ଦେଖନ୍ତୁ ଅମାନବିକତାର ଏହି ତିନୋଟି ଘୃଣ୍ୟ ଦୃଶ୍ୟ : ଥରାଇଦେବ ଆପଣଙ୍କ ଛାତି…
4/08/2019 at 5:43 PM

ଭୁବନେଶ୍ବର ୪|୮: ଗୋଟିଏ ପଟେ ଆଜି ଫ୍ରେଣ୍ଡସିପ୍ ଡେ ସେଲିବ୍ରେଟ୍ କରି ସମ୍ପର୍କରେ ମହକ ଭରିବା ପାଇଁ ଚାଲିଛି ପ୍ରୟାସ । ଅନ୍ୟପଟେ ନିର୍ଦ୍ଦୟତାର ଲକ୍ଷ୍ମଣରେଖା ଟପିଥିବା ଦୁଇଟି ଚିତ୍ର । କ୍ରୋଧଚଣ୍ଡାଳର ମାୟାରେ ପଡ଼ି ମଣିଷ କେମିତି ସମ୍ପର୍କକୁ କବର ଦିଏ ତାର ଜୀବନ୍ତ ନମୁନା । ଗୋଟିଏ ଅନୁଗୋଳରେ ଓ ଅନ୍ୟଟି ବାଲେଶ୍ବର ଭୋଗରାଇରେ । ଅନୁଗୋଳରେ ଭିଲେନ ଜେଜେମା ତ, ଭୋଗରାଇରେ ବାପା ସାଜିଛି ଖଳନାୟକ ।

ଲାଳୟେତ ପଞ୍ଚ ବର୍ଷାଣି, ଦଶ ବର୍ଷାଣି ତାଡ଼ୟେତ । ପ୍ରାପ୍ତେଷୁ ଷୋଡଶ ବର୍ଷଂ ପୁତ୍ର ମିତ୍ର ବଦାଚରେତ୍ । ପିଲାଙ୍କୁ ଲାଳନ ପାଳନ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି କାଳଜୟୀ ସୂତ୍ର ଲାଗୁଛି ଏବେ ଯେମିତି ପ୍ରାସଙ୍ଗିକତା ହରାଇ ଜରାଜୀର୍ଣ୍ଣ । ଯେଉଁ ବୟସରେ ପିଲାଙ୍କୁ ଲାଳନପାଳନ କରିବା କଥା, ଛାତିରେ ଲଗାଇ ରଖିବା କଥା, ନାନାବାୟା ଗୀତ ଗାଇ ଶୋଇବା କଥା, ସେହି ବୟସରେ ହିଁ ସେମାନଙ୍କ ଉପରେ ହେଉଛି ଅକଥନୀୟ ନିର୍ଯାତନା ।

ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଗଡତରାସ ଗାଁରେ । ଦେଖନ୍ତୁ ଏଇ ଦୃଶ୍ୟ । କାନ ଫାଟି ଯାଇଛି। କହୁଣୀ ମଧ୍ୟ ଫାଟି ଯାଇଛି। ଦେହ ସାରା ମାଡ଼ର ଦାଗ । ଦୁଷ୍ଟାମୀ କରୁଥିବାରୁ ୩ ବର୍ଷର ନାତୁଣୀ ବିଦୁସ୍ମିତା ରାଉତକୁ ଏମିତି ସଜା ଦେଇଛି ଜେଜମା କୁମୁଦିନୀ ରାଉତ । ବର୍ଷେ ତଳୁ ବିଦୁସ୍ମିତାଙ୍କ ମାଆ ମରିଯାଇଥିବା ବେଳେ, ବାପା ଅସିତ ରାଉତ ଶ୍ରମିକ ଭାବେ କମ୍ପାନୀରେ କାମ କରନ୍ତି । ତେବେ ଝିଅଟି ଜେଜେମା ପାଖରେ ରହୁଥିବା ବେଳେ ଜେଜେମା ନିର୍ଦ୍ଦୟତାର ସବୁ ସୀମା ଟପି ଯାଇଛି । ଖବର ପାଇ ବନ୍ତଳା ପୋଲିସ ନାତୁଣୀକୁ ଉଦ୍ଧାର କରିଛି, ଜେଜେମାଙ୍କୁ ଅଟକ ରଖିଛି ।
ସେପଟେ ଭୋଗରାଇରେ ନିଶାସକ୍ତ ହୋଇ ଖୋଦ୍ ଜନ୍ମକଲା ବାପା କେମିତି ବଇରୀ ସାଜିଛି ସେନେଇ ଅଭିଯୋଗ । ଭୋଗରାଇ ଜୟରାମପୁର ଗାଁରେ ଟଙ୍କା ଚୋରୀ ସନ୍ଦେହ କରି ଦୁଇ ପୁଅଙ୍କୁ ନିର୍ଦ୍ଧୁମ ମାଡ଼ ମାରିଛନ୍ତି ବାପା ବିଶ୍ବନାଥ ଦଳେଇ । ଗ୍ରାମବାସୀଙ୍କ ଦ୍ବାରା ପିଲା ଦୁଇଟି ଉଦ୍ଧାର ହୋଇଥିବା ବେଳେ ନିଶାସକ୍ତ ବାପାଙ୍କୁ ଅଟକ ରଖିଛି ପୋଲିସ ।

ଗତକାଲି ମଧ୍ୟ ବାଲେଶ୍ବର ବସ୍ତା ଗଙ୍ଗାଧରପୁର ଗାଁରେ କୋମଳମତି ନାତିକୁ ଜେଜେମା ଗୋଇଠା ପରେ ଗୋଇଠା ଲଦିଯାଉଥିବାର ଦୃଶ୍ୟ ସମସ୍ତଙ୍କ ମନକୁ ଆଘାତ ଦେଇଥିଲା । ସେଠାରେ ମଧ୍ୟ ବାପାମାଙ୍କଠାରୁ ବହୁ ଦୂରରେ ରହୁଥିବା ଏହି କୁନି ପିଲାଟିକୁ ଅକଥନୀୟ ଅତ୍ୟାଚାର ଦେଉଥିଲା ଜେଜେମା। ନ୍ୟୁଜ୍ ସେଭେନରେ ଖବର ପ୍ରସାରଣ ପରେ ଜେଜେମାକୁ ପୋଲିସ ଅଟକ ରଖିଥିଲା। ଆଉ ଏହି ଘଟଣାକୁ ୨୪ ଘଣ୍ଟା ନ ପୁରୁଣୁ ପୁଣି ସାମ୍ନାକୁ ଆସିଛି ଆଉ ଦୁଇଟି ଚିତ୍ର।