୍କା

Published By : Prameya-News7 Bureau | April 05, 2020 IST

ଦୁବାଇ ୫।୪: ଦୁବାଇରେ ୩ ଭାରତୀୟ ଡ୍ରାଇଭର ରାତାରାତି କୋଟିପତି ହୋଇଯାଇଛନ୍ତି। ଏହି ୩ ଜଣ କେରଳର ବାସିନ୍ଦା । ଶୁକ୍ରବାର ସେମାନେ ମେଗା ଜ୍ୟାକପଟ୍ ଲଟେରୀ ଜରିଆରେ ପ୍ରାୟ ୪୧ କୋଟି ଟଙ୍କା ଜିତିଛନ୍ତି । ଖଲିଜ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଲଟେରୀଟି ଜିଜେଶ କୋରୋଥନଙ୍କ ନାମରେ ଥିଲା । ସେ ସାଙ୍ଗମାନଙ୍କ ସହ ଶାହଜହାନ କୁଟିକଟିଲ ଏବଂ ଶନୋଜ ବାଲକ୍ରିଷ୍ଣନଙ୍କ ସହ ମିଶି ଏହି ଟିକେଟ କିଣିଥିଲେ । ତେଣୁ ବର୍ତ୍ତମାନ ତିନି ଜଣ ପୁରସ୍କାର ଟଙ୍କା ନିଜ ମଧ୍ୟରେ ବାଣ୍ଟିବାକୁ ନିଷ୍ପତ୍ତି ନେଇଛନ୍ତି ।

ଜିଜେଶ କହିଛନ୍ତି, “ଆମେ ତିନି ଜଣ ଏକାଠି କିଛି ଦିନ ପୂର୍ବରୁ ଲିମୋଜିନ୍ (ବିଳାସପୂର୍ଣ୍ଣ କାର୍) ଚଳାଇବା କାମ ଆରମ୍ଭ କରିଥିଲୁ । ଲିମୋଜିନ୍ କିଣିବା ପାଇଁ ଋଣ ନେଇଥିଲୁ । କିନ୍ତୁ କରୋନା ଭାଇରସ୍ କାରଣରୁ ପର୍ଯ୍ୟଟନ କ୍ଷେତ୍ର ସମ୍ପୂର୍ଣ୍ଣ ଭୁଶୁଡି ପଡିଛି । ଆମର କାମ ମଧ୍ୟ ବନ୍ଦ ହୋଇଯାଇଛି । ତେଣୁ ଆମେ କେରଳକୁ ଫେରିବା ପାଇଁ ପ୍ରସ୍ତୁତ ଥିଲୁ । କାରର EMI ଦେବାକୁ ଟଙ୍କା ନଥିଲା । ତେଣୁ ବିକ୍ରୟ କରି ଋଣ ପରିଶୋଧ କରିବାକୁ ନିଷ୍ପତ୍ତି ନେଇଥିଲୁ । କିନ୍ତୁ ଗ୍ରାହକଙ୍କ ସହିତ ସାକ୍ଷାତ ପୂର୍ବରୁ ହଠାତ୍ ଆମର ଭାଗ୍ୟ ବଦଳିଗଲା । ବର୍ତ୍ତମାନ ଆମେ ସହଜରେ EMI ପୂରଣ କରି ପୁନର୍ବାର କାମ କରିବା ଆରମ୍ଭ କରିବୁ।”

ଜିଜେଶ କହିଛନ୍ତି ଯେ, ସେ ଏହି ଟଙ୍କା ତାଙ୍କ ଝିଅର ପାଠପଢାରେ ଖର୍ଚ୍ଚ କରିବେ । ଏହା ବ୍ୟତୀତ, ଅବଶିଷ୍ଟ ଟଙ୍କା ସେମାନଙ୍କର ଲିମୋଜିନ୍ ସର୍ଭିସ୍ ବ୍ୟବସାୟ ବଢାଇବା ପାଇଁ ବିନିଯୋଗ କରିବେ । ଏହି ଲଟେରୀ ଆମ ପାଇଁ ଏକ ଲାଇଫ୍ ଲାଇନ୍ ପରି । କିଛି ଦିନ ପୂର୍ବରୁ ତିନି ଜଣ ଏକାଠି କାମ ଆରମ୍ଭ କରିଥିଲୁ । ଏହାପୂର୍ବରୁ ସେ ଅନ୍ୟମାନଙ୍କ ଗାଡି ଚଳାଉଥିଲେ ।

ଏହି ଲଟେରୀ ଯୋଗୁଁ ୨୦୧୯ରେ ଭାରତୀୟ ବ୍ୟବସାୟୀ ପ୍ରବୀନ ଥୋମାସଙ୍କ ଭାଗ୍ୟ ମଧ୍ୟ ବଦଳି ଯାଇଥିଲା । ଥୋମାସ୍ ଦୁବାଇରେ ୬ କୋଟି ଟଙ୍କା ଲଟେରୀ ଜିତିଥିଲେ । ପ୍ରବୀଣ ମଧ୍ୟ କେରଳର । ଏହା ବ୍ୟତୀତ କେରଳର ଜନ୍ ବର୍ଗିଜ ମଧ୍ୟ ଲଟେରୀରେ ୨୧ କୋଟି ଟଙ୍କା ଜିତିଥିଲେ । ସେ ଦୁବାଇର ଏକ ଘରୋଇ କମ୍ପାନୀରେ ଡ୍ରାଇଭର ଭାବରେ କାମ କରୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.